ରଣଜୀ ଟ୍ରଫି : ବିଜୟ ଧାରା ଜାରି ଲକ୍ଷ୍ୟରେ ଓଡ଼ିଶା, ତ୍ରିପୁରାକୁ ଶେଷ ଥର ଡ୍ରିମ୍‌ସରେ ଭେଟିଥିଲା

କଟକ : ଓଡ଼ିଶା ଓ ତ୍ରିପୁରା ମଧ୍ୟରେ ଶୁକ୍ରବାରଠୁ ଅଗରତାଲାରେ ଚଳିତ ଋତୁର ଚତୁର୍ଥ ପର୍ଯ୍ୟାୟ ରଣଜୀ ଟ୍ରଫି ମ୍ୟାଚ୍‌ ଖେଳାଯିବ। ଲଗାତାର ତିନିଟି ବିଜୟ ସାଙ୍ଗକୁ ବୋନସ ପଏଣ୍ଟ୍‌ ପାଇ ନୂଆ କୀର୍ତ୍ତିମାନ କରିଥିବା ଓଡ଼ିଶା ବୁଧବାର ଅଗରତାଲାରେ ପହଞ୍ଚି ସାରିଥିବା ବେଳେ ଗୁରୁବାର ଗୋଟିଏ ଦିନ ଖେଳାଳିମାନେ ଅଭ୍ୟାସ କରିବେ। ମଝବୁତ ସ୍ଥାନରେ ବର୍ତ୍ତମାନ ଓଡ଼ିଶା ଥିବା ବେଳେ ତ୍ରିପୁରା ପଏଣ୍ଟ୍‌ ଖାତା ଖୋଲି ପାରିନାହିଁ। ତେଣୁ ଘରୋଇ ଦଳ ଏହି ମ୍ୟାଚ୍‌ରେ ଅଧିକ ଚାପରେ ରହିବ। ଅନ୍ୟପକ୍ଷରେ ଉଭୟ ଦଳଙ୍କ ମଧ୍ୟରେ ଶେଷ ଥର ପାଇଁ ଗତ ଋତୁରେ ଡ୍ରିମ୍ସରେ ମ୍ୟାଚ୍‌ ଖେଳାଯାଇଥିଲା। ସେଥିରେ ଓଡ଼ିଶା ୫ ୱିକେଟ୍‌ରେ ବିଜୟୀ ହୋଇଥିଲା ବେଳେ ଶୁଭ୍ରାଂଶୁ ସେନାପତି ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ତ୍ରିପୁରାର ଦୁର୍ବଳ ବ୍ୟାଟିଂ କ୍ରମକୁ ସୂର୍ଯ୍ୟକାନ୍ତ ପ୍ରଧାନ, ରାଜେଶ ମହାନ୍ତି, ବସନ୍ତ ମହାନ୍ତି ଭାଙ୍ଗିବାରେ ସକ୍ଷମ ହୋଇଥିଲା ବେଳେ ବିପ୍ଲବ ସାମନ୍ତରାୟ, ଶୁଭ୍ରାଂଶୁ, ଅଭିଷେକ ରାଉତ ଜବରଦସ୍ତ ପାଳି ଖେଳି ଓଡ଼ିଶା ବିଜୟରେ ଅନ୍ୟତମ ଭୂମିକା ନେଇଥିଲେ।

