ଇଡେନ୍‌ ଗାର୍ଡେନ୍‌ସରେ ପୁଲିସଙ୍କ ପାଇଁ କ୍ବାରେଣ୍ଟାଇନ୍‌ ସୁବିଧା

କୋଲ୍‌କତା: ଐତିହାସିକ ଇଡେନ୍‌ ଗାର୍ଡେନ୍ସରେ ପୁଲିସଙ୍କ ପାଇଁ କ୍ବାରେଣ୍ଟାଇନ୍‌ ସୁବିଧା କରାଯାଇଛି। ସଂପ୍ରତି ପଶ୍ଚିମବଙ୍ଗରେ କରୋନା ମହାମାରୀ ବ୍ୟାପକ ରୂପ ନେଉଥିଲା ବେଳେ ଆକ୍ରାନ୍ତଙ୍କୁ କ୍ବାରେଣ୍ଟାଇନ୍‌ରେ ରଖିବା ପାଇଁ ସ୍ଥାନର ଅଭାବ ପରିଲକ୍ଷିତ ହୋଇଛି। ଏଥିପାଇଁ କୋଲ୍‌କାତା ପୁଲିସ ପକ୍ଷରୁ ବେଙ୍ଗଲ କ୍ରିକେଟ୍‌ ସଂଘ (ସିଏବି)କୁ ଅନୁରୋଧ କରାଯାଇଥିଲା। ଏହାକୁ ନେଇ କୋଲ୍‌କାତା ପୁଲିସ ମୁଖ୍ୟାଳୟର ସ୍ବତନ୍ତ୍ର କମିଶନର ଜାୱେଦ୍‌ ସାମିମ୍‌ଙ୍କ ପ୍ରକୋଷ୍ଠରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ସିଏବି ସଭାପତି ଅଭିଷେକ ଡାଲମିଆ ଯୋଗ ଦେଇଥିଲେ। ପରେ ଅରୁନ୍ମୟ ସାହାଙ୍କ ନେତୃତ୍ବ‌ରେ କୋଲ୍‌କାତା ପୁଲିସ ଇଡେନ୍‌ ଗାର୍ଡେନ୍ସ ପରିଦର୍ଶନ କରିଥିଲେ। ସିଏବି ସଂପାଦକ ସ୍ନେହାଶିଷ ଗାଙ୍ଗୁଲି ପୁଲିସର ପରିଦର୍ଶନ ବେଳେ ଉପସ୍ଥିତ ଥିଲେ। ଶେଷରେ ପୁଲିସର ଅନୁରୋଧକୁ ଗ୍ରହଣ କରି ଶୁକ୍ରବାର ସିଏବି ଅନୁମତି ଦେଇଛି। ଇଡେନ୍‌ ଗାର୍ଡେନ୍‌ସ ଗ୍ୟାଲେରିର ନିମ୍ନରେ ଥିବା ଗୃହଗୁଡ଼ିକୁ ପୁଲିସଙ୍କ ପାଇଁ କ୍ବାରେଣ୍ଟାଇନ୍‌ ବ୍ୟବହାର କରାଯିବ ବୋଲି କୁହାଯାଇଛି। କରୋନା ଜନିତ ସାଂପ୍ରତିକ ସଂକଟଜନକ ସ୍ଥିତି ସମୟରେ ପ୍ରଶାସନକୁ ସାହାଯ୍ୟ ଓ ସମର୍ଥନ କରିବା ଆମର କର୍ତ୍ତବ୍ୟ।

କୋଭିଡ୍‌ ଯୋଦ୍ଧା ଭାବେ କାର୍ଯ୍ୟ କରୁଥିବା ପୁଲିସ କର୍ମଚାରୀଙ୍କ ପାଇଁ ଇଡେନ୍‌ରେ କ୍ବାରେଣ୍ଟାଇନ୍‌ ବ୍ୟବସ୍ଥା କରାଯିବ। ଗ୍ୟାଲେରିର ତଳର ଇ, ଏଫ୍‌, ଜି, ଏଚ୍‌ ଓ ଜେ ବ୍ଲକ୍‌ଗୁଡ଼ିକ ସୁରକ୍ଷିତ ଥିବାରୁ ଏଥିପାଇଁ ବ୍ୟବହାର ହୋଇପାରିବ। କୋଲ୍‌କାତା ପୁଲିସ ଏବଂ ସିଏବି ମଧ୍ୟରେ ଏନେଇ ବୁଝାମଣା ହୋଇଛି। କ୍ରିକେଟ୍‌ ଏବଂ ପ୍ରଶାସନିକ କାର୍ଯ୍ୟକଳାପ ପାଇଁ ବ୍ୟବହାର ହେଉଥିବା ଏହି ବ୍ଲକ୍‌ଗୁଡ଼ିକ ଏବେ ବି ଅଣସଂକ୍ରମିତ ରହିଛି ବୋଲି କହିଛନ୍ତି ଡାଲମିଆ। ପୁଲିସଙ୍କ ପାଇଁ କ୍ବାରେଣ୍ଟାଇନ୍‌ ସୁବିଧା ଯୋଗୁଁ ଏବେ ଗ୍ରାଉଣ୍ଡ୍‌ସମ୍ୟାନ୍‌ ଏବଂ ଅନ୍ୟାନ୍ୟ ‌ଷ୍ଟାଫ୍‌ଙ୍କୁ ଡର୍ମିଟୋରି ଓ ଷ୍ଟାଡିୟମ୍‌ ଭିତରେ ଅନ୍ୟାନ୍ୟ ନିରାପଦ ସ୍ଥାନ (ବି, ସି, କେ ଓ ଏଲ୍‌ ବ୍ଲକ୍‌) କୁ ସ୍ଥାନାନ୍ତର କରାଯିବ ବୋଲି ଡାଲମିଆ କହିଛନ୍ତି।

ସମ୍ବନ୍ଧିତ ଖବର