ରାୱଲପିଣ୍ଡି ଟେଷ୍ଟ: ବିଜୟ ପାଇଁ ପାକିସ୍ତାନକୁ ଦରକାର ୨୬୩ ରନ୍‌

ରାୱଲପିଣ୍ଡି: ପ୍ରଥମ ପାଳିରେ ଦୃଢ ବ୍ୟାଟିଂ କରିଥିବା ପାକିସ୍ତାନ ଦ୍ବିତୀୟ ପାଳିରେ ପ୍ରାରମ୍ଭିକ ବିପର୍ଯ୍ୟୟର ସାମ୍ନା କରିଛି। ଘରୋଇ ଦଳକୁ ଜିତିବା ପାଇଁ ଇଂଲଣ୍ଡ ୩୪୩ ରନ୍‌ର ଲକ୍ଷ୍ୟ ଧାର୍ଯ୍ୟ କରିଥିଲା ବେଳେ ପାକିସ୍ତାନ ଚତୁର୍ଥ ଦିନ ‌ଷ୍ଟମ୍ପ୍ସ ଅପସାରଣ ବେଳକୁ ୨ ୱିକେଟ୍‌ କ୍ଷତିରେ ୮୦ ରନ୍‌ ସଂଗ୍ରହ କରିଛି। ଶେଷ ଦିନରେ ଦଳକୁ ଆଉ ୨୬୩ ରନ୍‌ ଆବଶ୍ୟକ ରହିଛି। ପ୍ରଥମ ପାଳିର ଦୁଇ ଶତକ ହାସଲକାରୀ ଅବଦୁଲା ସଫିକ୍‌ (୬) ଓ ଅଧିନାୟକ ବାବର ଆଜମ୍‌ (୪) ଶୀଘ୍ର ଆଉଟ୍‌ ହୋଇଥିଲା ବେଳେ ଆଝାର ଅଲୀ ଖାତା ଖୋଲିବା ଆଗରୁ ରିଟାୟର୍ଡ ହଟ୍‌ ହୋଇ ପାଭିଲିଅନ୍‌ ଫେରିଯାଇଛନ୍ତି। ଷ୍ଟମ୍ପ୍ସ ଅପସାରଣ ବେଳକୁ ଅନ୍ୟତମ ଶତକ ଅର୍ଜନକାରୀ ଇମାମ ଉଲ୍‌ ହକ୍‌ ୪୩ ଓ ସାଉଦ ସକିଲ୍‌ ୨୪* ରନ୍‌ କରି ଅପରାଜିତ ଅଛନ୍ତି। ଓଲି ରବିନ୍‌ସନ୍‌ ଓ ବେନ୍‌ ଷ୍ଟୋକ୍ସ ଉକ୍ତ ଦୁଇ ୱିକେଟ୍‌କୁ ବାଣ୍ଟିନେଇଛନ୍ତି।

ଏଥିପୂର୍ବରୁ ତୃତୀୟ ଦିନର ଅସମାପ୍ତ ସ୍କୋର ୪୯୯/୭ ରୁ ପାକିସ୍ତାନ ପ୍ରଥମ ପାଳି ଆରମ୍ଭ କରିଥିଲା ବେଳେ ଅପରାଜିତ ବ୍ୟାଟର ଆଘା ସଲ୍‌ମନ (୫୩)ଙ୍କ ଅର୍ଦ୍ଧଶତକୀୟ ପାଳି ବଳରେ ଘରୋଇ ଦଳ ସମସ୍ତ ୱିକେଟ୍‌ ହରାଇ ୫୭୯ ରନ୍‌ କରିଥିଲା। ୱିଲ୍‌ ଜାକ୍ସ ୧୬୧ ରନ୍‌ ବ୍ୟାୟ କରି ୬ଜଣଙ୍କୁ ଆଉଟ୍‌ କରିଥି‌ଲେ। ତାଙ୍କ ବ୍ୟତୀତ ଜାକ୍‌ ଲିଚ୍‌ ୨, ଜେମ୍‌ସ ଆଣ୍ଡରସନ୍‌ ଓ ଓଲି ରବିନ୍‌ସନ୍‌ ଗୋଟିଏ ଲେଖାଏଁ ୱିକେଟ୍‌ ପାଇଥିଲେ। ୭୮ ରନ୍‌ର ଅଗ୍ରଣୀ ନେଇ ଇଂଲଣ୍ଡ ଦ୍ବିତୀୟ ପାଳିରେ ପୁଣି ଥରେ ଦମ୍‌ଦାର ପ୍ରଦର୍ଶନ କରିବା ସହ ୩୫.୫ ଓଭରରେ ୨୬୪/୭ ସ୍କୋର କରି ପାଳି ଘୋଷଣା କରିଥିଲା। ପ୍ରଥମ ପାଳିର ଶତକୀୟ ବ୍ୟାଟର୍‌ ଜାକ୍‌ କ୍ରଲି ୫୦, ଜୋ ରୁଟ୍‌ ୭୩, ହାରି ବ୍ରୁକ ୮୭ ରନ୍‌ ଦଳୀୟ ସ୍କୋରରେ ଯୋଡ଼ିଥିଲେ। ନସିମ ଶାହ, ମହମ୍ମଦ ଅଲୀ ଓ ଜାହିଦ୍‌ ମହମ୍ମୁଦ ୨ ୱିକେଟ୍‌ ଲେଖାଏଁ ଅକ୍ତିଆର କରିଛନ୍ତି।

ସଂକ୍ଷିପ୍ତ ସ୍କୋର: ଇଂଲଣ୍ଡ ପ୍ରଥମ ପାଳି ୬୫୭। ପାକିସ୍ତାନ ପ୍ରଥମ ପାଳି ୫୭୯। ଇଂଲଣ୍ଡ ଦ୍ବିତୀୟ ପାଳି ୨୬୪/୭ ଘୋଷିତ (ଜାକ୍‌ କ୍ରଲି ୫୦, ଜୋ ରୁଟ୍‌ ୭୩, ହାରି ବ୍ରୁକ୍ସ ୮୭, ନସିମ ଶାହ ୨/୬୬, ମହମ୍ମଦ ଅଲୀ ୨/୬୪, ଜାହିଦ ମହମୁଦ ୨/୮୪), ପାକିସ୍ତାନ ଦ୍ବିତୀୟ ପାଳି ୮୦/୨ (ଇମାମ ଉଲ୍‌ ହକ୍‌ ୪୩*, ସାଉଦ ସକିଲ୍‌ ୨୪*, ଓଲି ରବିନସନ୍‌ ୧/୨୨, ବେନ୍‌ ଷ୍ଟୋକ୍ସ ୧/୨୦)।

ସମ୍ବନ୍ଧିତ ଖବର