ଦକ୍ଷିଣ ଆଫ୍ରିକା ଜିତିଲା ଟ୍ବେଣ୍ଟି-୨୦ ଶୃଙ୍ଖଳା: ଉଦାନାଙ୍କ ୪୮ ବଲ୍‌ ୮୪* ବେକାର

ସେଞ୍ଚୁରିଅନ୍‌,: ଦକ୍ଷିଣ ଆଫ୍ରିକା ଗସ୍ତରେ ଐତିହାସିକ ଟେଷ୍ଟ୍ ଶୃଙ୍ଖଳା ଜିତିଥିଲେ ମଧ୍ୟ ଶ୍ରୀଲଙ୍କା କ୍ରିକେଟ୍‌ ଦଳ ଉଭୟ ସୀମିତ ଓଭର ଶୃଙ୍ଖଳାରେ ପ୍ରଥମ ବିଜୟ ପାଇଁ ସଂଘର୍ଷ କରୁଛି। ଦିନିକିଆକୁ ୦-୫ରେ ହାରିଥିବା ସିଂହଳି ଦଳ ଟ୍ବେଣ୍ଟି-୨୦ ଶୃଙ୍ଖଳାକୁ ବି ହାରିଯାଇଛି। ପ୍ରଥମ ଟ୍ବେଣ୍ଟି-୨୦କୁ ଟାଇ ପରେ ସୁପରଓଭରରେ ଜିତିଥିବା ଦକ୍ଷିଣ ଆଫ୍ରିକା ଶୁକ୍ରବାର ଦ୍ବିତୀୟ ମ୍ୟାଚ୍‌କୁ ୧୬ ରନ୍‌ରେ ଜିତିଛି। ଦକ୍ଷିଣ ଆଫ୍ରିକା ୨୦ ଓଭରରେ ୩ ୱିକେଟ୍‌ ହରାଇ ୧୮୦ ରନ୍ କରିଥିଲା। ରିଜା ହେଣ୍ଡ୍ରିକ୍ସ (୬୫, ୪୬ ବଲ), ହୁସେନ୍ ଭାନ୍‌ ଡେର୍ ଦୁସେନ‌୍‌ (୬୪, ୪୪ ବଲ), ଜେପି ଡୁମିନି (୩୩*, ୧୭ ବଲ) ଆକର୍ଷଣୀୟ ବ୍ୟାଟିଂ କରିଥିଲେ। ଜବାବରେ ଶ୍ରୀଲଙ୍କା ଇସୁରୁ ଉଦାନାଙ୍କ ବିସ୍ଫୋରକ ବ୍ୟାଟିଂ ସତ୍ତ୍ବେ ୧୬୪/୪ରେ ସୀମିତ ରହିଯାଇଥିଲା। ୮ ନମ୍ବର ସ୍ଥାନରେ ବ୍ୟାଟିଂ କରିଥିବା ଉଦାନା ମାତ୍ର ୪୮ ବଲ୍‌ରୁ ୮୪* ରନ୍ କରିଥିଲେ। ଏହା ମଧ୍ୟରେ ୮ ଚୌକା, ୬ ଛକା ସାମିଲ ଥିଲା। ଅନ୍ୟ କେହି ଭଲ ବ୍ୟାଟିଂ କରିପାରିନଥିଲେ। ନିରୋଶାନ ଡିକୱାଲା (୨୦, ୧୫ ବଲ) ଏବଂ ତିସରା ପେରେରା (୨୨, ୧୫ ବଲ) ଭଲ ଆରମ୍ଭ ପାଇଥିଲେ ମଧ୍ୟ ନିରାଶ କରିଥିଲେ। ଦକ୍ଷିଣ ଆଫ୍ରିକା ପକ୍ଷରୁ କ୍ରିସ୍ ମୋରିସ୍ ସର୍ବାଧିକ ୩ ୱିକେଟ୍ ନେଇଥିବା ବ‌େଳେ ଡେଲ୍ ଷ୍ଟେନ୍ ଓ ତାବ୍ରିଜ୍ ସାମ୍‌ସି ୨-୨ ୱିକେଟ୍ ଦଖଲ କରିଥିଲେ। ଭାନ ଦୁସେନ୍‌ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ।

ସଂକ୍ଷିପ୍ତ ସ୍କୋର: ଦକ୍ଷିଣ ଆଫ୍ରିକା ୨୦ ଓଭରରେ ୧୮୦/୩ (ରିଜା ହେଣ୍ଡ୍ରିକ୍ସ-୬୫, ଭାନ୍ ‌ଡେର୍ ଦୁସେନ୍‌-୬୪, ମାଲିଙ୍ଗା-୧/୨୬)। ଶ୍ରୀଲଙ୍କା ୨୦ ଓଭରରେ ୧୬୪/୯ (ଇସୁରୁ ଉଦାନା-୮୪*, କ୍ରିସ୍ ମୋରିସ୍-୩/୩୨, ତାବ୍ରିଜ୍ ସାମ୍‌ସି-୨/୧୬, ଡେଲ୍ ଷ୍ଟେନ୍-୨/୩୪)।

ସମ୍ବନ୍ଧିତ ଖବର