ଆଜିଠୁ ରାଜ୍ୟ ଦୌଡ଼କୁଦ ଦୂତି ମୁଖ୍ୟ ଆକର୍ଷଣ: ଅମୀୟ, ଶ୍ରାବଣୀ ଆସିବେନି

କଟକ: ଓଡ଼ିଶା ଦୌଡ଼କୁଦ ସ˚ଘ ଆନୁକୂଲ୍ୟରେ ବାରବାଟୀ ଷ୍ଟାଡିୟମରେ ଶୁକ୍ରବାରଠୁ ରାଜ୍ୟ ଦୌଡ଼କୁଦ ପ୍ରତିଯୋଗିତା ଆରମ୍ଭ ହେବ। ତିନିଦିନ ଧରି ଚାଲିଥିବାକୁ ଥିବା ଏହି ପ୍ରତିଯୋଗିତାରେ ୧୪ , ୧୬, ୧୮ ଓ ୨୦ ବର୍ଷରୁ କମ୍‌ ବୟସ ବର୍ଗ ସହିତ ପୁରୁଷ ଓ ମହିଳା ବର୍ଗରେ ଏକାଧିକ ଇଭେଣ୍ଟ ଅନୁଷ୍ଠିତ ହେବ। ସମସ୍ତ ଥ୍ରୋ ଇଭେଣ୍ଟ୍‌ଗୁଡ଼ିକ ଓଡ଼ିଶା ପୁଲିସ୍‌ ରିଜର୍ଭ ପଡ଼ିଆ ଓ ସତ୍ୟବ୍ରତ ଷ୍ଟାଡିୟମରେ ଅନୁଷ୍ଠିତ ହେବ। ଏହି ପ୍ରତିଯୋଗିତାରେ ଅଲମ୍ପିଆନ୍‌ ଦୂତି ଚାନ୍ଦ ମୁଖ୍ୟ ଆକର୍ଷଣ ସାଜିବାକୁ ଯାଉଛନ୍ତି। ସେ ୧୦୦ ମିଟର ଓ ୨୦୦ ମିଟର ଦୌଡ଼ରେ ଭାଗ ନେଉଛନ୍ତି। ସେହିପରି ଅନ୍ୟତମ ଆନ୍ତର୍ଜାତିକ କ୍ରୀଡ଼ାବିତ୍‌ ପ୍ରଜ୍ଞା ପାରମିତା ସାହୁ ୧୦୦ ମିଟର ବାଧାଦୌଡ଼ରେ ପ୍ରତିଦ୍ବନ୍ଦିତା କରୁଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ ଜାତୀୟ ପ୍ରତିଯୋଗିତା ପାଇଁ ପ୍ରସ୍ତୁତି ଚଳାଇଥିବାରୁ ଅମୀୟ ମଲ୍ଲିକ ଓ ଶ୍ରାବଣୀ ନନ୍ଦ ରାଜ୍ୟ ଦୌଡ଼କୁଦରେ ଅ˚ଶଗ୍ରହଣ କରୁନଥିବା ଜଣାପଡ଼ିଛି। ଜାତୀୟ ଓ ଆନ୍ତର୍ଜାତିକ ଦୌଡ଼କୁଦ ପାଇଁ ଏବେ ପ୍ରସ୍ତୁତି ଜୋରଦାର କରାଯାଉଛି। ଚଳିତ ଋତୁରେ ଫେବ୍ରୁଆରି ଶେଷ ଆଡ଼କୁ ଆନ୍ତର୍ଜାତିକ ଇଭେଣ୍ଟଗୁଡ଼ିକ ଆରମ୍ଭ ହୋଇଯିବ। ଏଭଳି ସ୍ଥିତିରେ ଯଦି ରାଜ୍ୟ ଦୌଡ଼କୁଦକୁ ଧ୍ୟାନ ଦିଆଯିବ, ତାହେଲେ ପ୍ରସ୍ତୁତି ପ୍ରକ୍ରିୟାରେ ବାଧା ସୃଷ୍ଟି ହେବ ବୋଲି ଅମୀୟ କହିଛନ୍ତି।

ସମ୍ବନ୍ଧିତ ଖବର