ରାଜ୍ୟ ଓପନ୍ ବ୍ୟାଡ୍‌ମିଣ୍ଟନରେ ୩ ଲକ୍ଷ ପୁରସ୍କାର

୨୨ରୁ ଆରମ୍ଭ, ୧୧ ବର୍ଗରେ ପ୍ରତିଦ୍ବନ୍ଦ୍ବିତା

ଭୁବନେଶ୍ବର: ଆମେଚର ବ୍ୟାଡମିଣ୍ଟନ୍ କ୍ଲବ୍ (ଏବିସି) ଭୁବନେଶ୍ବର ଆନୁକୂଲ୍ୟରେ ପଞ୍ଚମ ନଳିନୀକାନ୍ତ ମହାନ୍ତି ସ୍ମାରକୀ ରାଜ୍ୟ ଓପନ୍ ରୢାଙ୍କିଙ୍ଗ୍ ବ୍ୟାଡମିଣ୍ଟନ ପ୍ରତିଯୋଗିତା ଆସନ୍ତା ୨୨ ତାରିଖରୁ ଆରମ୍ଭ ହେବ। ୨୫ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ପ୍ରତିଯୋଗିତା ପୂର୍ବତଟ ରେଳବାଇ ଇନ୍‌ଡୋର ଷ୍ଟାଡିୟମରେ ଖେଳାଯିବ। ଏଥିରେ ପୁରୁଷ, ମହିଳା, ଯୁବ (୧୯ ବର୍ଷରୁ କମ୍), କିଶୋର (୧୭ ବର୍ଷରୁ କମ୍), କି‌ଶୋରୀ (୧୭ ବର୍ଷରୁ କମ୍), ବାଳକ (୧୫ ବଷର୍ରୁ କମ୍) ଓ ପୁରୁଷ ଭେଟେରାନ୍ (୪୫ ବର୍ଷରୁ ଉର୍ଧ୍ବ) ଆଦି ୧୧ ଇଭେଣ୍ଟର ଏକକ ଓ ଯୁଗଳ ବର୍ଗରେ ପ୍ରତିଦ୍ବନ୍ଦ୍ବିତା ହେବ। ସମସ୍ତ ବିଭାଗର ଏକକ ଓ ଯୁଗଳ ବର୍ଗ ଲାଗି ପ୍ରବେଶିକା ଦେୟ ୪୦୦ ଏବଂ ୮୦୦ ଟଙ୍କା ରଖା ଯାଇଛି। ଅନ୍ୟପକ୍ଷରେ ଜଣେ ଖେଳାଳି ଦୁଇଟିରୁ ଅଧିକ ବର୍ଗରେ ଭାଗ ନେଇ ନପାରିବାର ନିୟମ ରହିଛି। ପ୍ରତିଯୋଗିତା ଲାଗି ୩ ଲକ୍ଷ ଟଙ୍କାର ପୁରସ୍କାର ରାଶି ଏବଂ ୨୫ ଲକ୍ଷ ଟଙ୍କାର ବ୍ୟୟ ବରାଦ ରଖା ଯାଇଛି। ଓଡ଼ିଶା ବ୍ୟାଡ୍‌ମିଣ୍ଟନ ସଂଘର ନିୟମ ଅନୁଯାୟୀ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା ଖେଳିଳିଙ୍କୁ ମାନ୍ୟତା ପ୍ରଦାନ କରାଯିବ। ୨୨ ତାରିଖ ପୂର୍ବାହ୍ନ ୧୧ଟାରେ ପ୍ରତିଯୋଗିତାର ଶୁଭ ଉଦ୍‌ଘାଟନ ହେବ। ରବିବାର ପ୍ରତିଯୋଗିତାର ଜର୍ସି ଉନ୍ମୋଚନ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି। ଏଥିରେ କ୍ଲବ୍‌ର ସଂପାଦକ ଚଣ୍ଡି ପ୍ରସାଦ ଦାସ, ସଭାପତି ପୃଥ୍ବୀ ବଲ୍ଲଭ ପଟ୍ଟନାୟକ, କାର୍ଯ୍ୟକାରୀ ସଭାପତି ବିବେକାନନ୍ଦ ମିଶ୍ର, ବରିଷ୍ଠ ଉପସଭାପତି କମଲ ଲୋଚନ ମହାନ୍ତି ଓ କାର୍ଯ୍ୟକାରିଣୀ ସଦସ୍ୟ ବିକ୍ରମ ମହାନ୍ତିଙ୍କ ସହ ଅନ୍ୟାନ୍ୟ କର୍ମକର୍ତା ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର