ଓଏମ୍‌ସିରେ ଯୋଗଦେଲେ ପୂର୍ଣ୍ଣିମା: ‘ଅଲିମ୍ପିକ୍ସ ପ୍ରସ୍ତୁତିରେ ମନୋନିବେଶ କରିପାରିବି’

ଭୁବନେଶ୍ବର: ଦୀର୍ଘ ଲଢ଼େଇ ପରେ ହେପ୍ଟାଥଲନ ତାରକା ପୂର୍ଣ୍ଣିମା ହେମ୍ବ୍ରମଙ୍କୁ ନ୍ୟାୟ ମିଳିଛି। ଯୋଗ୍ୟତା ମୁତାବକ କର୍ମ ସଂସ୍ଥାନ ଯୋଗାଇ ଦେବାକୁ ଢେର କିଛି ଦିନ ‌ହେଲା ସେ ଦାବି କରି ଆସୁଥିଲା ବେଳେ ରାଜ୍ୟ ସରକାର ଶେଷରେ ତାଙ୍କ କଥା ଶୁଣିଛନ୍ତି। ଚଳିତ ମାସ ୫ ତାରିଖରେ ପୂର୍ଣ୍ଣିମା ଓଡ଼ିଶା ମାଇନିଂ କର୍ପୋରେସନ୍ (ଓଏମ୍‌ସି)ରେ ସହକାରୀ ପ୍ରବନ୍ଧକ ଭାବେ ଯୋଗ ଦେଇଛନ୍ତି। ୨୦୧୫ ଏସୀୟ ଦୌଡ଼କୁଦ ପ୍ରତିଯୋଗିତା ସହ ୨୦୧୭ ଭୁବନେଶ୍ବର ଏସୀୟ ଦୌଡ଼କୁଦ ପ୍ରତିଯୋଗିତାରେ ପଦକ ଜିତିବା ସତ୍ତ୍ବେ ପୂର୍ଣ୍ଣିମାଙ୍କୁ ଓଡ଼ିଶା ସରକାର ସ୍ଥାୟୀ ନିଯୁକ୍ତି ଦେଇନଥିଲେ। ଫଳରେ ସେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଥିଲେ। ଅଭ୍ୟାସରେ ମନୋନିବେଶ କରି ପାରୁନଥିଲେ।

ସେହିଭଳି ଆର୍ଥିକ ସମସ୍ୟା ମଧ୍ୟ ଲାଗି ରହୁଥିଲା। ଏପରିକି ଖେଳ ଛାଡ଼ିବା କଥା ବି ସେ ଏକଦା ଚିନ୍ତା କରିଥିଲେ। ଏଥିନେଇ ୨୦୧୯ ଅଗଷ୍ଟ ୧୩ ତାରିଖରେ ‘ସମ୍ବାଦ’ରେ ‘ପୂର୍ଣ୍ଣିମା ବେଳକୁ ବେଫିକର’ ଶୀର୍ଷକ ଏକ ଖବର ପ୍ରଥମ ପୃଷ୍ଠାରେ ଖବର ପ୍ରକାଶ ପାଇଥିଲା। ‘ସମ୍ବାଦ’ ଖବର ପ୍ରଭାବ ଅନୁସାରେ ପୂର୍ଣ୍ଣିମାଙ୍କୁ ମନ ମୁତାବକ କର୍ମସଂସ୍ଥାନ ମିଳିଛି। ଦୌଡ଼ରାଣୀ ଦୂତି ଚାନ୍ଦଙ୍କ ଭଳି ତାଙ୍କୁ ମଧ୍ୟ ଓଏମସି ଚାକିରି ଦେଇଛି। ଏହା ପୂର୍ବରୁ ପୂର୍ଣ୍ଣିମା ରେଳବାଇ‌ରେ ନିଯୁକ୍ତି ପାଇଥିଲେ। ତେବେ ଦରମା କମ୍ ଥିବାରୁ ନିଜ ଡାଏଟ୍, ପ୍ରଶିକ୍ଷଣ ତଥା ଉପକରଣ କିଣିବାରେ ସେସବୁ ଖର୍ଚ ହୋଇଯାଉଥିଲା। ଓଏମସିରେ ଯୋଗ ଦେବା ପରେ ଏହି ସମସ୍ୟା ଦୂର ହୋଇପାରିବ ବୋଲି ପୂର୍ଣ୍ଣିମା ଆଶା ପ୍ରକାଶ କରିଛନ୍ତି। ଏଥିଲାଗି ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଓଏମସି ପରିଚାଳନା ନିର୍ଦ୍ଦେଶକ ଆର ଭିନିଲକ୍ରିଷ୍ଣାଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି। ଓଡ଼ିଶା ଓ ସର୍ବୋପରି ଭାରତର ସେବା କରିବାର ସୁଯୋଗ ଦେଇଥିବାରୁ ନିଜ କୃତଜ୍ଞତା ଜାହିର କରିଛନ୍ତି। ‌ସେହିଭଳି ସହଯୋଗ ଓ ସମର୍ଥନ ପାଇଁ କିଟ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି।

ସମ୍ବନ୍ଧିତ ଖବର