ୟୁଏସ୍‌ ଓପନ୍‌ ପରେ ଅବସର ନେବେ ସେରେନା

ନ୍ୟୁୟର୍କ: ଚଳିତ ମାସ ଶେଷ ଆଡ଼କୁ ଖେଳାଯିବାକୁ ଥିବା ୟୁଏସ୍ ଓପନ୍ ଗ୍ରାଣ୍ଡସ୍ଲାମ୍ ପରେ ଆମେରିକୀୟ ମହିଳା ଟେନିସ୍ କିଂବଦନ୍ତି ସେରେନା ୱିଲିୟମ୍ସ ଅବସର ନେବେ। ଏହି ସଙ୍କେତ ନିଜେ ସେରେନା ଦେଇଛନ୍ତି। ଦୀର୍ଘଦିନ ହେବ ଟେନିସ୍ କୋର୍ଟରୁ ଦୂରେଇ ରହିଥିବା ସେ‌ରେନା ଟରୋଣ୍ଟୋ ଓପନ୍‌ରେ ଫେରିଛନ୍ତି। ଏହି ପ୍ରତିଯୋଗିତାର ଦ୍ବିତୀୟ ରାଉଣ୍ଡ୍‌ରେ ସ୍ପେନ୍‌ର ନୁରିଆ ପାରିଜାସ୍ ଡିଆଜଙ୍କୁ ପରାସ୍ତ କରି ସଂପୂର୍ଣ୍ଣ ସୁସ୍ଥ ଥିବାର ପ୍ରମାଣ ଦେଇଛନ୍ତି। ତେବେ ୪୦ ବର୍ଷୀୟା ସେରେନା ଏହି ମ୍ୟାଚ୍‌କୁ ଜିତିବା ପରେ କହିଛନ୍ତି ଯେ ମୋ ଟେନିସ୍ ଜୀବନର ଶେଷ ପର୍ଯ୍ୟାୟ ଆଲୋକକୁ ମୁଁ ସ୍ପଷ୍ଟ ଭାବେ ଦେଖିପାରୁଛି। ଅବସର ଶବ୍ଦକୁ ଅବଶ୍ୟ ମୁଁ ଆଦୌ ଭଲ ପାଏନି। ଏଣୁ ଏହାକୁ ବ୍ୟାଖ୍ୟା କରିବାର ଶ୍ରେଷ୍ଠ ଶବ୍ଦ ବିବର୍ତ୍ତନ ବୋଲି ଭାବୁଛି। ମୁଁ ଟେନିସ୍‌ରୁ କ୍ରମାଗତ ଭାବେ ଦୂରେଇ ଅନ୍ୟ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ଆଡ଼କୁ ଢଳିବାକୁ ଯାଉଛି। ଏହି କଥା ଜଣାଇବାକୁ ହିଁ ଆପଣମାନଙ୍କ ସମ୍ମୁଖକୁ ଆସିଛି। କିଛି ବର୍ଷ ପୂର୍ବେ ଭେଞ୍ଚର୍ସ ନାମକ ଏକ କଂପାନି ମୁଁ ସ୍ଥାପନ କରିଥିଲି। ଏବେ ଏହି କଂପାନି, ପରିବାର ଏବଂ ଅନ୍ୟକଥାକୁ ଅଧିକରୁ ଅଧିକ ସମୟ ଦେବାକୁ ଚାହୁଛି। ସୂଚନାଯୋଗ୍ୟ ଯେ ସେରେନା ତାଙ୍କ ଶେଷ ଗ୍ରାଣ୍ଡସ୍ଲାମ୍ ୨୦୧୭ ମସିହାରେ ଜିତିଥିଲେ। ସେବେଠାରୁ ଅନେକ ପ୍ରତିଯୋଗିତା ଖେଳିଥିଲେ ମଧ୍ୟ ନିଜ ୨୪ତମ ଗ୍ରାଣ୍ଡସ୍ଲାମ୍ ଟ୍ରଫି ଜିତିବାକୁ ସକ୍ଷମ ହୋଇନାହାନ୍ତି। ଫଳରେ ଅଷ୍ଟ୍ରେଲୀୟ କିଂବଦନ୍ତି ମାର୍ଗାରେଟ୍‌ କୋର୍ଟଙ୍କ ସର୍ବାଧିକ ଗ୍ରାଣ୍ଡସ୍ଲାମ୍ ବିଜୟ କୀର୍ତ୍ତିମାନକୁ ଛୁଇଁ ପାରିନାହାନ୍ତି। ସେରେନା ମଧ୍ୟ ୧୪ ଯୁଗଳ ଗ୍ରାଣ୍ଡସ୍ଲାମ୍, ୪ଟି ଅଲିମ୍ପିକ୍ସ ସ୍ବର୍ଣ୍ଣ ଜିତିଛନ୍ତି। ଏକଦା ସେ ମଧ୍ୟ ବିଶ୍ବ ଟେନିସର ସବୁଠାରୁ ଧନୀ ମହିଳା ତାରକା ଥିଲେ।

ସମ୍ବନ୍ଧିତ ଖବର