ପୁଷ୍ପଲତା ଗରାବଡୁ ସ୍ମାରକୀ ମାଷ୍ଟର୍ସ କି୍ରିକେଟ୍‌ ୮ରୁ

ଭୁବନେଶ୍ୱର: ପୁରୁଣା ଭୁବନେଶ୍ୱରସ୍ଥିତ ଟାଉନ୍‌ କ୍ଲବ୍‌ ଆନୁକୂଲ୍ୟରେ ଲଗାତାର ତୃତୀୟ ବର୍ଷ ପାଇଁ ପୁଷ୍ପଲତା ଗରାବଡୁ ସ୍ମାରକୀ ମାଷ୍ଟର୍ସ ଟେ୍ଵଣ୍ଟି-୨୦ କ୍ରିକେଟ୍‌ ପ୍ରତିଯୋଗିତା ଆୟୋଜିତ ହେବାକୁ ଯାଉଛି। ତୃତୀୟ ସଂସ୍କରଣ ଡିସେମ୍ବର ୮ରୁ ଆରମ୍ଭ ହେବ। ଟର୍ଫ ଓ୍ଵିକେଟ୍‌ରେ ଖେଳାଯିବାକୁ ଥିବା ଏହି ପ୍ରତିଯୋଗିତା ଡିସେମ୍ବର ୧୭ ତାରିଖ ପର୍ଯ୍ୟନ୍ତ ଚାଲିବ। ଏଥିରେ ଭୁବନେଶ୍ୱର, କଟକ ଓ ପୁରୀର ବଛାବଛା ୯ ଦଳ ଭାଗ ନେବେ। ଗତ ଦୁଇଟି ସଂସ୍କରଣ ୬ ଦଳୀୟ ବିଶିଷ୍ଟ ଥିଲା ବେଳେ ଏଥର ନୂଆ ୩ ଦଳ ସାମିଲ ହୋଇଛନ୍ତି। ଭୁବନେଶ୍ୱରର ସ୍କାନ୍‌ ସ୍ପୋର୍ଟିଂ, କଟକର ଜୁଭେନାଇଲ୍‌ ଓ ଜଟଣୀର ଜଟଣୀ ଷ୍ଟଡ୍‌ ଦଳ ଏଥର ଏହି ପ୍ରତିଯୋଗିତାରେ ଖେଳିବେ। ଫଳରେ ଭୁବନେଶ୍ୱରରୁ ୫, କଟକରୁ ୨ ଏବଂ ପୁରୀ ଓ ଜଟଣୀରୁ ଗୋଟିଏ ଲେଖାଏଁ ଦଳ ପ୍ରତିଦ୍ୱନ୍ଦ୍ୱିତାରେ ଅବତୀର୍ଣ୍ଣ ହେବେ। ଏହି ଦଳଗୁଡ଼ିକୁ ଦୁଇଟି ଗ୍ରୁପ୍‌ରେ ଭାଗ କରାଯାଇଛି। ଗ୍ରୁପ୍‌ ପର୍ଯ୍ୟାୟ ୮ରୁ ୧୩ ତାରିଖ ପର୍ଯ୍ୟନ୍ତ ଖେଳାଯିବା ପରେ ୧୪ ଓ ୧୫ରେ ସେମିଫାଇନାଲ୍‌ ଏବଂ ୧୭ରେ ଫାଇନାଲ୍‌ ମ୍ୟାଚ୍‌ ସହ ପ୍ରତିଯୋଗିତା ଉଦ୍‌ଯାପିତ ହେବ। ଏଥିରେ ବିଗତ ୩ ବର୍ଷ ଧରି କ୍ରିକେଟ୍‌ ଖେଳ ସହ ସକ୍ରିୟ ନ ଥିବା ୩୫ ବର୍ଷରୁ ଅଧିକ ବୟସର ଖେଳାଳି ଭାଗ ନେଇପାରିବେ। ଗତଥର ଭଳି ଏଥର ମଧ୍ୟ ରଙ୍ଗୀନ ପୋଷାକ ଓ ଧଳା ବଲ୍‌ର ବ୍ୟବହାର କରାଯିବ ବୋଲି ଟାଉନ୍‌ କ୍ଲବ୍‌ କ୍ରୀଡ଼ା ସଂପାଦକ ମନୋଜ ମହାପାତ୍ର ଗୁରୁବାର ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ବିଜେତା ଦଳକୁ ୧୫,୦୦୦ ଏବଂ ଉପବିଜେତା ଦଳକ୍‌ୁ ୧୧,୦୦୦ ଟଙ୍କା ସହ ଟ୍ରଫି ପ୍ରଦାନ କରାଯିବ। ଏହା ବ୍ୟତୀତ ମ୍ୟାନ୍‌ ଅଫ୍‌ ଦି ମ୍ୟାଚ୍‌, ମ୍ୟାନ୍‌ ଅଫ୍‌ ଦି ସିରିଜ୍‌, ଶ୍ରେଷ୍ଠ ବ୍ୟାଟ୍‌ସମ୍ୟାନ୍‌, ଶ୍ରେଷ୍ଠ ବୋଲର ଓ ଶ୍ରେଷ୍ଠ କ୍ଷେତ୍ରରକ୍ଷକ ସାଙ୍ଗକୂ ଅନ୍ୟାନ୍ୟ ଆକର୍ଷଣୀୟ ବ୍ୟକ୍ତିଗତ ପୁରସ୍କାରର ବ୍ୟବସ୍ଥା ରହିଛି। କ୍ରିକେଟ୍‌ ସହ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ଜଡ଼ିତ ପୂର୍ବତନ ତଥା ବରିଷ୍ଠ ଖେଳାଳିଙ୍କୁ ଯୋଡ଼ିବା ଲକ୍ଷ୍ୟରେ ଟାଉନ୍‌ କ୍ଲବ୍‌ ଏଭଳି ପ୍ରୟାସ ଜାରି ରଖିଛି ବୋଲି ଗୁରୁବାରର ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ପୁଷ୍ପଲତାଙ୍କ ସୁପୁତ୍ର ତଥା ପ୍ରାୟୋଜକ ଶଶୀଶେଖର ଗରାବଡୁ ଏବଂ ପୂର୍ବତନ ଖେଳାଳି ଚିନ୍ମୟ ସୁନ୍ଦର ଭ୍ରମରରାୟ ସୂଚନା ଦେଇଥିଲେ।

ସମ୍ବନ୍ଧିତ ଖବର