କେନ୍ଦ୍ରୀୟ ଚୁକ୍ତିରୁ ବଞ୍ଚିତ ହେବେ ପୂଜାରା ଓ ରହାଣେ! ଶ୍ରୀଲଙ୍କା ଶୃଙ୍ଖଳାରୁ ମଧ୍ୟ ବାଦ ପଡ଼ିବା ଆଶଙ୍କା

ଘରୋଇ କ୍ରିକେଟ୍‌ ଖେଳି ପ୍ରମାଣିତ କଲେ ଦଳକୁ ଫେରିପାରନ୍ତି

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକା ଗସ୍ତରେ ତିନିଟି ଟେଷ୍ଟ୍‌ରେ ସୁଯୋଗ ପାଇଥିବା ଦୁଇ ଅଭିଜ୍ଞ ବ୍ୟାଟର୍‌ ଚେତେଶ୍ବର ପୂଜାରା ଏବଂ ଆଜିଙ୍କ୍ୟ ରହାଣେ ପୂରା ବିଫଳ ହୋଇଥିଲେ। ସେମାନେ କେବଳ ପ୍ରଶଂସକଙ୍କୁ ନୁହେଁ ଚୟନକର୍ତ୍ତାଙ୍କୁ ମଧ୍ୟ ନିରାଶ କରିଛନ୍ତି। ପ୍ରଥମ ଟେଷ୍ଟ୍‌ରୁ ବିଫଳ ହେବା ସତ୍ତ୍ବେ ତାଙ୍କ ଉପରେ ଆସ୍ଥା ପ୍ରକଟ କରିଥିଲେ ଦଳର ମୁଖ୍ୟ ପ୍ରଶିକ୍ଷକ ରାହୁଲ ଦ୍ରାବିଡ୍‌। ଫଳରେ ଶ୍ରେୟସ ଆୟର ଏବଂ ହନୁମା ବିହାରୀଙ୍କ ଭଳି ଉଦୀୟମାନ ତାରକାଙ୍କୁ ସୁଯୋଗ ଅପେକ୍ଷାରେ ରହିବାକୁ ବାଧ୍ୟ କରିଥିଲେ। ଅବଶ୍ୟ ଅଧିନାୟକ ବିରାଟ କୋହଲି ଦ୍ବିତୀୟ ଟେଷ୍ଟ୍‌ରୁ ଓହରିଯାଇଥିବାରୁ ବିହାରୀଙ୍କୁ ମିଳିଥିଲା ସୁଯୋଗ। ସେ ମଧ୍ୟ ଭାରତର ପରାଜୟ ସତ୍ତ୍ବେ ଦ୍ବିତୀୟ ପାଳିରେ ଅପରାଜିତ ୪୦ ରନ୍‌ କରି ସୁଯୋଗର ସଦୁପଯୋଗ କରିଥିଲେ। କିନ୍ତୁ କୋହଲିଙ୍କ ପ୍ରତ୍ୟାବର୍ତ୍ତନ ପରେ ବିହାରୀ ଚୂଡାନ୍ତ ଏକାଦଶରୁ ବଞ୍ଚିତ ହୋଇଥିଲେ। ମାତ୍ର ପୂଜାରା ଓ ରାହାଣେ ତିନିଟିଯାକ ଟେ‌ଷ୍ଟ୍‌ରେ ସୁଯୋଗ ପାଇବା ସତ୍ତ୍ବେ ଦଳ ପାଇଁ ବିପଦ ସାଜିଥିଲେ। ତିନି ଟେଷ୍ଟ୍‌ରୁ ୬ ଲେଖାଏ ପାଳି ଖେଳିଥିବା ପୂଜାରା ୨୦.୬୬ ହାରରେ ମୋଟ ୧୨୪ ରନ୍‌ କରିଥିଲା ବେଳେ ରହାଣେ ୨୨.୬୬ ହାରରେ ୧୩୬ ରନ୍‌ କରିଥିଲେ।

