ସରିତା ଓ ମଧୁସ୍ମିତାଙ୍କ ଅର୍ଦ୍ଧଶତକରେ ଜିତିଲା ପର୍ପଲ୍‌

ୟେଲୋକୁ ୮ ୱିକେଟ୍‌ରେ ହରାଇଲା ଭାଓଲେଟ୍‌

ଭୁବନେଶ୍ବର : କିଟ୍‌ରେ ଚାଲିଥିବା ଏମ୍‌ଜିଏମ୍‌ ଓଡ଼ିଶା ମହିଳା ଟ୍ବେଣ୍ଟି-୨୦ ଲିଗ୍‌ର ଶୁକ୍ରବାର ଦୁଇଟି ମ୍ୟାଚ୍‌ରେ ଓଡ଼ିଶା ପର୍ପଲ ଏବଂ ଓଡ଼ିଶା ଭାଓଲେଟ୍‌ ଦମ୍‌ଦାର ବିଜୟ ହାସଲ କରିଛନ୍ତି। ପର୍ପଲ ୪୫ ରନ୍‌ରେ ଓଡ଼ିଶା ଗ୍ରିନ୍‌କୁ ଏବଂ ଭାଓଲେଟ୍‌ ୮ ୱିକେଟ୍‌ରେ ଓଡ଼ିଶା ୟେଲୋକୁ ପରାସ୍ତ କରିଛି। ଏଥି ସହିତ ପର୍ପଲ ୬ ମ୍ୟାଚ୍‌ରୁ ପଞ୍ଚମ ବିଜୟ ସହ ପଏଣ୍ଟ୍‌ ତାଲିକାର ଶୀର୍ଷରେ (୨୦)ରେ ସ୍ଥିର ରହିଥିଲା ବେଳେ ସପ୍ତମ ମ୍ୟାଚ୍‌ରୁ ଚତୁର୍ଥ ବିଜୟ ସହ ଭାଓଲେଟ୍‌ (୧୬ ପଏଣ୍ଟ୍‌) ଦ୍ବିତୀୟ ସ୍ଥାନକୁ ଉଠିଛି। ଅନ୍ୟପକ୍ଷରେ ଉଭୟ ଗ୍ରିନ୍‌ ଓ ୟେଲୋ ନିଜ ନିଜର ପଞ୍ଚମ ପରାଜୟ ବରଣ କରିଛନ୍ତି। ଗ୍ରିନ୍‌ ୭ ମ୍ୟାଚ୍‌ ଖେଳିସାରିଥିଲା ବେଳେ ୟେଲୋ ୬ ମ୍ୟାଚ୍‌ ଖେଳିଛି। ଏହି ପ୍ରତିଯୋଗିତାର ଲିଗ୍‌ ପର୍ଯ୍ୟାୟରେ ପ୍ରତ୍ୟେକ ଦଳ ୮ ଲେଖାଏଁ ମ୍ୟାଚ୍‌ ଖେଳିବେ।

ଶୁକ୍ରବାର ମଧୁସ୍ମିତା ବେହେରାଙ୍କ ଅଲ୍‌ରାଉଣ୍ଡ ପ୍ରଦର୍ଶନ ହିଁ ପର୍ପଲ ବିଜୟର ପ୍ରମୁଖ କାରଣ ଥିଲା। ଟସ୍‌ ଜିତି ବ୍ୟାଟିଂ ନେଇଥିବା ପର୍ପଲ ପ୍ରାରମ୍ଭିକ ଯୋଡ଼ି ସରିତା ମେହେର (୭୯*, ୬୧ ବଲ୍‌, ୧୨ ଚୌକା) ଏବଂ ମଧୁସ୍ମିତା (୬୮* ରନ୍‌, ୫୯ ବଲ୍‌, ୧୦ ଚୌକା)ଙ୍କ ଅପରାଜିତ ଅର୍ଦ୍ଧଶତକୀୟ ପାଳି ବଳରେ କୌଣସି ୱିକେଟ୍‌ ନହରାଇ କରିଥିଲା ୧୫୪ ରନ୍। ଜବାବରେ ମଧୁସ୍ମିତାଙ୍କ ୪-୦-୧୮-୩ ବୋଲିଂ ଚିତ୍ର ବଳରେ ପର୍ପଲ ପ୍ରତିପକ୍ଷ ଗ୍ରିନ୍‌କୁ ରୋକିବାକୁ ସମର୍ଥ ହୋଇଥିଲା। ଅଲିସ୍ପା ବିଶ୍ବାଳ (୩୭), ସୁମିତ୍ରା ସାହୁ (୧୯), ରୋସ୍‌ନାରା ପରୱିନ୍‌ (୧୭) ଓ ଅଧିନାୟିକା ପ୍ରଜ୍ଞା ମହାନ୍ତି (୧୫)ଙ୍କ ଦୁଇ ଅଙ୍କ ବିଶିଷ୍ଟ ସ୍କୋର୍‌ ସତ୍ତ୍ବେ ଗ୍ରିନ୍‌ ୬ ୱିକେଟ୍‌ ବିନିମୟରେ ୧୦୯ ରନ୍‌ରେ ସୀମିତ ରହିଯାଇଥିଲା। ମଧୁସ୍ମିତାଙ୍କୁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ମିଳିଥିଲା।

ଅନ୍ୟ ମ୍ୟାଚ୍‌ରେ ଭାଓଲେଟ୍‌ ଟସ୍‌ ଜିତି ପ୍ରଥମେ କ୍ଷେତ୍ରରକ୍ଷଣ କରିଥିଲା। କୁନି ବଦରା (୪-୦-୧୩-୨), ଅଞ୍ଜଳି ସିଂହ (୪-୧-୧୯-୧) ଓ କଳ୍ପନା ନାୟକ (୪-୦-୧୦-୧)ଙ୍କ ଚମତ୍କାର ବୋଲିଂ ନିକଟରେ ତିଷ୍ଠିନପାରି ୟେଲୋ ୭ ୱିକେଟ୍‌ ବିନିମୟରେ ମାତ୍ର ୭୮ ରନ୍‌ କରିପାରିଥିଲା। ସସ୍ମିତା ମହାଲିକ (୨୪), ପ୍ରିୟଙ୍କା ସାହୁ (୧୬) ଓ ସଂଗୀତା ଖାଡ଼ିଆ (୧୦) କେବଳ ଦୁଇ ଅଙ୍କ ଛୁଇଁଥିଲେ। ଜବାବରେ ଅଦ୍ବିତୀ ଦେଓ’ଙ୍କ ଅପରାଜିତ ୩୩ ଓ ସୁଶ୍ରୀ ଦିବ୍ୟଦର୍ଶିନୀଙ୍କ ଅପରାଜିତ ୧୫ ସାଙ୍ଗକୁ ଅଞ୍ଜଳି ସିଂହଙ୍କ ୨୬ ରନ୍‌ ବଳରେ ଭାଓଲେଟ୍‌ ୧୫.୪ ଓଭରରେ ମାତ୍ର ୨ ୱିକେଟ୍‌ ହରାଇ ୮୨ ରନ୍‌ ସହ ମ୍ୟାଚ୍‌ ଜିତି ନେଇଥିଲା। କୁନି ବଦରାଙ୍କୁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ମିଳିଥିଲା।

ସମ୍ବନ୍ଧିତ ଖବର