ପୂଜାରାଙ୍କ ଲଢ଼ୁଆ ଶତକ: ଭାରତ ୨୭ ରନ୍‌ରେ ଆଗୁଆ

ପୂଜାରା ଶତକ ନମ୍ବର-୧୫ ଇଂଲଣ୍ଡ ବିପକ୍ଷରେ ୪ର୍ଥ, ଇଂଲଣ୍ଡରେ ପ୍ରଥମ

ସାଉଥାମ୍ପଟନ୍‌: ଇଂଲଣ୍ଡ ଭଳି ଭାରତର ପାଳି ମଧ୍ୟ ସମାନ ଢଙ୍ଗରେ ଚାଲିଲା। କିନ୍ତୁ ଚେତେଶ୍ୱର ପୂଜାରାଙ୍କ ପ୍ରଥମ ଇଂଲିସ୍‌ ଶତକ ବଳରେ ଭାରତ ସମ୍ମାନ ରହିଗଲା। ପୂଜାରାଙ୍କ ୧୩୨* ରନ୍‌ ବଳରେ ଭାରତ ପ୍ରଥମ ପାଳିରେ ଘରୋଇ ଦଳକୁ ମଧ୍ୟ ୨୭ ରନ୍‌ରେ ପଛରେ ପକାଇବାରେ ସକ୍ଷମ ହୋଇଛି। ଭାରତର ପ୍ରଥମ ପାଳି ୨୭୩ ରନ୍‌ରେ ଶେଷ ହୋଇଯାଇଥିଲା। ଦ୍ୱିତୀୟ ଦିନ ଶେଷ ସୁଦ୍ଧା ଇଂଲଣ୍ଡ କୌଣସି ଓ୍ଵିକେଟ୍‌ ନ ହରାଇ ୪ ଓଭରରେ ୬ ରନ୍‌ କରିଛି। ଶୁକ୍ରବାର ଭାରତ ୧୯/୦ରୁ ଖେଳିଥିଲେ ମଧ୍ୟ ପ୍ରାରମ୍ଭିକ ଯୋଡ଼ି ଶିଖର ଧାଓ୍ଵନ ଏବଂ ଲୋକେଶ ରାହୁଲ ଭଲ ଆରମ୍ଭ ପାଇଥିଲେ। ହେଲେ ଆଗକୁ ବଢ଼ି ପାରିନଥିଲେ। ଉଭୟଙ୍କୁ ଷ୍ଟୁଆର୍ଟ ବ୍ରଡ୍‌ ଆଉଟ୍‌ କରିଦେବାରୁ ଭାରତ ହଠାତ୍‌ ୫୦ ରନ୍‌ରେ ପ୍ରାରମ୍ଭିକ ଯୋଡ଼ିଙ୍କୁ ହରାଇଥିଲା। ରାହୁଲ (୧୯, ୨୪ ବଲ୍‌, ୨ ଚୌକା)ଙ୍କୁ ଷ୍ଟୁଆର୍ଟ ବ୍ରଡ୍‌ ଲେଗ୍‌ ବିଫୋର୍‌ କରିବା ପରେ ଧାଓ୍ଵନ (୨୩, ୫୩ ବଲ୍‌, ୩ ଚୌକା)ଙ୍କୁ କଟ୍‌ ବିହାଇଣ୍ଡ୍‌ କରାଇ ନେଇଥିଲେ। ଏହି ସମୟରେ ଭାରତୀୟ ଦଳର ପ୍ରାଚୀର ଚେତେଶ୍ୱର ପୂଜାରାଙ୍କ ସହିତ ଯୋଡ଼ି ହୋଇଥିବା ଅଧିନାୟକ ବିରାଟ କୋହଲି ପାଳି ଗଢ଼ିବା କାମରେ ଲାଗି ପଡ଼ିଥିଲେ। ଉଭୟ ମଧ୍ୟାହ୍ନ ଭୋଜନ (୧୦୦/୨) ସୁଦ୍ଧା ଆଉ କୌଣସି କ୍ଷତି ପହଞ୍ଚାଇ ନଥିଲେ। ସାମ୍‌ କରନ୍‌ କିନ୍ତୁ କୋହଲି (୪୬, ୭୧ ବଲ୍‌, ୬ ଚୌକା)ଙ୍କୁ ସ୍ଲିପ୍‌ରେ କୁକ୍‌ଙ୍କ ହାତରେ କ୍ୟାଚ୍‌ କରାଇ ୯୨ ରନ୍‌ର ଏହି ଭାଗୀଦାରିକୁ ଭାଙ୍ଗି ଦେଇଥିଲେ। ୨ ଓ୍ଵିକେଟ୍‌ରେ ୧୪୨ ରନ୍‌ କରିଥିବା ଭାରତ କିନ୍ତୁ ଏହା ପରେ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ୧୯୫/୮ରେ ପହଞ୍ଚିଯାଇଥିଲା। ଅଜିଙ୍କ୍ୟ ରାହାଣେ (୧୧), ଋଷବ ପନ୍ତ୍‌ (୦), ହାର୍ଦିକ ପାଣ୍ଡ୍ୟା (୪), ଆର୍‌ ଅଶ୍ୱିନ୍‌ (୧), ମହମ୍ମଦ ସାମି (୦) ଧାଡ଼ି ବାନ୍ଧିଥିଲେ। ଦଳକୁ ଫେରିଥିବା ମୋଇନ୍‌ ଅଲୀ ବ୍ୟାଟିଂ ପରେ ମଧ୍ୟ ବୋଲିଂରେ ପ୍ରଭାବୀ ରହିଥିଲେ। ନିଜ ଖେଳ ଜୀବନର ପଞ୍ଚମ ପାଞ୍ଚ ଓ୍ଵିକେଟ୍‌ ସଫଳତା ପାଇଥିଲେ।

ଅନ୍ୟପକ୍ଷରେ ପୂଜାରା ଶୁକ୍ରବାର ନିଜର ୧୫ତମ ଟେଷ୍ଟ୍‍ ଶତକ ଅର୍ଜନ କରିଥିଲେ ପ୍ରତିକୂଳ ପରିସ୍ଥିତି ଭିତରେ। ଇଂଲଣ୍ଡ ବିପକ୍ଷରେ ଏହା ତାଙ୍କ ଚତୁର୍ଥ ଏବଂ ଇଂଲଣ୍ଡରେ ପ୍ରଥମ ଶତକ। ଭାରତ ନବମ ଓ୍ଵିକେଟ୍‌ ହରାଇବା ବେଳକୁ ପୂଜାରା ବ୍ୟକ୍ତିଗତ ଭାବେ ୯୬ ରନ୍‌ରେ ଥିଲେ। ଈଶାନ୍ତ ଶର୍ମା (୧୪, ୨୭ ବଲ୍‌)ଙ୍କ ସହ ୩୨ ରନ୍‌ ଯୋଡ଼ିବା ପରେ ଯଶପ୍ରୀତ୍‌ ବୁମରା (୬ ରନ୍‌, ୨୪ ବଲ୍‌, ୭୦ ମିନିଟ୍‌)ଙ୍କ ସହ ଶେଷ ଓ୍ଵିକେଟ୍‌ ପାଇଁ ୪୬ ରନ୍‌ ଯୋଡ଼ିଥିଲେ। ଫଳରେ ଭାରର ଅଗ୍ରଣୀ ନେଇଥିଲା। ପୂଜାରା (୧୩୨*, ୨୫୭ ବଲ୍‌, ୧୬ ଚୌକା) ଶେଷ ପର୍ଯ୍ୟନ୍ତ ଅପରାଜିତ ରହିଥିଲେ। ଅନ୍ୟପକ୍ଷରେ ଋଷବ ପନ୍ତ ୨୯ ବଲ୍‌ ଖେଳି ଶୂନରେ ଆଉଟ୍‌ ହେବା ଭାରତ ପାଇଁ  ଦୀର୍ଘତମ ଡକ୍‌ର ଅଲୋଡ଼ା କୀର୍ତିମାନ ଆଣିଥିଲା। ନିଜ ପାଳି ଅବସରରେ କୋହଲି ନିଜର ୬୦୦୦ ଟେଷ୍ଟ୍‍ ରନ୍‌ ପୂରଣ କରିଥିଲେ।

ସମ୍ବନ୍ଧିତ ଖବର