ଆଇପିଏଲ୍‌ରେ ରୋହିତଙ୍କ ନିଆରା କୀର୍ତିମାନ

ଚେନ୍ନାଇ: ମୁମ୍ବାଇ ଇଣ୍ଡିଆନ୍‌ସ ଅଧିନାୟକ ରୋହିତ ଶର୍ମା ଶୁକ୍ରବାର ଏଠାରେ ଖେଳାଯାଇଥିବା ଚେନ୍ନାଇ ସୁପର କିଙ୍ଗ୍‌ସ ବିପକ୍ଷ ମ୍ୟାଚ୍‌ ବେଳେ ଏକାଧିକ ନିଆରା କୀର୍ତିମାନ ପ୍ରତିଷ୍ଠା କରିଛନ୍ତି। ଶୁକ୍ରବାର ମ୍ୟାଚ୍‌ରେ ତାଙ୍କ ଅର୍ଧଶତକ ବଳରେ ମୁମ୍ବାଇ ବିଜୟୀ ହୋଇଥିଲା ବେଳେ ରୋହିତ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ। ଏଥି ସହିତ ଆଇପିଏଲ୍‌ ଇତିହାସରେ କୌଣସି ଭାରତୀୟ ଭାବେ ସର୍ବାଧିକ ୧୭ ଥର ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ଲାଭ କରିବାରେ ରୋହିତ କୀର୍ତିମାନର ଅଧିକାରୀ ହୋଇଥିଲେ। ସେ ଏକ୍ଷେତ୍ରରେ ୟୁସୁଫ୍‌ ପଠାନ୍‌ ଓ ମହେନ୍ଦ୍ର ସିଂହ ଧୋନିଙ୍କ ନାମରେ ଥିବା ଯୁଗ୍ମ କୀର୍ତିମାନକୁ ଟପି ଯାଇଥିଲେ। ଉଭୟ ୟୁସୁଫ୍‌ ଓ ଧୋନି ଆଇପିଏଲ୍‌ରେ ୧୬ ଥର ଲେଖାଏଁ ମ୍ୟାଚ୍‌ ଶ୍ରେଷ୍ଠ ପୁରସ୍କାର ପାଇଥିଲେ। ଆଇପିଏଲ୍‌ ଇତିହାସରେ ସର୍ବାଧିକ ଥର ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ହାତେଇଥିବାରେ ଏମାନଙ୍କ ପଛକୁ ସୁରେଶ ରାଇନା (୧୪), ଗୌତମ ଗମ୍ଭୀର (୧୩), ବିରାଟ କୋହଲି ଓ ଆଜିଙ୍କ୍ୟ ରାହାଣେ (ଉଭୟେ ୧୨), ବୀରେନ୍ଦ୍ର ସେହବାଗ୍‌ (୧୧) ଏବଂ ଅମିତ ମିଶ୍ର (୧୦) ରହିଛନ୍ତି।

ଅନ୍ୟପକ୍ଷରେ ଶୁକ୍ରବାର ଚେନ୍ନାଇ ସୁପର କିଙ୍ଗ୍‌ସ ବିପକ୍ଷ ମ୍ୟାଚ୍‌ରେ ୪୮ ବଲ୍‌ରୁ ୬୭ ରନ୍‌ କରିଥିବା ରୋହିତ ଶର୍ମା ‌ଚେପକ୍‌ ଷ୍ଟାଡିୟମ୍‌ରେ ପ୍ରଥମ ଅର୍ଧଶତକ ଜମାଇଥିଲେ। ପୁଣି ଚେନ୍ନାଇ ବିପକ୍ଷରେ ଶେଷ ୫ ମ୍ୟାଚ୍‌ରୁ ସେ ନିଜର ତୃତୀୟ ଅର୍ଧଶତକ ହାସଲ କରିଥିଲେ। ମୋଟ ଉପରେ ଚେନ୍ନାଇ ସୁପର କିଙ୍ଗ୍‌ସ ବିପକ୍ଷରେ ତାଙ୍କର ଅର୍ଧଶତକ ସଂଖ୍ୟା ୭ରେ ପହଞ୍ଚିଥିଲା। ଆଉ ଆଇପିଏଲ୍‌ ଇତିହାସରେ ଚେନ୍ନାଇ ବିପକ୍ଷରେ ସର୍ବାଧିକ ଅର୍ଧଶତକ ଜମାଇବାରେ ରୋହିତ ମଧ୍ୟ ପ୍ରଥମ ବ୍ୟାଟ୍‌ସମ୍ୟାନ୍‌ ହୋଇଛନ୍ତି। ଚେପକ୍‌ ଷ୍ଟାଡିୟମ୍‌ରେ ଚେନ୍ନାଇ ବିପକ୍ଷରେ ରୋହିତ ୬ ମ୍ୟାଚ୍‌ ଖେଳିଥିଲା ବେଳେ ସବୁଥର ତାଙ୍କ ଦଳ ହିଁ ବିଜୟୀ ହୋଇଛି। ରୋହିତ ୨୦୦୮ ଓ ୨୦୧୦ରେ ଡେକାନ୍‌ ଚାର୍ଜର୍ସ, ୨୦୧୨ ଓ ୨୦୧୩ରେ ଜଣେ ଖେଳାଳି ଭାବେ ମୁମ୍ବାଇ ଇଣ୍ଡିଆନ୍‌ସ ଏବଂ ୨୦୧୫ ଓ ୨୦୧୯ରେ ଅଧିନାୟକ ଭାବେ ମୁମ୍ବାଇ ଇଣ୍ଡିଆନ୍‌ସ ପକ୍ଷରୁ ଖେଳି ଏହି ବିଜୟ ପାଇଥି‌ଲେ।

ସମ୍ବନ୍ଧିତ ଖବର