ଏଭଳି ପ୍ରଦର୍ଶନ ପାଇଁ ଭାରତ ଚିନ୍ତିତ ଥିଲା ବେଳେ ସାମାଜିକ ଗଣମାଧ୍ୟମରେ ଉଭୟଙ୍କୁ କଟୁ ସମାଲୋଚନାର ଶିକାର ହେବାକୁ ପଡ଼ିଛି। ଏପରିକି ଉଭୟ ନିଜ ନିଜର ଶେଷ ମ୍ୟାଚ୍‌ ଖେଳିଲେ ବୋଲି ଚର୍ଚ୍ଚା ଜୋର୍‌ ଧରିଛି। ଦକ୍ଷିଣ ଆଫ୍ରିକାରେ ପୂଜାରା ଓ ରାହାଣେ ସେମାନଙ୍କ କ୍ୟାରିୟର ଶେଷ କରିଛନ୍ତି ବୋଲି ଆଲୋଚନା ହେଉଥିଲା ବେଳେ ଆଗାମୀ ଘରୋଇ ଶୃଙ୍ଖଳା ପାଇଁ ଦଳ ବାଛିଲା ବେଳେ ଚେତନ ଶର୍ମାଙ୍କ ଚୟନସମିତିକୁ ଦୁଇ ଥର ଚିନ୍ତା କରିବାକୁ ପଡ଼ିବ। ଫେବ୍ରୁଆରିରେ ଭାରତ ଘରୋଇ ମାଟିରେ ଶ୍ରୀଲଙ୍କା ସହ ଦୁଇ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ୍‌ ଶୃଙ୍ଖଳା ଖେଳିବ। ସେତେବେଳେ ଚୂଡାନ୍ତ ଏକାଦଶରେ ଶ୍ରେୟସ ଓ ବିହାରୀଙ୍କ ବ୍ୟତୀତ ଶୁଭମନ୍‌ ଗିଲ୍‌ଙ୍କ ପାଇଁ ନିଶ୍ଚିତ ସୁଯୋଗ ରହିବାର ଆଶା ରହିଛି। ତେଣୁ ଉଭୟ ପୂଜାରା ଓ ରହାଣେ ଶ୍ରୀଲଙ୍କା ଶୃଙ୍ଖଳାରୁ ବଞ୍ଚିତ ହେବା ଆଶଙ୍କା ସୃଷ୍ଟି ହୋଇଛି। ଏପରିକି ବିସିସିଆଇର କେନ୍ଦ୍ରୀୟ ଚୁକ୍ତିରୁ ପୂରା ବାଦ୍‌ କିମ୍ବା ଗ୍ରେଡ୍‌ରେ ଅବନତି ଘଟିବାର ଆଶଙ୍କା ବଢ଼ିବଢ଼ି ଚାଲିଛି। ଏଭଳି ଆଶଙ୍କା କରିଛନ୍ତି ବିସିସିଆଇଣ ପୂର୍ବତନ ଚୟନକର୍ତା ସବା କରିମ। ଉଭୟେ ଗ୍ରେଡ୍‌-ଏ’ରେ ସ୍ଥାନ ବଜାୟ ରଖିବା ସମ୍ଭାବନା କମ୍‌ ବୋଲି କରିମ ବିଶ୍ବାସ କରିଛନ୍ତି। ତେବେ ସେମାନଙ୍କ ଭାଗ୍ୟ ନେଇ ମନୋନୟନ ସମିତି ଖୁବ୍‌ ଶୀଘ୍ର ମୁଖ୍ୟ ପ୍ରଶିକ୍ଷକ ରାହୁଲ ଦ୍ରାବିଡ୍‌ଙ୍କ ସହ ଆଲୋଚନା କରିବ ବୋଲି ପ୍ରସ୍ତୁତ ହୋଇଛି। ଉଭୟଙ୍କୁ ଭାରତୀୟ ଟେଷ୍ଟ୍‌ ଦଳରୁ ପୂରା ବାଦ୍‌ ପକାଇବାକୁ କିମ୍ବା ସେମାନଙ୍କ ପାଇଁ ଦ୍ବାର ସବୁବେଳ ପାଇଁ ବନ୍ଦ କରିଦେବାକୁ ହୁଏତ ମନୋନୟନ ସମିତି ଚାହୁଁନାହିଁ। ସେଥିପାଇଁ ସେମାନଙ୍କୁ ଘରୋଇ ପ୍ରତିଯୋଗିତା ଖେଳି ସାମର୍ଥ୍ୟ ପ୍ରମାଣିତ କରିବାକୁ ପଡ଼ିବ ବୋଲି ପରାମର୍ଶ ଦିଆଯିବ। ଯଦି ଘରୋଇ ପ୍ରତିଯୋଗିତାରେ ଫର୍ମ ଫେରିପାଆନ୍ତି ତାହାଲେ ଭାରତୀୟ ଦଳକୁ ଫେରିବାର ବାଟ ଖୋଲା ରହିବ ବୋଲି କୁହାଯାଇଛି।

ଏଠାରେ ସୂଚନାଯୋଗ୍ୟ, ଗତ ୧୨ ମାସ ମଧ୍ୟରେ ପୂଜାରା ୧୪ ମ୍ୟାଚ୍‌ ଖେଳିଥିଲା ବେଳେ ୨୪.୦୮ ହାରରେ ରନ୍‌ କରିଛନ୍ତି। ଏପରିକି ୨୦୧୯ ଜାନୁଆରିରୁ ତାଙ୍କ ଖାତାରେ ଗୋଟିଏ ହେଲେ ଶତକ ଯୋଡ଼ି ହୋଇନାହିଁ। ସେହିପରି ରାହାଣେ ୧୨ ମାସରେ ୧୩ ମ୍ୟାଚ୍‌ ଖେଳିଥିଲା ବେଳେ ତାଙ୍କ ହାରାହାରି ରହିଛି ୨୦.୦୦। ସେଥିରେ ସେ ମାତ୍ର ୩ଟି ଅର୍ଦ୍ଧଶତକ ହାସଲ କରିପାରିଥିଲା ବେଳେ ୧୦ ଥର ଏକ ଅଙ୍କ ବିଶିଷ୍ଟ ସ୍କୋର୍‌ ଟପିପାରିନାହାନ୍ତି।

ସମ୍ବନ୍ଧିତ ଖବର