ଡ୍ରିମ୍ସ ପଡ଼ି‌ଆରେ ଖେଳାଯାଇଥିବା ସେହି ମ୍ୟାଚ୍‌ରେ ଓଡ଼ିଶା ଟସ୍‌ ଜିତି ବୋଲିଂ କରିଥିଲା ବେଳେ ତ୍ରିପୁରା ପ୍ରଥମ ପାଳି ୧୨୨ରେ ସାରିଦେଇଥିଲା। ପ୍ରତ୍ୟୁଷ ସିଂହ ସର୍ବାଧିକ ୪୩ ରନ୍‌ କରିପାରିଥିଲେ। ତ୍ରିପୁରା ବ୍ୟାଟିଂକୁ ଧ୍ବସ୍ତ କରିବାରେ ମୁଖ୍ୟ ଭୂମିକା ନେଇଥିଲେ ଦ୍ରୁତ ବୋଲର ସୂର୍ଯ୍ୟକାନ୍ତ ପ୍ରଧାନ। ସେ ତାଙ୍କ ୧୩ ଓଭରରେ ୩ ମେଡେନ୍‌ ଓ ୪୦ ରନ୍‌ ବ୍ୟୟ କରି ୭ ୱିକେଟ ଅକ୍ତିଆର କରିଥିଲେ। ବସନ୍ତ ମହାନ୍ତି, ଦେବବ୍ରତ ପ୍ରଧାନ ଓ ଗୋବିନ୍ଦ ପୋଦ୍ଦାର ୧ ୱିକେଟ ଲେଖାଏଁ ନେଇଥିଲେ। ଏହାପରେ ଓଡ଼ିଶା ପ୍ରଥମ ପାଳିରେ ବିପ୍ଲବଙ୍କ ୮୯, ଶୁଭ୍ରାଂଶୁଙ୍କ ୪୧ ଓ ରାଜେଶ ଧୂପରଙ୍କ ୩୧ ରନ୍‌ ସହଯୋଗରେ ୨୧୨ ରନ୍‌ କରିବା ସହ ପାଳି ଅଗ୍ରଣୀ ପାଇଥିଲା। ତ୍ରିପୁରା ଖେଳାଳିମାନେ ଦ୍ବିତୀୟ ପାଳିରେ ୧ ପଏଣ୍ଟ୍‌ ବଞ୍ଚାଇ ରଖିବା ପାଇଁ ସଂଘର୍ଷ କରିଚାଲିଥିଲେ। ତଥାପି ବିଶାଲ ଘୋଷଙ୍କ ୪୮, ମଣିଶଙ୍କର ମୁରାସିଂହଙ୍କ ୭୫, ହରମିତ ସିଂହଙ୍କ ୪୨ ରନ୍‌ ବଳରେ ଦଳ ୩୦୪ ରନ୍‌ରେ ଆଉଟ ହେବା ପରେ ଓଡ଼ିଶା ସମ୍ମୁଖରେ ୨୧୫ ରନ୍‌ର ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା। ଏହି ଲକ୍ଷ୍ୟକୁ ଓଡ଼ିଶା ୫ ୱିକେଟ୍‌ ବିନିମୟରେ ହାସଲ କରିଥିଲା। ଶୁଭ୍ରାଂଶୁ ୮୪, ଅଭିଷେକ ରାଉତ ୮୩, ରାଜେଶ ଧୂପର ୩୭ ରନ୍‌ କରି ଦଳକୁ ଜିତାଇଥିଲେ।

ସେତେବେଳର ଓଡ଼ିଶା ଦଳ ଏବେ ବି ଅପରିବର୍ତ୍ତିତ ରହିଛି। କେବଳ ଅନୁରାଗ ଷଡ଼ଙ୍ଗୀଙ୍କ ସ୍ଥାନରେ ଦେବାଶିଷ ସାମନ୍ତରାୟ ଏଥର ‌ଚୂଡ଼ାନ୍ତ ଦଳରେ ସାମିଲ ରହିବେ। ତେଣୁ ଦଳ ପାଖରେ ଚାପ ସୃଷ୍ଟି କରିବା ପାଇଁ ଦକ୍ଷତା ଭରପୂର ରହିଛି। ଚଳିତ ଋତୁରେ ବାମହାତୀ ବ୍ୟାଟ୍ସମ୍ୟାନ ମଣିଶଙ୍କର ମୁରାସିଂହ ଏକମାତ୍ର ଖେଳାଳି ଭାବେ ଉଭୟ ବୋଲିଂ ଓ ବ୍ୟାଟିଂରେ ତ୍ରିପୁରା ଦଳକୁ ସହଯୋଗ କରିଛନ୍ତି। କିନ୍ତୁ ନିରୁପମ ସେନ୍‌, ମିଲିନ୍ଦ କୁମାର, ହରମିତ ସିଂହ ଅର୍ଧଶତକ ହାସଲ କରିଥିଲେ ବି ତାହାକୁ ବଡ଼ ସ୍କୋର୍‌ରେ ପରିଣତ କରିପାରିନଥିଲେ। ତେଣୁ ଏହାକୁ ନଜର‌ରେ ରଖିଲେ ତ୍ରିପୁରା ବିପକ୍ଷରେ ଓଡ଼ିଶାର ପଲ୍ଲା ଭାରି ରହିବା ସମ୍ଭାବନା ଅଧିକ ରହିଛି।

ସମ୍ବନ୍ଧିତ ଖବର