ନୂଆଦିଲ୍ଲୀ: ମାଲେସିଆର ଜୋହର ବହରୁରେ ଅକ୍ଟୋବର ୬ରୁ ୧୩ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବାକୁ ଥିବା ଅଷ୍ଟମ ସୁଲ୍ତାନ ଜୋହର୍ କପ୍ ପାଇଁ ବୁଧବାର ଭାରତୀୟ କନିଷ୍ଠ ଦଳ ଘୋଷଣା ହୋଇଛି। ହକି ଇଣ୍ଡିଆ ଦ୍ୱାରା ଘୋଷିତ ୧୮ ଜଣିଆ ଦଳରେ ୩ ଜଣ ଓଡ଼ିଆ ଖେଳାଳି ସାମିଲ ହୋଇଛନ୍ତି। ଏହି ଦୁଇ ଓଡ଼ିଆ ହେଲେ ଶିଳାନନ୍ଦ ଲାକ୍ରା ଓ ସୁମନ ବେକ୍। ତେବେ ଶିଳାନନ୍ଦ ଦଳର ଉପଅଧିନାୟକ ଦାୟିତ୍ୱ ପାଇଥିଲା ବେଳେ ମନ୍ଦୀପ୍ ମୋର୍ ଅଧିନାୟକ ରହିଛନ୍ତି। ସମ୍ଭାବ୍ୟ ୨୪ ଜଣ ଖେଳାଳିଙ୍କୁ ନେଇ ବେଙ୍ଗାଲୁରୁର ସାଇରେ ଗତ ୧୭ ତାରିଖରୁ ପ୍ରଶିକ୍ଷଣ ଶିବିର ଆରମ୍ଭ ହୋଇଛି। ପ୍ରଶିକ୍ଷକ ଜୁଡେ ଫେଲିକ୍ସଙ୍କ ତତ୍ତ୍ୱାବଧାନରେ ପରିଚାଳିତ ଏହି ୧୭ ଦିନିଆ ଶିବିରର ତୃତୀୟ ଦିବସରେ ହିଁ ଚୂଡାନ୍ତ ଦଳ ଘୋଷିତ ହୋଇଛି। ଏହି ଶିବିରରେ ୪ ଜଣ ଓଡ଼ିଆ ସାମିଲ ଥିଲା ବେଳେ ଚୂଡାନ୍ତ ଦଳରୁ ସିରିଲ୍ ଲୁଗୁନ ଓ ଗ୍ରେଗୋରି ଖେସ୍ ବାଦ୍ ପଡ଼ିଛନ୍ତି। ଏଠାରେ ସୂଚନାଯୋଗ୍ୟ ଗତବର୍ଷ ଜୋହର୍ କପ୍ରେ କାଂସ୍ୟ ପଦକ ଜିତିଥିବା ଭାରତୀୟ ଦଳରେ ମଧ୍ୟ ଉଭୟ ଶିଳାନନ୍ଦ ଓ ସୁମନ ରହିଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp
ଏଥର ଜୋହର୍ କପ୍ରେ ଭାରତୀୟ ଦଳ ମୋଟ ୫ ରାଉଣ୍ଡ୍ ରବିନ୍ ମ୍ୟାଚ୍ ଖେଳିବ। ଏହି ମ୍ୟାଚ୍ଗୁଡ଼ିକରେ ଯଥାକ୍ରମେ ଆୟୋଜକ ମାଲେସିଆ, ନ୍ୟୁଜିଲାଣ୍ଡ୍, ଜାପାନ, ଅଷ୍ଟ୍ରେଲିଆ ଓ ବ୍ରିଟେନ୍ ବିପକ୍ଷରେ ଭାରତ ଖେଳିବ। ରାଉଣ୍ଡ୍ ରବିନ୍ ମ୍ୟାଚ୍ ଶେଷରେ ଶ୍ରେଷ୍ଠ ଦୁଇ ଦଳ ମଧ୍ୟରେ ଅକ୍ଟୋବର ୧୩ ତାରିଖରେ ଫାଇନାଲ୍ ମୁକାବିଲା ହେବ। ଅନ୍ୟ ୪ ଦଳ ମଧ୍ୟରେ ତୃତୀୟରୁ ଷଷ୍ଠ ସ୍ଥାନ ପାଇଁ କ୍ଲାସିଫିକେସନ୍ ମ୍ୟାଚ୍ ଖେଳାଯିବ। ଭାରତୀୟ ଦଳ ଅକ୍ଟୋବର ୬ ତାରିଖ ପ୍ରତିଯୋଗିତାର ପ୍ରଥମ ଦିବସରେ ମାଲେସିଆକୁ ଭେଟି ଅଭିଯାନ ଆରମ୍ଭ କରିବ। ଏହାପରେ ୭ରେ ନ୍ୟୁଜିଲାଣ୍ଡ୍, ୯ରେ ଜାପାନ, ୧୦ରେ ଅଷ୍ଟ୍ରେଲିଆ ଓ ୧୨ରେ ବ୍ରିଟେନ୍କୁ ଭେଟିବ।
ଭାରତୀୟ ଦଳ: କମଲ୍ବୀର ସିଂହ ଓ ପଙ୍କଜ କୁମାର ରଜାକ୍ (ଗୋଲ୍ରକ୍ଷକ), ସୁମନ ବେକ୍, ମହମ୍ମଦ ଫରାଜ୍, ସୋମଜିତ୍, ମନ୍ଦୀପ୍ ମୋର୍ (ଅଧିନାୟକ), ପ୍ରିନ୍ସ ଓ ବରିନ୍ଦର ସିଂହ (ରକ୍ଷଣଭାଗ), ୟଶ୍ଦୀପ୍ ସିଓ୍ଵାଚ୍, ହର୍ମନ୍ଜିତ୍ ସିଂହ, ବିଷ୍ଣୁକାନ୍ତ ସିଂହ, ଗୋପୀ କୁମାର ସୋନ୍କାର, ବିଶାଲ ଅନ୍ତିଲ ଓ ହସ୍ପ୍ରୀତ୍ ସିଂହ (ମଧ୍ୟଭାଗ), ଶିଳାନନ୍ଦ ଲାକ୍ରା (ଉପଅଧିନାୟକ), ଗୁରସାହବ୍ଜିତ୍ ସିଂହ, ଅଭିଷେକ, ପ୍ରଭ୍ଜୋତ୍ ସିଂହ (ପୂରୋଭାଗ)।