୫୦ଗ୍ରାମ୍‌ ବ୍ରାଉନ୍‌ ସୁଗାର ଜବତ, ୨ ଗିରଫ

ଖଣ୍ଡଗିରି: ଶୁକ୍ରବାର ଅପରାହ୍‌ଣରେ ଖଣ୍ଡଗିରି ଥାନା ପୁଲିସ ହାବୁଡ଼ରେ ପଡ଼ିଛନ୍ତି ୨ ବ୍ରାଉନ୍‌ ସୁଗାର ବେପାରୀ। ସେମାନେ ହେଲେ ବାଲେଶ୍ୱର ଖନ୍ତାପଡ଼ା ଥାନା ଖଡ଼ୁପାଇର ରାଜକୁମାର ଗିରି(୨୩) ଓ ବାଲେଶ୍ୱର ପୁରୁଣାବଜାରର ଜ୍ୟୋତିର୍ମୟ ପଣ୍ଡା(୨୫)। ପୁଲିସ ସେମାନଙ୍କଠାରୁ ୫୦ ଗ୍ରାମ୍‌ ଓଜନ(ଆନୁମାନିକ ୨ଲକ୍ଷ ଟଙ୍କା)ର ବ୍ରାଉନ୍‌ ସୁଗାର ଓ ଗୋଟିଏ ପଲ୍‌ସର ବାଇକ୍‌(ଓଡି-୦୧ଟି-୯୭୯୪)ଜବତ କରିଛି। ସେମାନଙ୍କୁ ଥାନାରେ ଅଟକ ରଖି ଅଧିକ ତଦନ୍ତ ଜାରି ରହିଛି ଓ ଶନିବାର ସେମାନଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ପୁଲିସ ସୂଚନା ଦେଇଛି। ଅଭିଯୁକ୍ତ ଦ୍ୱୟ ଅପରାହ୍‌ଣ ପ୍ରାୟ ୪ଟାବେଳେ ବରମୁଣ୍ଡା ପେଟ୍ରୋଲ୍‌ ପମ୍ପ ନିକଟରେ ପହଞ୍ଚିଥିବା ଖବର ପାଇ ଖଣ୍ଡଗିରି ଥାନା ପୁଲିସ ସେଠାରେ ଚଢ଼ଉ କରିଥିଲା। ଧରାପଡ଼ିବା ପରେ ସେମାନେ ନୂଆ କରି ଭୁବନେଶ୍ୱରକୁ ମାଲ୍‌ ଧରି ଆସିଥିବା କହିଥିଲେ। ବରମୁଣ୍ଡା ଅଞ୍ଚଳର ଜଣେ ବେପାରୀ ନିକଟରେ ମାଲ୍‌ ପହଞ୍ଚାଇବା ପାଇଁ ସେମାନେ ଆସିଥିଲେ ବୋଲି କହିଥିବା ଜଣାପଡ଼ିଛି। ଜ୍ୟୋତିର୍ମୟ ପୂର୍ବରୁ ଏହି ଚୋରା ଚାଲାଣରେ ସମ୍ପୃକ୍ତ ଥିବାବେଳେ ନୂଆ କରି ରାଜକୁମାର ସାମିଲ୍‌ ହୋଇଥିବା ଜଣାପଡ଼ିଛି। ଏହି ଦୁଇ ଜଣ କେବଳ ମାଲ୍‌ ଚାଲାଣକାରୀ ବୋଲି ପୁଲିସ ଜାଣିବାକୁ ପାଇଛି। ସେମାନେ ବାଲେଶ୍ୱରର ବଡ଼ ବଡ଼ ବେପାରୀଙ୍କଠାରୁ ମାଲ୍‌ ଆଣି ରାଜଧାନୀର ବେପାରୀମାନଙ୍କ ପାଖରେ ପହଞ୍ଚାଉଥିଲେ। ଏହି ର‍୍ୟାକେଟ୍‌ର ଚେର ପାଇବା ପାଇଁ ପୁଲିସ ଖୋଳତାଡ୍‌ ଆରମ୍ଭ କରିଛି। ତେଣୁ ବରମୁଣ୍ଡା ଅଞ୍ଚଳରେ ଏହି କାରବାରରେ ଲିପ୍ତ ଥିବା ବେପାରୀମାନଙ୍କ ବାବଦରେ ବଡ଼ ସୁରାକ୍‌ ମିଳିବ ବୋଲି ଖଣ୍ଡଗିରି ଥାନା ପୁଲିସ ଆଶାବାଦୀ ଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର