ବଲାଙ୍ଗୀର ମାଟିରେ ବ୍ରିସବେନ୍ ପିଚ୍‌ର ଗୁଣ

ଭୁବନେଶ୍ବର, (ଦେବାଶିଷ ସୁନ୍ଦରାୟ): ନିକଟରେ ଶେଷ ହୋଇଥିବା ବହୁ ଚର୍ଚିତ ଭାରତ-ଅଷ୍ଟ୍ରେଲିଆ ଟେଷ୍ଟ୍ ଶୃଙ୍ଖଳାରେ ବ୍ୟବହାର କରାଯାଇଥିବା ପିଚ୍‌ଗୁଡ଼ିକୁ ଆଇସିସି ଭୂୟସୀ ପ୍ରଶଂସା କରିଛି। ଏହି ତୀବ୍ର ସଂଘର୍ଷପୂର୍ଣ୍ଣ ଶୃଙ୍ଖଳା ଖେଳାଯାଇଥିବା ଆଡିଲେଡ୍, ସିଡ୍‌ନି, ମେଲ୍‌ବର୍ଣ୍ଣ ଏବଂ ବ୍ରିସବେନ୍ ଷ୍ଟାଡିୟମ୍‌ର ପିଚ୍ ଟେଷ୍ଟ୍ କ୍ରିକେଟ୍ ଲାଗି ଅତ୍ୟନ୍ତ ଉପଯୋଗୀ ଏବଂ ଉଚ୍ଚଗୁଣମାନର ଥିଲା ବୋଲି କହିଛି କ୍ରିକେଟ୍‌ର ଏହି ସର୍ବୋଚ୍ଚ ସଂସ୍ଥା। ଏହି କ୍ଷେତ୍ରରେ ଆଇସିସି ସହ ଅନେକ ପିଚ୍ ବିଶେଷଜ୍ଞ ମଧ୍ୟ ଏକମତ ଅଛନ୍ତି। ବିସିସିଆଇ ପଡ଼ିଆ ଏବଂ ପିଚ୍ ସମିତିର ପୂର୍ବତନ ମୁଖ୍ୟ ଦଲଜିତ ସଂହ କିନ୍ତୁ କ୍ରିକେଟ୍ ଅଷ୍ଟ୍ରେଲିଆ ନିୟମିତ ଭାବେ ଉନ୍ନତ ଟେଷ୍ଟ୍‌ ୱିକେଟ୍ ପ୍ରସ୍ତୁତ କରିବାର ରହସ୍ୟ ଉନ୍ମୋ‌ଚନ କରିଛନ୍ତି। ସେ କହିଛନ୍ତି ଯେ ପିଚ୍‌ର ମାନ ଏହାର ପ୍ରସ୍ତୁତି ଲାଗି ବ୍ୟବହୃତ ମାଟିର ଚରିତ୍ର ଉପରେ ଅନେକାଂଶରେ ନିର୍ଭରଶୀଳ ରହିଥିଏ। ଭଲ ପିଚ୍ ପ୍ରସ୍ତୁତ କରିବା ଲାଗି ଅଷ୍ଟ୍ରେଲିଆରେ ମିଳୁଥିବା ମାଟି ଅତ୍ୟନ୍ତ ଅନୁକୂଳ। ଅଷ୍ଟ୍ରେଲିଆରେ ଥିବା ଟେଷ୍ଟ୍ ୱିକେଟ୍ ଭଳି ୱିକେଟ୍ ପ୍ରସ୍ତୁତ କରିବା ଲାଗି ଦରକାର ହୋଇଥାଏ ସର୍ବୋଚ୍ଚ ଗୁଣବତ୍ତାର କଳା ମାଟି। ଆଉ ଓଡ଼ିଶାର ବଲାଙ୍ଗୀର ଜିଲ୍ଲାରେ ଏଭଳି ମାଟି ବହୁଳ ମାତ୍ରାରେ ମିଳିଥାଏ। ବଲାଙ୍ଗୀର ମାଟିରୁ ବି ବିଶ୍ବସ୍ତରୀୟ ପିଚ୍ ପ୍ରସ୍ତୁତ ହୋଇପାରିବ। ଏଭଳି ମାଟିରେ ସ୍ମେକ୍‌ଟାଇଟ୍ ନାମକ ଏକ ମୃତ୍ତିକା ଖଣିଜ ଥାଏ, ଯାହା ଭଲ ‌ଟେଷ୍ଟ୍ ପିଚ୍ ପ୍ରସ୍ତୁତିରେ ନିର୍ଣ୍ଣାୟକ ସାବ୍ୟସ୍ତ ହୋଇଥାଏ।

