ସେରେନାଙ୍କ ସ୍ବପ୍ନ ଅଧୂରା

୩୭ ବର୍ଷ ବୟସ୍କା ସେରେନାଙ୍କ ପାଇଁ ତାଙ୍କ କୀର୍ତ୍ତିମାନ ସମକକ୍ଷ ୨୪ତମ ଗ୍ରାଣ୍ଡ୍‌ସ୍ଲାମ୍‌ ଟ୍ରଫି ଜିତିବାର ସ୍ବପ୍ନ ଅଧୂରା ରହିଗଲା। ପ୍ରଥମ ଥର ଲାଗି ମାତୃତ୍ବ ଲାଭ କରିବା ପରେ ସେରେନା ଆଉ ଗ୍ରାଣ୍ଡ୍‌ ସ୍ଲାମ୍‌ରେ ଚମକ ଦେଖାଇ ପାରିନଥିଲେ। ଯାହା ଫଳରେ ସର୍ବାଧିକ ଗ୍ରାଣ୍ଡ୍‌ ସ୍ଲାମ୍‌ ଟ୍ରଫି ଜିତିବାର କୀର୍ତ୍ତିମାନ ପ୍ରତିଷ୍ଠା ବିଳମ୍ବିତ ହୋଇଚାଲିଛି। ମାତୃତ୍ବ ଲାଭ ପରେ ପ୍ରତ୍ୟାବର୍ତନ କରିଥିବା ସେରେନା ଗତବର୍ଷ ୟୁଏସ୍‌ ଓପନ୍‌ ସାଙ୍ଗକୁ ଦୁଇ ଥର ୱିମ୍ବିଲଡନ୍‌ ଫାଇନାଲ୍‌ ପହଞ୍ଚିଥିଲେ ମଧ୍ୟ ଝୁଣ୍ଟିଥିଲେ। ସେଥିପାଇଁ ୨୩ତମ ଗ୍ରାଣ୍ଡ୍‌ ସ୍ଲାମ୍‌ ଟ୍ରଫିକୁ ଆଉ ଆଗକୁ ବଢ଼ାଇ ପାରିନଥିଲେ। ଚଳିତ ବର୍ଷ ଏଠାରେ ସୁଯୋଗ ଥିଲା। ଅନଭିଜ୍ଞ ଆନ୍ଦ୍ରିସ୍କୁଙ୍କୁ ପରାସ୍ତ କରିପାରିଥିଲେ ୨୪ତମ ଗ୍ରାଣ୍ଡ୍‌ ସ୍ଲାମ୍‌ ଜିତିଥାନ୍ତେ ଏବଂ ମାର୍ଗାରେଟ୍‌ କୋର୍ଟ (୨୪ ଗ୍ରାଣ୍ଡ୍‌ସ୍ଲାମ୍‌)ଙ୍କ ସମକକ୍ଷ ହୋଇଥାନ୍ତେ। ଏଥି ସହିତ ସପ୍ତମ ଥର ୟୁଏସ୍‌ ଓପନ୍‌ ଟ୍ରଫି ଜିତି କ୍ରିସ୍‌ ଏଭର୍ଟଙ୍କୁ ଟପିଥାନ୍ତେ। ହେଲେ ଉଭୟ ସ୍ବପ୍ନ ତାଙ୍କର ଅଧୂରା ରହିଗଲା। ଆନ୍ଦ୍ରିସ୍କୁଙ୍କ ନିକଟରୁ ହାରିଯିବା ପରେ ମାର୍ଗାରେଟ୍‌ କୋର୍ଟଙ୍କ ସମକକ୍ଷ ହେବାରୁ ବଞ୍ଚିତ ହେବା ସାଙ୍ଗକୁ ଏଭର୍ଟଙ୍କୁ ଟପିବା ସୁଯୋଗ ମଧ୍ୟ ହାତଛଡ଼ା ହୋଇଗଲା। ଏବେ ଏହି ଦୁଇ ସ୍ବପ୍ନ ସାକାର କରିବା ପାଇଁ ସେରେନାଙ୍କୁ ୨୦୨୦ ବର୍ଷକୁ ଅପେକ୍ଷା କରିବାକୁ ପଡ଼ିଲା।

ସମ୍ବନ୍ଧିତ ଖବର