ସୁପର ଓଭରରେ ଜିତିଲା ଦକ୍ଷିଣ ଆଫ୍ରିକା

ନାଟକୀୟ ପ୍ରତ୍ୟାବତର୍ନ ପରେ ଶ୍ରୀଲଙ୍କା ନିରାଶ

କେପଟାଉନ୍: କେପଟାଉନ୍ ଟ୍ବେଣ୍ଟି-୨୦ରେ ଦକ୍ଷିଣ ଆଫ୍ରିକା ନାଟକୀୟ ବିଜୟ ହାସଲ କରିଛି। ମ୍ୟାଚ୍ ଟା‌ଇ ରହିବା ପରେ ସୁପର ଓଭରରେ ଏହି ଦଳ ବାଜି ମାରି ନେଇଛି। ମଙ୍ଗଳବାର ଶ୍ରୀଲଙ୍କା ଧାର୍ଯ୍ୟ କରିଥିବା ୧୩୫ ରନ୍‌ର ବିଜୟ ଲକ୍ଷ୍ୟକୁ ପିଛା କରି ଦକ୍ଷିଣ ଆଫ୍ରିକା ଏକଦା ମାତ୍ର ୪ ୱିକେଟ୍‌ ବିନିମୟରେ ୧୧୮ ରନ୍ କରି ନେଇଥିଲା। ହେଲେ ପରବର୍ତୀ ସମୟରେ ୧୫ ରନ୍‌ରେ ୫ ୱିକେଟ୍ ହରାଇ ମ୍ୟାଚ୍‌କୁ ଟାଇ ରଖିଥିଲା। ଶେଷ ୪ ଓଭରରୁ ୧୮ ଏବଂ ଶେଷ ଓଭରରୁ ମାତ୍ର ୫ ରନ୍‌ର ଦରକାର ଥିଲେ ମଧ୍ୟ ହାତରେ ୩ ୱିକେଟ୍ ଥାଇ ଦକ୍ଷିଣ ଆଫ୍ରିକା ଏହାକୁ ହାସଲ କରି ପାରି ନଥିଲା। ସୁପର ଓଭରରେ ଡେଭିଡ୍ ମିଲର ଓ ରାଶି ଭାନଡର ଦୁସେନ ଲସିଥ ମାଲିଙ୍ଗଙ୍କ ୬ ବଲ୍‌ରୁ ୧୪ ରନ୍ କରିଥିଲେ। ଏହାର ଜବାବରେ ଇମ୍ରାନ ତାହିରଙ୍କ ଓଭରରୁ ଶ୍ରୀଲଙ୍କା ‌ଯୋଡ଼ି ଥିସାରା ପେରେରା ଓ ଅଭିସ୍କା ଫର୍ନା‌ଣ୍ଡୋ ମାତ୍ର ୫ ରନ୍ କରି ପାରିଥିଲେ। ଫଳରେ ରୋମାଞ୍ଚକର ଫଳାଫଳ ସହ ଦକ୍ଷିଣ ଆଫ୍ରିକା ୩ ମ୍ୟାଚ୍ ବିଶିଷ୍ଟ ଶୃଙ୍ଖଳାରେ ୧-୦ରେ ଆଗୁଆ ହୋଇଥିଲା।
ଶ୍ରୀଲଙ୍କା ମଙ୍ଗଳବାର ନିର୍ଧାରିତ ୨୦ ଓଭରରେ ୭ ୱିକେଟ୍ ହରାଇ ୧୩୪ ରନ୍ କରିଥିଲା। ଦକ୍ଷିଣ ଆଫ୍ରିକା ସମାନ ସଂଖ୍ୟକ ଓଭରରେ ୮ ୱିକେଟ୍ ବିନିମୟରେ ସେହି ୧୩୪ ରନ୍‌ରେ ଅଟକି ଗଲା। ୧୩୫ ରନ୍‌ର ଛୋଟିଆ ବିଜୟ ଲକ୍ଷ୍ୟ ନେଇ ବ୍ୟାଟିଂ କରିଥିବା ଦକ୍ଷିଣ ଆଫ୍ରିକା ୩୩ ରନ୍‌ରେ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ କ୍ବିଣ୍ଟନ୍ ଡି କକ୍ (୧୩) ଓ ରିଜା ହେଣ୍ଡ୍ରିକ୍ସ (୯)ଙ୍କୁ ହରାଇଥିଲା। ଅଧିନାୟକ ଫାଫ୍ ଡୁ ପ୍ଲେସିସ୍ (୨୧) ମଧ୍ୟ ବଡ଼ ସ୍କୋର କରି ପାରି ନଥିଲେ। ହେଲେ ରାଶି ଭାନଡର ଦୁସେନ ଓ ଡେଭିଡ୍ ମିଲରଙ୍କ ୬୬ ରନ୍‌ର ତୃତୀୟ ୱିକେଟ୍ ପାଇଁ ଦକ୍ଷିଣ ଆଫ୍ରିକା ଏକପ୍ରକାର ବିଜୟ ଦ୍ବାର ଦେଶରେ ପହଞ୍ଚି ଯାଇଥିଲା। ଏହା ପରେ କିନ୍ତୁ ଗୋଟିଏ ପରେ ଗୋଟିଏ ୱିକେଟ୍ ନେଇ ଶ୍ରୀଲଙ୍କା ବୋଲର ମ୍ୟାଚ୍‌ର ମୋଡ଼ ବଦଳାଇ ଦେଇଥିଲେ। ଶେଷ ୪ ଓଭରରୁ ବିଜୟ ପାଇଁ ୧୮ ରନ୍ ଥିଲା ବେଳେ ଦକ୍ଷିଣ ଆଫ୍ରିକା ହାତରେ ୬ ୱିକେଟ୍ ଥିଲା। ମାଳିଙ୍ଗା‌ଙ୍କ ସହ ଶ୍ରୀଲଙ୍କା ବୋଲରଙ୍କ ଶାଣିତ ବୋଲିଂ ପାଇଁ ଏହା ଶେଷରେ ସମ୍ଭବ ହୋଇ ନଥିଲା।
ସଂକ୍ଷିପ୍ତ ସ୍କୋର: ଶ୍ରୀଲଙ୍କା ୨୦ ଓଭରରେ ୧୩୪/୭ (କୁଶଲ ମେଣ୍ଡିସ୍ ୪୧, ଥିସାରା ପେରେରା ୧୯, ଆନ୍ଦିଲ ଫେଲୁକ୍ବାଓ ୩/୨୫, ଇମ୍ରାନ୍ ତାହିର ୧/୨୧, ଡେଲ୍ ଷ୍ଟେନ୍ ୧/୨୫)। ଦକ୍ଷିଣ ଆଫ୍ରିକା ୨୦ ଓଭରରେ ୧୩୪/୮ (ରାଶି ଭାନଡର ଦୁସେନ ୩୪ , ଡେଭିଡ୍ ମିଲର ୪୧, ଫାଫ୍ ଡୁ’ ପ୍ଲେସିସ୍ ୨୧, ଲସିଥ ମାଲିଙ୍ଗା ୨/୧୧, ଜେଫ୍ରି ଭାନଡରସେ ୧/୨୫, ଅକିଳ ଧନଞ୍ଜୟ ୧/୨୮)। ସୁପରଓଭର ଦକ୍ଷିଣ ଆଫ୍ରିକା ୧୪। ଶ୍ରୀଲଙ୍କା ୫।

ସମ୍ବନ୍ଧିତ ଖବର