ରବିନ୍‌ ସିଂହ ୟୁଏଇର କ୍ରିକେଟ୍‌ ଡାଇରେକ୍ଟର

ଦୁବାଇ : ପୂର୍ବତନ ଭାରତୀୟ ଅଲ୍‌ରାଉଣ୍ଡର ରବିନ୍‌ ସିଂହ ୟୁଏଇ (ୟୁନାଇଟେଡ୍‌ ଆରବ ଏମିରେଟ୍‌ସ)ର କ୍ରିକେଟ୍‌ ଡାଇରେକ୍ଟର ଭାବେ ନିଯୁକ୍ତ ହୋଇଛନ୍ତି। ମୁଖ୍ୟ ପ୍ରଶିକ୍ଷକ ଡୋଗି ବ୍ରାଉନ୍‌ ବହିଷ୍କୃତ ହେବା ପରେ ୫୬ ବର୍ଷ ବୟସ୍କ ରବିନ୍‌ଙ୍କୁ ବୁଧବାର ଏହି ନିଯୁକ୍ତି ମିଳିଛି। ବିନା ମନୋନୟନ ସମିତିରେ ବ୍ରାଉନ୍‌ ଗତବର୍ଷ ଡିସେମ୍ବରରେ ସ୍କଟ୍‌ଲାଣ୍ଡ ଓ ଆମେରିକା ବିପକ୍ଷ ଘରୋଇ ଶୃଙ୍ଖଳା ଏବଂ ଜାନୁଆରିରେ ଓମାନ ଓ ନାମିବ୍ୟା ବିପକ୍ଷ ବିଶ୍ବକପ୍‌ ଲିଗ୍‌ର ଦୁଇଟି ମ୍ୟାଚ୍‌ ପାଇଁ ମନଇଛା ଦଳ ବାଛିଥିଲେ। ଯାହା ଫଳରେ ତାଙ୍କୁ ୟୁଏଇ ବୋର୍ଡ ପଦରୁ ବହିଷ୍କାର କରିଥିଲା। ଏବେ ରବିନ୍‌ ସିଂହ ତାଙ୍କ ବଦଳରେ ଦାୟିତ୍ବ ଗ୍ରହଣ କରିବେ। ରବିନ୍‌ ସିଂହ ୧୯୮୯ରୁ ୨୦୦୧ ମଧ୍ୟରେ ଭାରତ ପକ୍ଷରୁ ଗୋଟିଏ ଟେଷ୍ଟ୍‌ ଓ ୧୩୬ ଦିନିକିଆ ଆନ୍ତର୍ଜାତିକ ମ୍ୟାଚ୍‌ ଖେଳିବାର ଅଭିଜ୍ଞତା ରଖିଛନ୍ତି। ଜଣେ ସୁଦକ୍ଷ କ୍ଷେତ୍ରରକ୍ଷକ ଭାବେ ଜଣାଶୁଣା ରବିନ୍‌ ଦିନିକିଆରେ ୨୫.୯୫ ହାରରେ ୨୨୩୬ ରନ୍‌ କରିଛନ୍ତି। ସେଥିରେ ଗୋଟିଏ ଶତକ ସାମିଲ ରହିଛି। ସେ ମଧ୍ୟ ଦିନିକିଆରେ ୫୦ ୱିକେଟ୍‌ (୫/୨୨ ଶ୍ରେଷ୍ଠ) ଦଖଲ କରିଛନ୍ତି। ଏହାପରେ ସେ ପ୍ରଶିକ୍ଷକ ଦାୟିତ୍ବ ମଧ୍ୟ ତୁଲାଇଛନ୍ତି। ସେ ଆଇପିଏଲ୍‌ରେ ମୁମ୍ବାଇ ଇଣ୍ଡିଆନ୍‌ସ, ସିପିଏଲ୍‌ରେ ବାର୍ବାଡସ୍‌ ଟ୍ରାଇଡେଣ୍ଟ୍‌ର ପ୍ରଶିକ୍ଷକ ଭୂମିକା ତୁଲାଇଛନ୍ତି। ତ୍ରିନିଦାଦ୍‌ର ପ୍ରିନ୍‌ସ ଟାଉନ୍‌ରେ ଜନ୍ମିତ ରବିନ୍‌ ୟୁଏଇରେ ମଧ୍ୟ ପ୍ରଶିକ୍ଷଣ କ୍ଲିନିକ୍‌ ପରିଚାଳନା କରିଛନ୍ତି।

ସମ୍ବନ୍ଧିତ ଖବର