ଆଇସିସି ହଲ୍‌ ଅଫ୍‌ ଫେମ୍‌ରେ ସାଙ୍ଗାକାରା

ଲଣ୍ଡନ: ଶ୍ରୀଲଙ୍କା କିଂବଦନ୍ତି କୁମାର ସାଙ୍ଗାକାରା ବିଦ୍ଧିବଦ୍ଧ ଭାବେ ଆଇସିସି ହଲ୍‌ ଅଫ୍‌ ଫେମ୍‌ରେ ଯୋଡ଼ି ହୋଇଛନ୍ତି। କ୍ରିକେଟ୍‌ର ଦୁଇ ଫର୍ମାଟ୍‌ (ଟେଷ୍ଟ୍‌ ଓ ଦିନିକିଆ)ରେ ଶ୍ରୀଲଙ୍କାର ସର୍ବାଧିକ ରନ୍‌ ସ୍କୋରର୍‌ ସାଙ୍ଗକାରାଙ୍କୁ ଚଳିତ ଭାରତ-ନ୍ୟୁଜିଲାଣ୍ଡ ବିଶ୍ବ ଟେ‌ଷ୍ଟ ଚାମ୍ପିଅନ୍‌ସିପ୍‌ ଫାଇନାଲ୍‌ସର ତୃତୀୟ ଦିବସରେ ହିଁ ଭାରତୀୟ କିଂବଦନ୍ତି ସୁନିଲ ଗାଭାସ୍କର ସାମିଲ କରିଛନ୍ତି। ସେ ପ୍ରକୃତରେ ଗତ ସସ୍ତାହରେ ଅନ୍ୟ ୯ ଜଣଙ୍କ ସହିତ ଏଥିରେ ସାମିଲ ହୋଇଥିଲେ। ହେଲେ ରବିବାର ଏକ ଉତ୍ସବ ଅବସରରେ ଗାଭାସ୍କରଙ୍କ ଦ୍ବାରା ବିଦ୍ଧିବଦ୍ଧ ଭାବେ ଯୋଡ଼ି ହେଲେ। ଏହି ଅବସରରେ ଗାଭାସ୍କର ତାଙ୍କୁ ଏକ ସ୍ବତନ୍ତ୍ର ଟୋପି ଓ ଫଳକ ପ୍ରଦାନ କରି ଆଇସିସି ହଲ୍‌ ଅଫ୍‌ ଫେମ୍‌କୁ ସ୍ବାଗତ କରିଥିଲେ। ଉଭୟ ଗାଭାସ୍କର ଓ ସାଙ୍ଗାକାରା ଡବ୍ଲୁଟିସି ଫାଇନାଲ୍‌ରେ ଭାଷ୍ୟକାର ରହିଛନ୍ତି।

ସାଙ୍ଗାକାରା ଉଭୟ ଟେଷ୍ଟ୍‌ ଓ ଦିନିକିଆ ଆନ୍ତର୍ଜାତିକରେ ୧୦,୦୦୦ରୁ ଅଧିକ ରନ୍‌ ସ୍କୋର୍‌ କରିଛନ୍ତି। ଟେଷ୍ଟ୍‌ କ୍ୟାରିୟର ଶେଷ ବେଳକୁ ସେ ୫୭.୪୦ ହାରରେ ୧୨,୪୦୦ ଏବଂ ଦିନିକିଆରେ ୧୪,୨୩୪ ରନ୍‌ ନିଜ ନାମରେ ରଖିଥିଲେ। ୨୦୦୦ରେ ଟେଷ୍ଟ୍‌ ପଦାର୍ପଣ କରି ୨୦୧୫ରେ ଅବସର ନେବା ପୂର୍ବରୁ କ୍ରିକେଟ୍‌ର ଏହି ଲମ୍ବା ଫର୍ମାଟ୍‌ରେ ସେ ୩୮ ଶତକ ଓ ୫୨ ଅର୍ଦ୍ଧଶତକ ହାସଲ କରିଥିଲେ। ମୋଟ ୧୩୪ ଟେ‌ଷ୍ଟ୍‌ ଖେଳିଥିବା ସାଙ୍ଗାକାରା ଭାରତ ବିପକ୍ଷରେ ତାଙ୍କର ଶେଷ ଟେଷ୍ଟ୍‌ ଖେଳିଥିଲେ। ଅନ୍ୟପକ୍ଷରେ ସେହି ୨୦୦୦ରେ ପାକିସ୍ତାନ ବିପକ୍ଷରେ ଗଲ୍‌ରେ ସାଙ୍ଗାକାରା ଦିନିକିଆ ଆନ୍ତର୍ଜାତିକ ପଦାର୍ପଣ କରିଥିଲେ।

ଏହି ଫର୍ମାଟ୍‌ରେ ୪୦୪ ମ୍ୟାଚ୍‌ ଖେଳି ଦ୍ବିତୀୟ ସର୍ବାଧିକ ସ୍କୋରର୍‌ ଥିବା ସାଙ୍ଗାକାରା ନିଜ କ୍ୟାରିୟରରେ ୨୫ ଶତକ ଓ ୯୩ ଅର୍ଦ୍ଧଶତକ ହାସଲ କରିଥିଲେ। କିନ୍ତୁ ତାଙ୍କର ଶେଷ ଚରଣ ଦିନିକିଆ କ୍ୟାରିୟରରେ ସେ ଅଦମନୀୟ ଥିଲେ। ଯାହା ଫଳରେ ୨୦୧୫ ବିଶ୍ବକପ୍‌ରେ ସେ କ୍ରମାଗତ ୪ ଶତକ ଜମାଇଥିଲେ। ତେବେ ସେହି ବିଶ୍ବକପ୍‌ରେ କ୍ବାର୍ଟର ଫାଇନାଲ୍‌‌ରେ ସାଙ୍ଗାକାରା ୪୫ ରନ୍‌ରେ ଆଉଟ୍‌ ହୋଇଥିଲା ବେଳେ ଦକ୍ଷିଣ ଆଫ୍ରିକାଠାରୁ ଶ୍ରୀଲଙ୍କା ପରାସ୍ତ ହୋଇଥିଲା। ୨୦୧୪ ଟି-୨୦ ବିଶ୍ବକପ୍‌ ବିଜେତା ଦଳର ସଦସ୍ୟ ଥିବା ସାଙ୍ଗାକାରା ୫୬ ଟି-୨୦ ଆନ୍ତର୍ଜାତିକ ମ୍ୟାଚ୍‌ ଖେଳିଛନ୍ତି। ପ୍ରଥମ ବ୍ୟାଟ୍‌ସମ୍ୟାନ୍‌ ଭାବେ ଟେଷ୍ଟ୍‌ କ୍ରିକେଟ୍‌ରେ ୧୦,୦୦୦ ରନ୍‌ ସ୍କୋର୍‌ କରିଥିବା ଗାଭାସ୍କର ୨୦୧୮ରେ ମଧ୍ୟ ଭାରତୀୟ ବ୍ୟାଟ୍‌ସମ୍ୟାନ୍‌ ରାହୁଲ ଦ୍ରାବିଡ୍‌ଙ୍କୁ ହଲ୍‌ ଅଫ୍‌ ଫେମ୍‌ରେ ସାମିଲ କରିଥିଲେ।

ସମ୍ବନ୍ଧିତ ଖବର