ରିଣ୍ଟୁ ମିତ୍ର ଟିସିଏଆଇ ସମ୍ପାଦକ

ଭୁବନେଶ୍ବର: ଓଡ଼ିଶା ଟେନିସ୍ କ୍ରିକେଟ୍ ସଂଘର ସମ୍ପାଦକ ଶୈବାଳ କୁମାର ମିତ୍ର (ରିଣ୍ଟୁ) ଭାରତୀୟ ଟେନିସ୍ କ୍ରିକେଟ୍ ସଂଘ (ଟିସିଏଆଇ)ର ସମ୍ପାଦକ ମନୋନୀତ ହୋଇଛନ୍ତି। କୋଭିଡ୍‌-୧୯ ମହାମାରୀ ପାଇଁ ଅନ୍‌ଲାଇନ୍ ଜରିଆରେ ରବିବାର ଅନୁଷ୍ଠିତ ଟିସିଏଆଇର ସାଧାରଣ ପରିଷଦ ବୈଠକ (ଏଜିଏମ୍‌)ରେ ବର୍ତମାନର ସମ୍ପାଦକ କହ୍ନେୟା ଗୁର୍ଜରଙ୍କୁ ସଭାପତି ଏବଂ ରିଣ୍ଟୁ ମିତ୍ରଙ୍କୁ ସମ୍ପାଦକ ଭାବେ ସର୍ବସମ୍ମତିକ୍ରମେ ମନୋନୀତ କରାଯାଇଛି। ପୂର୍ବାଞ୍ଚଳ, ଫେଡେରେସନ୍ କପ୍ ଏବଂ ଜାତୀୟ ପ୍ରତିଯୋଗିତାରେ ଓଡ଼ିଶା ଦଳର ପ୍ରାଧାନ୍ୟର ପୁରସ୍କାର ସ୍ବରୂପ ରିଣ୍ଟୁଙ୍କୁ ଏହି ଗୌରବ ମିଳିଛି। ଏଥି ସହ କୌଣସି ଜାତୀୟ କ୍ରୀଡ଼ା ସଂଘର ସମ୍ପାଦକ ହେବାରେ ଶ୍ରୀ ମିତ୍ର ଓଡ଼ିଶାର ବିରଳ କ୍ଲବ୍‌ରେ ସାମିଲ ହୋଇଛନ୍ତି। ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ବିଜୁ ପଟ୍ଟନାୟକ (ବାସ୍କେଟ୍‌ବଲ୍‌), ପୂର୍ବତନ ସାଂସଦ କେପି ସିଂଦେଓ (ରୋଇଂ), ପଙ୍କଜ ଲୋଚନ ମହାନ୍ତି (ବେସ୍‌ବଲ୍‌), ଡକ୍ଟର ଅଚ୍ୟୁତ ସାମନ୍ତ (‌ଭଲିବଲ୍‌), ହରି ପ୍ରସାଦ ପଟ୍ଟନାୟକ (କରାଟେ), ସୁଧାଂଶୁ ଶେଖର ହରିଚନ୍ଦନ (କିକ୍‌ ବକ୍ସିଂ), ଦ୍ବିପାୟନ ପଟ୍ଟନାୟକ (ଗେଟ୍‌ବଲ୍‌) ପ୍ରମୁଖ ଜାତୀୟ କ୍ରୀଡ଼ା ସଂଘର ସଭାପତି କିମ୍ବା ସମ୍ପାଦକ ପଦ ଅଳଙ୍କୃତ କରିସାରିଛନ୍ତି।

ସମ୍ବନ୍ଧିତ ଖବର