ବଲାଙ୍ଗୀରର କଳା ମାଟି ବ୍ୟବହାର କରି ଭାରତରେ ସିଡ୍‌ନି, ମେଲ୍‌ବର୍ଣ୍ଣ ଓ ବ୍ରିସବେନ୍ ଷ୍ଟାଡିୟମ୍ ପିଚ୍ ଭଳି ପିଚ୍ ପ୍ରସ୍ତୁତ କରିହେବ ବୋଲି ଶ୍ରୀ ସିଂହ ଦେଇଥିବା ମନ୍ତବ୍ୟର ଓଡ଼ିଶା ପରିପ୍ରେକ୍ଷୀରେ ଢେର ମହତ୍ବ ରହିଛି। ବାରବାଟୀ ଷ୍ଟାଡିୟମ୍‌କୁ ପୁନଃ ଟେଷ୍ଟ୍ ମାନ୍ୟତା ପ୍ରଦାନ କରିବାକୁ ଓଡ଼ିଶା କ୍ରିକେଟ୍ ସଂଘ ‌ଢେର କିଛି ଦିନ ହେବ ଦାବି ଉପସ୍ଥାପନ କରି ଆସୁଥିଲା ବେଳେ ବଲାଙ୍ଗୀରର କଳା ମାଟିରେ ଅନ୍ତର୍ଜାତୀୟ ମାନର ପିଚ୍ ପ୍ରସ୍ତୁତ ହୋଇପାରିବ ବୋଲି ଦେଶର ଜଣେ ଦକ୍ଷ ତଥା ଅଭିଜ୍ଞ ପିଚ୍ ପ୍ରସ୍ତୁତକାରୀ କହିବା ଏହି କ୍ଷେତ୍ରରେ ନିଶ୍ଚିତ ଭାବେ ଏକ ଶୁଭ ସଂକେତ। ବ୍ୟାବସାୟିକ ଦୃଷ୍ଟିକୋଣରୁ ଏହାର ପ୍ରଚାର ପ୍ରସାର କରାଯିବା ମଧ୍ୟ ଏକ ବହୁତ ଭଲ ପଦକ୍ଷେପ ହୋଇପାରେ।

‘ସ୍ପେକ୍‌ଟାଇଟ୍ ମାତ୍ରା ଅଧିକ ଥିବାରୁ ଉପଯୋଗୀ’
ଏମିତି ବି ନୁହେଁ ଯେ ଓଡ଼ିଶାରେ କଳା ମାଟି ବା କଳା ମୃତ୍ତିକା କେବଳ ବଲାଙ୍ଗୀର ଜିଲ୍ଲାରେ ମିଳେ। ମୃତ୍ତିକା ବିଜ୍ଞାନୀ ଡକ୍ଟର ପ୍ରଦାପ୍ତ ମାଝୀଙ୍କ ଅନୁସାରେ ଓଡ଼ିଶାରେ କଳା ମାଟି ବଲାଙ୍ଗୀର ସହ ଅନଗୁଳ, ବରଗଡ଼, ଦେବଗଡ଼, କଟକ (ଚୌଦ୍ବାର), ଗଞ୍ଜାମ, କଳାହାଣ୍ଡି, ମାଲକାନାଗିରି, ନୂଆପଡ଼ା, ସୋନପୁର, ବୌଦ୍ଧ, ପୁରୀ, ଖୋର୍ଦ୍ଧା (ବାଣପୁର) ଭଳି ଜିଲ୍ଲାର କିଛି କିଛି ବ୍ଲକ୍‌ରେ ବି ମିଳିଥାଏ। ହେଲେ ବଲାଙ୍ଗୀର ଜିଲ୍ଲାର ପ୍ରାୟତଃ ସବୁ ବ୍ଲକ୍‌ରେ ମିଳିଥାଏ। ଅବଶ୍ୟ ପୁଇଁତଳା ଏବଂ ଲୋଇସିଂହା ବ୍ଲକ୍‌ରେ ବହୁଳ ମାତ୍ରାରେ ମିଳୁଥିବା କଳାମାଟିରେ ‘ସ୍କେକ୍‌ଟାଇଟ୍’ର ମାତ୍ରା ଅଧିକ। ଏହା ଅନ୍ୟ ମୃତ୍ତିକାଠାରୁ ଓଜନିଆ ହେବା ସହ ଏହାର ଜଳଧାରଣ ଶକ୍ତି ତୁଳନାତ୍ମକ ଭାବେ ଅଧିକ ହୋଇଥାଏ। ଏହି ମାଟିର ଚରିତ୍ର ଠିକ୍ ସ୍ପଞ୍ଜ୍ ଭଳି ହୋଇଥାଏ। କଳା ମାଟିର ବିନ୍ୟାସରେ କାଦୁଅର ମାତ୍ରା ଅନ୍ୟ ପ୍ରକାର ମାଟିଠାରୁ ୩୦ ପ୍ରତିଶତ ଅଧିକ ଥାଏ। ଅଧିକ କ୍ୟାଲସିୟମ୍‌ ରହିବା ସହ ଫସ୍‌ଫରସ୍, ପୋଟାସିୟମ୍, ଜିଙ୍କ୍ ଏବଂ ବୋରନର ମାତ୍ରା ଅପେକ୍ଷାକୃତ କମ୍ ଥାଏ। ଅନ୍ୟ ଜିଲ୍ଲା ଗୁଡ଼ିକରେ କଳା ମାଟି ମିଳୁଥିଲେ ମଧ୍ୟ ବଳାଙ୍ଗୀରରେ ମିଳୁଥିବା କଳା ମାଟିର ଗୁଣବତ୍ତା ସମ୍ଭବତଃ ସବୁଠୁ ଭଲ। ବିସିସିଆଇ ଲେବଲ-୧ ଅମ୍ପାୟାର, ପୂର୍ବତନ ଜାତୀୟ ରେଫରି ତଥା ବିସିସିଆଇ ସ୍ବୀକୃତିପ୍ରାପ୍ତ କ୍ୟୁରେଟର ବିଭୂ ଶତପଥୀ କହିଛନ୍ତି ଯେ ଓଡ଼ିଶାର ଅନେକ ସ୍ଥାନରେ କ୍ରିକେଟ୍ ପିଚ୍ ପ୍ରସ୍ତୁତ କଲା ଭଳି ମାଟି ଅଛି। ହେଲେ ବଲାଙ୍ଗୀରର କଳା ମାଟିର ନମନୀୟତା ବହୁତ ଭଲ। ଆସାମ, ତ୍ରିପୁରା, ଲକ୍ଷ୍ନୌ ଆଦି ସ୍ଥାନରେ ବଲାଙ୍ଗୀର ମାଟିରେ ହିଁ ପିଚ୍ ପ୍ରସ୍ତୁତ ହୋଇଛି। ଏପରିକି ବାରବାଟୀ ଷ୍ଟାଡିୟମ୍ ପିଚ୍ ପାଇଁ ମଧ୍ୟ ଅନେକ ସମୟରେ ଏହି ମାଟି ବ୍ୟବହାର କରାଯାଇଥାଏ। ସ୍ଥାନୀୟ ଅଞ୍ଚଳର ମାଟିର ପରୀକ୍ଷା କରି ଜାରକାରେ ମୁଁ ଏକ ବହୁତ ଭଲ ପିଚ୍ ନିର୍ମାଣ କରିପାରିଛି। ଅଷ୍ଟ୍ରେଲିଆ ପିଚ୍ ଏବଂ ଭାରତୀୟ ପିଚ୍ ମଧ୍ୟରେ ଅଷ୍ଟ୍ରେଲୀୟ ପିଚ୍ ଅଧିକ ବାଉନ୍ସି ବା ଉଚ୍ଛାଳ ଭରା ହୋଇଥାଏ। ଏହାର କାରଣ ହେଉଛି ସେଠାକାର ମାଟି। ଅଷ୍ଟ୍ରେଲିଆରେ ମିଳୁଥିବା ମାଟି ଏବଂ ଆମ ଦେଶରେ ମିଳୁଥିବା କଳା ମାଟି ଭିତରେ ମୁଖ୍ୟ ପ୍ରଭେଦ ହେଲା ଅଷ୍ଟ୍ରେଲିଆ ମାଟିରେ କାଦୁଅ ପ୍ରତିଶତ ପାଖାପାଖି ୭୦ ରହିଥାଏ। ଯାହାର ମାତ୍ରା ଆମ ଦେଶରେ ମିଳୁଥିବା ମାଟିରେ ଯଥେଷ୍ଟ କମ୍। ହେଲେ ବଲାଙ୍ଗୀରର କଳା ମାଟିରେ କାଦୁଅ ପ୍ରତିଶତ ପାଖାପାଖି ୫୦। ଏଣୁ କ୍ରିକେଟ୍ ପିଚ୍ ପାଇଁ ଏହି ମାଟି ଦେଶରେ ସର୍ବୋତ୍ତମ ବୋଲି ଆମେ କହିପାରିବା। କ୍ରିକେଟ୍ ପ୍ରଶିକ୍ଷକ ମନୋଜ ମହାପାତ୍ର ମଧ୍ୟ ତାଙ୍କ ସହ ଏକମତ ‌ହୋଇଛନ୍ତି। ଆମେ ସ୍ଥାନୀୟ ଅଞ୍ଚଳର ମାଟି ବ୍ୟବହାର କରୁଥିଲେ ମଧ୍ୟ ବଲାଙ୍ଗୀର କଳା ମାଟି ଏଥିଲାଗି ବହୁତ ଭଲ ବୋଲି ସେ କହିଛନ୍ତି।

ଗବେଷଣା ହେଲେ ବ୍ୟାବସାୟିକ ଉତ୍ପାଦନର ସମ୍ଭାବନା
ଭାରତ ଏକ କୃଷି ପ୍ରଧାନ ଦେଶ। କୃଷି ଏବଂ ମୃତ୍ତିକାକୁ ନେଇ ଏଠାରେ ଅନେକ ଗବେଷଣା ହେଉଛି। ହେଲେ କ୍ରୀଡ଼ା କ୍ଷେତ୍ରରେ ଏହି ଗବେଷଣାର ସଫଳ ଉପଯୋଗ ସମ୍ଭବତଃ ଏପର୍ଯ୍ୟନ୍ତ ହୋଇନାହିଁ। ଓଡ଼ିଶା ସଂପ୍ରତି ଦେଶର କ୍ରୀଡ଼ା ରାଜଧାନୀ ପାଲଟି ଥିବାରୁ ଏଠାରେ ଏଥିଲାଗି ଏକ ଗବେଷଣା କେନ୍ଦ୍ର ସ୍ଥାପନ କରାଯାଇପାରେ। କ୍ରୀଡ଼ା କ୍ଷେତ୍ରରେ ମୃତ୍ତିକାର ଉପଯୋଗ ନେଇ ଦକ୍ଷିଣ ଆଫ୍ରିକା ଏବଂ ନ୍ୟୁଜିଲାଣ୍ଡରେ ନିୟମିତ ଗବେଷଣା ହୋଇଥାଏ। ଦୁର୍ଭାଗ୍ୟଜନକ ଭାବେ କ୍ରୀଡ଼ା ମହାଶକ୍ତି ହେବାର ସ୍ବପ୍ନ ଦେଖୁଥିବା ଭାରତରେ ଏହି ଧାରା ଏପର୍ଯ୍ୟନ୍ତ ସମ୍ଭବତଃ ଆରମ୍ଭ ହୋଇନି। ପିଚ୍ ପ୍ରସ୍ତୁତି ଉପରେ ଦଲଜିତ୍ କହିଛନ୍ତି ଯେ ଅଷ୍ଟ୍ରେଲୀୟ ପିଚ୍ ଅନ୍ୟ କୌଣସି ସ୍ଥାନରେ ପ୍ରସ୍ତୁତ କରାଯାଇନପାରେ। ଅଷ୍ଟ୍ରେଲିଆର ମାଟି, ପାଣିପାଗ କ୍ରିକେଟ୍ ପିଚ୍ ପାଇଁ ବହୁତ ଭଲ। ଏକ ଗ୍ରାମ୍‌ ସ୍ମେକ୍‌ଟାଇଟ୍ କାଦୁଅରେ କୋଟି କୋଟି କଣିକା ଥାଏ, ଯାହା ଜଳକୁ ଅଧିକ ସମୟ ଧରି ରଖିଥାଏ। ପିଚ୍ ତ୍ରିସ୍ତରୀୟ ହୋଇଥିବାରୁ ଯେତେବେଳେ ପିଚ୍ ଜଳ ସଂସ୍ପର୍ଶରେ ଆସେ ଏହା ଅଧିକ କଠିନ ଏବଂ ଉଚ୍ଛାଳଭରା ବା ବାଉନ୍ସି ହୋଇଥାଏ। ଏଣୁ ଏହି କ୍ଷେତ୍ରରେ ଅଧିକ ଗବେଷଣା ହେଲେ ଓଡ଼ିଶାରୁ ବାହାର ରାଜ୍ୟ ଏପରିକି ବିଦେଶ କ୍ରିକେଟ୍ ସଂଘ ମଧ୍ୟ ମାଟି ଆମଦାନୀ କରିବାର ସମ୍ଭାବନା ସୃଷ୍ଟି ହୁଅନ୍ତା‌।

ସମ୍ବନ୍ଧିତ ଖବର