ଥାଇଲାଣ୍ଡରେ ପ୍ରମୋଦ, ଦୀପଙ୍କ ବିଜୟ ଅଭିଯାନ

ଭୁବନେଶ୍ବର: ଥାଇଲାଣ୍ଡ ପାରା ବ୍ୟାଡ୍‌ମିଣ୍ଟନ ପ୍ରତିଯୋଗିତାରେ ଓଡ଼ିଆ ପୁଅ ପ୍ରମୋଦ ଭଗତ ଓ ଦୀପ ରଂଜନ ବିଶୋୟୀ ବିଜୟରୁ ଅଭିଯାନ ଆରମ୍ଭ କରିଛନ୍ତି। ପ୍ରମୋଦ ଏକକ, ଯୁଗଳ ଓ ମିଶ୍ରିତ ଯୁଗଳରେ ବିଜୟୀ ହୋଇଛନ୍ତି। ହେଲେ ଦୀପ କେବଳ ଏକକରେ ବିଜୟୀ ହୋଇଥିଲା ବେଳେ ଯୁଗଳରେ ପରାଜୟ ବରଣ କରିଛନ୍ତି। ଏକକରେ ଅଲିମ୍ପିକ୍‌ ବିଜେତା ପ୍ରମୋଦ ୨୨-୨୦, ୨୧-୧୨ରେ ନିଜ ଦେଶର ମହମ୍ମଦ ଅର୍ବାଜ ଅନ୍‌ସରୀଙ୍କୁ ପରାସ୍ତ କରିଥିଲେ। ଯୁଗଳରେ ସୁକାନ୍ତ କଦମଙ୍କୁ ସାଥୀ କରି ଖେଳୁଥିବା ପ୍ରମୋଦ ୨୨-୨୪, ୨୧-୧୯, ୨୧-୧୬ରେ ଇଣ୍ଡୋନେସିଆର ଦ୍ବିୟୋକୋ ଓ ଫ୍ରେଡି ସେତିଆୱାନଙ୍କୁ ହରାଇଥିଲେ। ସେହିପରି ମିଶ୍ରିତ ଯୁଗଳରେ ପ୍ରମୋଦ ଓ ତା‌ଙ୍କ ସାଥୀ ମନୀଷର ରାମଦାସ ୨୧-୧୮, ୨୧-୧୫ରେ ସ୍ଥାନୀୟ ଯୋଡ଼ି ପ୍ରିଚା ସୋମସିରି ଓ ଦୁରୁନୀ ହେନପ୍ରାଇୱାନଙ୍କୁ ମାତ୍‌ ଦେଇଥିଲେ। ଦୀପ ରଂଜନ ଏକକରେ ଫ୍ରାନ୍ସର ଗେଲି ଗୁଇଲାଉମେଙ୍କୁ ୧୪-୨୧, ୨୧-୧୪, ୨୧-୧୧ରେ ପରାସ୍ତ କରିଥିଲେ। ହେଲେ ଯୁଗଳରେ ସେ ଓ ତାଙ୍କ ସାଥୀ ମହମ୍ମଦ ଅର୍ବାଜ ଅନ୍‌ସାରୀ ୧୯-୨୧, ୧୯-୨୧ରେ ନିଜ ଦେଶର ନେହା ଗୁପ୍ତା ଓ ନୀତେଶ କୁମାରଙ୍କଠୁ ପରାସ୍ତ ହୋଇଥିଲେ। ସୂଚନାଯୋଗ୍ୟ ଯେ ଏହି ପ୍ରତିଯୋଗିତାରେ ଓଡ଼ିଶାରୁ ଏହି ଦୁଇ ଖେଳାଳିଙ୍କ ସହ ଭାରତୀୟ ଦଳର ପ୍ରଶିକ୍ଷକ ଭାବେ ଶିବପ୍ରସାଦ ଦାସ ‌ଅଂଶଗ୍ରହଣ କରିଛନ୍ତି।

ସମ୍ବନ୍ଧିତ ଖବର