ବିଗିଡ଼ି ଗଲାଣି ସାଇ କେନ୍ଦ୍ର ଭିତ୍ତିଭୂମି

କଟକ: ରାଜ୍ୟ କ୍ରୀଡ଼ା ସଫଳତାରେ ଭାରତୀୟ କ୍ରୀଡ଼ା ପ୍ରାଧିକରଣ (ସାଇ)ର କ୍ରୀଡ଼ାବିତ୍‌ଙ୍କ ଭୂମିକା ଅପୂରଣୀୟ। ରାଜ୍ୟ ପାଇଁ ଏଠାକାର କ୍ରୀଡ଼ାବିତ୍‌ମାନେ ଅନେକ ପଦକ ହାସଲ କରିଛନ୍ତି। ହେଲେ ଉକ୍ତ କ୍ରୀଡ଼ାବିତ୍‌ଙ୍କ ପାଇଁ ସାମାନ୍ୟତମ ଚିନ୍ତା କରିବାକୁ ନା ସାଇ କର୍ତ୍ତୃପକ୍ଷ ନା ରାଜ୍ୟ ସରକାର, କାହାର ବି ଆନ୍ତରିକତା ଥିବା ପରି ମନେ ହେଉନାହିଁ। କଟକ ବାରବାଟୀ ଷ୍ଟାଡିୟମ୍‌ ପରିସରରେ ଥିବା ସାଇ ପ୍ରଶିକ୍ଷଣ କେନ୍ଦ୍ର ଏବେ ଏଭଳି ପରିସ୍ଥିତି ଯୋଗୁଁ ଅତି ଦୟନୀୟ ଭାବେ ଗତି କରୁଛି। କାରଣ ୧୦୩ କ୍ରୀଡ଼ାବିତ୍‌ଙ୍କ ପାଇଁ ଆବଶ୍ୟକ ଥିବା ସାମାନ୍ୟତମ ଭିତ୍ତିଭୂମି ମଧ୍ୟ ଏଠାରେ ନାହିଁ। ଯେତିକି ବି ରହିଛି ସେଥିରେ ପର୍ଯ୍ୟାପ୍ତ ଅଭ୍ୟାସ କରିବାକୁ ସୁଯୋଗ ମିଳୁନାହିଁ। ସିନ୍ଥେଟିକ୍‌ ବଦଳରେ ଘାସ ଟ୍ରାକ୍‌ରେ ଅଭ୍ୟାସ କରାଯାଉଥିଲା ବେଳେ ଏବେ ତାହା ବି ବନ୍ଦ ହୋଇଗଲାଣି। ଫଳରେ କ୍ରୀଡ଼ାବିତ୍‌ଙ୍କ ପ୍ରଦର୍ଶନରେ ଅସ୍ଥିରତା ଆସୁଥିବାବେଳେ ସ୍ଥାନୀୟ ଗୁଣ୍ଡାଶ୍ରେଣୀୟ ଲୋକଙ୍କ ଭୟରେ କାହାକୁ ଅଭିଯୋଗ କରିବାକୁ ମଧ୍ୟ କେନ୍ଦ୍ର ପକ୍ଷରୁ ସାହସ ଜୁଟାଯାଇପାରୁନାହିଁ।

ଅଭ୍ୟାସ ବେଳେ ସ୍ଥାନୀୟ ଲୋକଙ୍କ ଦାଦାଗିରି
ବାଳିକା କ୍ରୀଡ଼ାବିତ୍‌ଙ୍କୁ କମେଣ୍ଟ୍‌
ଭୟରେ ଅଭିଯୋଗ ସାହାସ କରିପାରୁନାହାନ୍ତି
ସ୍ଥାୟୀ ଫିଜିଓ ଓ ଡାଏଟ୍‌ସିଆନ୍‌ ନାହାନ୍ତି

୧୯୮୭ ମସିହାରେ କଟକରେ ପର୍ଯ୍ୟାପ୍ତ ଭିତ୍ତିଭୂମି ଥିବା ଦର୍ଶାଯାଇ ସାଇ ପ୍ରଶିକ୍ଷଣ କେନ୍ଦ୍ର ଖୋଲାଯାଇଥିଲା। ଦୌଡ଼କୁଦ, ଫୁଟ୍‌ବଲ, ଭଲିବଲ୍‌ ଓ ବାସ୍କେଟବଲ୍‌ରେ ଏହି କେନ୍ଦ୍ରରେ ପ୍ରଶିକ୍ଷଣ ଦିଆଯାଉଛି। ପୂର୍ବରୁ ଦୌଡ଼କୁଦ ପାଇଁ ବାରବାଟୀ ଷ୍ଟାଡିୟମ ଭିତରେ ଅଭ୍ୟାସ କରିବାକୁ ସୁଯୋଗ ମିଳୁଥିଲା। ବାସ୍କେଟବଲ୍‌, ଭଲିବଲ୍‌ ଖେଳାଳିମାନେ ଷ୍ଟାଡିୟମ ବାହାରପଟେ ଥିବା କୋର୍ଟରେ ଅଭ୍ୟାସ କରୁଥିଲେ। କିନ୍ତୁ ପରବର୍ତ୍ତୀ ପର୍ଯ୍ୟାୟରେ ସେତକ ବି ବନ୍ଦ ହୋଇଗଲା। ପରେ କ୍ରୀଡ଼ାବିତ୍‌ମାନେ ସତ୍ୟବ୍ରତ ଷ୍ଟାଡିୟମରେ ଅଭ୍ୟାସ ଆରମ୍ଭ କରିଥିଲେ। କିନ୍ତୁ ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗ (ଏଏସ୍‌ଆଇ) ଏହି ପଡ଼ିଆକୁ ନିଜ ଅକ୍ତିଆରରେ ନେବା ଯୋଗୁଁ ଘାସଟିଏ ବି କାଟିବାକୁ ହେଲେ ତାଙ୍କର ଅନୁମତି ନେବାକୁ ପଡ଼ିଥିଲା। ସିନ୍ଥେଟିକ୍‌ ଟ୍ରାକ୍‌ ନଥିବାରୁ ବର୍ଷା ଦିନରେ ଘାସ ପଡ଼ିଆରେ ଅଭ୍ୟାସ ବନ୍ଦ କରାଯାଉଥିଲା। ଏବେ ସ୍ଥିତି ଆହୁରି ଦୟନୀୟ ହେଲାଣି। ଦୌଡ଼କୁଦ ଟ୍ରାକ୍‌ ଉପରେ ସ୍ଥାନୀୟ ଲୋକମାନେ ପ୍ରାତଃ ଓ ସାଂଧ୍ୟ ଭ୍ରମଣ କରୁଥିଲା ବେଳେ ଅନେକ ସମୟରେ ଟ୍ରାକ୍‌ ଉପରେ କ୍ରିକେଟ ଖେଳାଯାଉଛି। ଏଥିଯୋଗୁଁ ବର୍ତ୍ତମାନ ପୁଲିସ୍‌ ପଡ଼ିଆରେ ଧାବକମାନେ ଅଭ୍ୟାସ କରୁଛନ୍ତି। ସେହିପରି ଫୁଟବଲ୍‌ ଖେଳାଳିମାନେ ମଧ୍ୟ ସମଦଶା ଭୋଗୁଛନ୍ତି। ବାଳିକା ଫୁଟ୍‌ବଲ୍‌ ଖେଳାଳିମାନେ ଅଭ୍ୟାସ କରୁଥିବା ବେଳେ କିଛି ଅସାମାଜିକ ବ୍ୟକ୍ତି ସେଠାରେ ଖରାପ ଭାଷାରେ କମେଣ୍ଟ ମାରୁଛନ୍ତି। ହେଲେ ଏନେଇ କେବଳ କେନ୍ଦ୍ର ଭାରପ୍ରାପ୍ତ ଅଧିକାରୀଙ୍କ ପାଖରେ ଅଭିଯୋଗ ହେଲାପରେ ଆଉ କେହି ଘଟଣାର ଟେର୍‌ ପାଉନାହାନ୍ତି। ତାହାର କାରଣ ହେଉଛି, ସ୍ଥାନୀୟ ଲୋକଙ୍କ ଦାଦାଗିରି। କେନ୍ଦ୍ରର ୯୫ ପ୍ରତିଶତ ଲୋକ କଟକ ବାହାରର ହୋଇଥିବାରୁ ଭୟରେ କେହି ପୁଲିସ୍‌ କିମ୍ବା ଉଚ୍ଚ କର୍ତ୍ତୃପକ୍ଷଙ୍କ ନିକଟକୁ ଯିବାକୁ ସାହସ ଜୁଟାଇପାରୁନାହାନ୍ତି। ଅନ୍ୟପକ୍ଷରେ ବାସ୍କେଟବଲ୍‌ କୋର୍ଟରେ ଥିବା ପୋଲ୍‌ ଗୁଡ଼ିକ ଏବେ ବିପଜ୍ଜନକ ସ୍ଥିତିରେ ରହିଛି। କେତେବେଳେ ତାହା ଭାଙ୍ଗିଯାଇ କାହା ଉପରେ ପଡ଼ିବ ତାହା କହିହେବ ନାହିଁ। ସେହିପରି ଭଲିବଲ୍‌ ପଡ଼ିଆରେ ମଧ୍ୟ ସ୍ଥାନୀୟ ଲୋକଙ୍କ ଅବାଧ ପ୍ରବେଶ ଯୋଗୁଁ ପ୍ରଶିକ୍ଷଣ ଠିକ୍‌ରେ ହୋଇପାରୁନାହିଁ। ଭଲିବଲ୍‌ ପାଇଁ ୧୭ ଜଣ ଖେଳାଳି ଥିଲାବେଳେ ତାଙ୍କ ପାଇଁ ୩ ପ୍ରଶିକ୍ଷକ ଅଛନ୍ତି। ହେଲେ ଉପଯୁକ୍ତ ବାତାବରଣ ନଥିବାରୁ ସେମାନେ ମଧ୍ୟ ଅଭ୍ୟାସରୁ ବଞ୍ଚିତ ହେଉଛନ୍ତି।

କେବଳ ଏତିକି ନୁହେଁ ଜଣେ କ୍ରୀଡ଼ାବିତ୍‌କୁ ଶ୍ରେଷ୍ଠରେ ପରିଣତ କରିବାକୁ ହେଲେ ଅନ୍ୟ ଦିଗରୁ ସହାୟତା ମିଳିବା ଜରୁରି। ଅର୍ଥାତ୍‌ ଏଠାରେ କୌଣସି ଫିଜିଓ କିମ୍ବା ମାଲିସ୍‌ କରିବା ପାଇଁ କେହି କର୍ମଚାରୀ ନାହାନ୍ତି। ସପ୍ତାହକୁ ଥରେ ଜଣେ ଡାକ୍ତର କାମଚଳା ଭାବେ ଛାତ୍ରାବାସକୁ ଆସୁଛନ୍ତି। ସେହିପରି ନିୟମିତ ଡାଏଟ୍‌ସିଆନ୍‌ ମଧ୍ୟ ନିଯୁକ୍ତି କରାଯାଇନାହିଁ। ପ୍ରାୟ ୩ ମାସ ତଳେ କୋଲକାତା ଆଞ୍ଚଳିକ କାର୍ଯ୍ୟାଳୟରୁ ଜଣେ ଡାଏଟ୍‌ସିଆନ୍‌ ଆସି ଖାଇବା ତାଲିକା ପ୍ରସ୍ତୁତ କରିଦେଇ ଚାଲିଯାଇଥିଲେ। ହେଲେ ସେହି ଅନୁଯାୟୀ ଖାଇବାକୁ ଦିଅଯାଉଛି କି ନାହିଁ, ତାହା ଦେଖିବାକୁ କେହି ନାହାନ୍ତି। ଅନ୍ୟପକ୍ଷରେ କେନ୍ଦ୍ର ନିକଟକୁ ଥିବା ମଣ୍ଡପରେ ଅନେକ ବିବାହ କାର୍ଯ୍ୟକ୍ରମ ହେଉଛି। ସେଗୁଡ଼ିକର ବଳକା ଖାଦ୍ୟ ଓ ଅଇଁଠାକୁ କେନ୍ଦ୍ର ଡାଇନିଂ ହଲ୍‌ ନିକଟରେ ଫିଙ୍ଗାଯାଉଛି। ନାଳ ପାଣି ମଧ୍ୟ ଜାମ୍‌ ହୋଇ ସେଠାରେ ଜମିରହୁଛି। ଫଳରେ ଅସ୍ୱାସ୍ଥ୍ୟକର ପରିବେଶ ମଧ୍ୟରେ କ୍ରୀଡ଼ାବିତ୍‌ମାନେ ଖାଇବାକୁ ବାଧ୍ୟ ହେଉଛନ୍ତି। ପ୍ରାୟ ୫ ବର୍ଷ ତଳେ ସାଇ ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ କଟକରୁ ଏହି କେନ୍ଦ୍ରକୁ ଉଠାଇ ନେବାକୁ ଯୋଜନା ହୋଇଥିଲା। ଆବଶ୍ୟକୀୟ ଭିତ୍ତିଭୂମି ନଥବାରୁ ଏପରି କରାଯାଇଥିଲା। ତେବେ ତତ୍କାଳୀନ ଅଲିମ୍ପିକ ସଂଘ ସମ୍ପାଦକ ଆଶୀର୍ବାଦ ବେହେରାଙ୍କ ଉଦ୍ୟମ ଯୋଗୁଁ ବାରବାଟୀ ଡିର୍ମିଟୋରିକୁ ସଂପୂର୍ଣ୍ଣ ଭାବେ ସାଇ ପ୍ରଶିକ୍ଷଣ କେନ୍ଦ୍ରକୁ ହସ୍ତାନ୍ତର କରାଯାଇଥିଲା। ହେଲେ ଗ୍ୟାଲେରିରୁ କୋଠା ଘରକୁ ଆସିବା ପରେ ସ୍ଥିତି ସୁଧୁରିବା ପରିବର୍ତ୍ତେ ଆହୁରି ବିଗିଡ଼ିବା ଦେଖାଯାଉଛି। ହେଲେ ଏସବୁ ଅବ୍ୟବସ୍ଥା ଓ ପ୍ରତିକାର ସଂପର୍କରେ କେନ୍ଦ୍ର କର୍ତ୍ତୃପକ୍ଷ କୌଣସି ପ୍ରତିକ୍ରିୟା ଦେବାକୁ ମନା କରିଦେଇଛନ୍ତି। ତେଣୁ ରାଜ୍ୟ ସରକାର ଏଥିରେ ହସ୍ତକ୍ଷେପ କରି କ୍ରୀଡ଼ାବିତ୍‌ଙ୍କ ପାଇଁ ଉପଯୁକ୍ତ ଭିତ୍ତିଭୂମି ଯୋଗାଇଦେବାକୁ କିଛି ଖେଳାଳି ଓ ପ୍ରଶିକ୍ଷକ ନାମ ଗୋପନ ରଖି ଅନୁରୋଧ କରିଛନ୍ତି।

ସମ୍ବନ୍ଧିତ ଖବର