ଚେସ୍‌ ଅଲିମ୍ପିଆଡ୍‌ ମଶାଲ୍ ରିଲେର ଶୁଭାରମ୍ଭ କ‌ଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ନୂଆଦିଲ୍ଲୀ: ‌ବିଶ୍ବ ଚେସ୍‌ ଅଧ୍ୟାୟରେ ନୂଆ ଫର୍ଦ ଯୋଡ଼ିଛି ଭାରତ। ଚେସ୍‌ ଅଲିମ୍ପିଆଡ୍‌ ଇତିହାସରେ ପ୍ରଥମ ଥର ପାଇଁ ମଶାଲ୍ ରିଲେ ପରମ୍ପରା ଆରମ୍ଭ କରିଛି ଭାରତ। ଆସନ୍ତା ଜୁଲାଇ ୨୮ରୁ ଅଗଷ୍ଟ ୧୦ ତାରିଖ ପର୍ଯ୍ୟନ୍ତ ଚେନ୍ନାଇ ନିକଟସ୍ଥ ମହାବଳିପୁରମ୍‌ରେ ଖେଳାଯିବାକୁ ଥିବା ମର୍ଯ୍ୟାଦାଜନକ ଚେସ୍‌ ଅଲିମ୍ପିଆଡ୍‌ର ୪୪ତମ ସଂସ୍କରଣ ପାଇଁ ଶନିବାର ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଶାଲ୍ ରିଲେର ଶୁଭାରମ୍ଭ କରିଛନ୍ତି। ଭାରତ ଏବେ ଦେଶ ସ୍ବାଧୀନତାର ୭୫ତମ ବର୍ଷକୁ ଅମୃତ ମହୋତ୍ସବ ରୂପରେ ପାଳନ କରୁଥିବା ବେଳେ ଚେସ୍‌ ଅଲିମ୍ପିଆଡ୍‌ ମଶାଲ ରିଲେ ଦେଶର ୭୫ଟି ସହର ପରିକ୍ରମା କରିବ। ଓଡ଼ିଶାରେ ମଧ୍ୟ ଜୁଲାଇ ତୃତୀୟ ସପ୍ତାହରେ ଭୁବନେଶ୍ବର, କଟକ, ପୁରୀ, କୋଣାର୍କ ପରିକ୍ରମାର ଯୋଜନା ରହିଛି। ଚେସ୍‌ ଅଲିମ୍ପିଆଡ୍‌ର ୯୫ ବର୍ଷ ଇତିହାସରେ କେବେ ମଶାଲ ରିଲେ ପରମ୍ପରା ନଥିଲା। ଏହା କେବଳ ଅଲିମ୍ପିକ୍ସ ପୂର୍ବରୁ ହୋଇଥାଏ। ଭାରତ ଏବେ ଚେସ୍ ଅଲିମ୍ପିଆଡ୍‌ରେ ଏହି ପରମ୍ପରାକୁ ଯୋଡ଼ି ନୂଆ ଅଧ୍ୟାୟ ସଂଯୋଗ କରିଛି। ଚେସ୍‌ ଭାରତର ସୃଷ୍ଟି ହୋଇଥିବାରୁ ଏହିଠାରୁ ନୂଆ ମାଇଲଖୁଣ୍ଟ ପ୍ରତିଷ୍ଠା ହୋଇଛି।

ଅନ୍ତର୍ଜାତୀୟ ଚେସ୍‌ ସଂଘ ‘ଫିଡେ’ ସଭାପତି ଅର୍କଡି ଭୋକୋଭିକ୍‌ ପ୍ରଥମେ ମଶାଲକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପ୍ରଦାନ କରିବା ପରେ ସେ ଏହାକୁ ଦେଶର ଚେସ୍‌ କିଂବଦନ୍ତି ବିଶ୍ବନାଥନ୍ ଆନନ୍ଦଙ୍କୁ ପ୍ରଦାନ କରିଥିଲେ। ଭାରତରୁ ଚେସ୍‌ ତଥା ଚତୁରଙ୍ଗ ଆରମ୍ଭ ହୋଇ ବିଶ୍ବର ବିଭିନ୍ନ ପ୍ରାନ୍ତକୁ ବ୍ୟାପି ଲୋକପ୍ରିୟ ହୋଇଥିଲା। ଭାରତରେ ଚେସ୍‌ ସ୍କୁଲ୍ ପିଲାଙ୍କ ଶିକ୍ଷା ପାଇଁ ବ୍ୟବହୃତ ହେଉଛି। ଭାରତ ମଧ୍ୟ ଏହି ଖେଳରେ ଉଲ୍ଲେଖନୀୟ ଅଗ୍ରଗତି କରିଆସୁଛି। ଭାରତ ମଧ୍ୟ ଏଥର ଚେସ୍‌ ଅଲିମ୍ପିଆଡ୍‌ରେ ଅଧିକ ପଦକ ଜିତି ନୂଆ ଅଧ୍ୟାୟ ସଂଯୋଗ କରିବ ବୋଲି ପ୍ରଧାନମନ୍ତ୍ରୀ ଆଶା ପ୍ରକଟ କରିଥିଲେ। ଚେସ୍‌ ଜୀବନରେ ଅନେକ କିଛି ଶିଖିବାକୁ ଦେଇଥାଏ। ଗୋଟିଏ ଭୁଲ ଗୋଟି ଚାଳନା ହାରିବାର କାରଣ ହୋଇଥିବାରୁ ଏଥିପାଇଁ ପ୍ରଚଣ୍ଡ ଏକାଗ୍ରତାର ଆବଶ୍ୟକତା ଥାଏ। ଖେଳାଳି ମାନେ ଶୂନ ଚାପ ଓ ଉତ୍ତେଜନାରେ ୧୦୦ ପ୍ରତିଶତ ପ୍ରଦର୍ଶନ ଦେବାକୁ ପ୍ରଧାନମନ୍ତ୍ରୀ ଆହ୍ବାନ ଦେଇଥିଲେ। ଏକାଗ୍ରତା ପାଇଁ ଜୀବନରେ ଯୋଗର ପ୍ରମୁଖ ଭୂମିକା ରହିଛି ବୋଲି ମଧ୍ୟ ପ୍ରଧାନମନ୍ତ୍ରୀ ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ଏହାକୁ ଜୀବନରେ ଯୋଡ଼ି ଫାଇଦା ଦେବାକୁ ପରାମର୍ଶ ଦେଇଥିଲେ। ସୂଚନାଯୋଗ୍ୟ, ୩୦ ବର୍ଷ ପରେ ଏସିଆରେ ପ୍ରଥମ ଥର ଚେସ୍‌ ଅଲିମ୍ପିଆଡ୍‌ ହେଉଥିବା ବେଳେ ମୋଟ ୧୮୯ ଦେଶର ଖେଳାଳି ଅଂଶଗ୍ରହଣ କରିବେ।

୧୯୨୭ ମସିହାରୁ ଚେସ୍‌ ଅଲିମ୍ପିଆଡ୍ ଖେଳାଯାଉଥିଲେ ମଧ୍ୟ କେବେ ନିଜ ସୃଷ୍ଟିର ଦେଶ ଭାରତରେ ଖେଳାଯାଇନଥିଲା। ପ୍ରଧାନମନ୍ତ୍ରୀ ମଧ୍ୟ ଗ୍ରାଣ୍ଡମାଷ୍ଟର୍‌ କୋ‌ନେରୁ ହମ୍ପିଙ୍କ ସହ ଚେସ୍‌ ବୋର୍ଡରେ ଗୋଟି ଚାଳନା କରି ମଶାଲ୍ ରିଲେର ଶୁଭାରମ୍ଭ କରିଥିଲେ। ଏହି ଅବସରରେ ଫିଡେ ସଭାପତି ଅର୍କଡି‌ ଭୋକୋଭିକ୍‌ ଭାରତ ସରକାର ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ମଧ୍ୟ କୃତଜ୍ଞତା ଜଣାଇଥିଲେ। ସୂଚନାଯୋଗ୍ୟ, ଚେସ୍‌ ଅଲିମ୍ପିଆଡ୍‌ରେ ଭାରତ ୧୯୫୬ ମସିହାରୁ ଅଂଶଗ୍ରହଣ କରିଆସୁଛି। ଏହି ଉତ୍ସବରେ କ୍ରୀଡ଼ାମନ୍ତ୍ରୀ ଅନୁରାଗ ଠାକୁର, ରାଷ୍ଟ୍ରମନ୍ତ୍ରୀ ନିଶିଥ ପ୍ରମାଣିକ, ଏଆଇସିଏଫ୍‌ ସଭାପତି ଡ. ସଞ୍ଜୟ କପୁର, ସମ୍ପାଦକ ଭରତ ସିଂହ ଚୌହାନଙ୍କ ସହ ବହୁ ଖେଳାଳି, ପ୍ରଶାସକ ଓ ଚେସ୍‌ ପ୍ରେମୀ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର