ରାଜ୍ୟ ମହିଳା ହକି: ପାନପୋଷ କ୍ରୀଡ଼ା ଛାତ୍ରାବାସ-ଓଡ଼ିଶା ପୁଲିସ, ଖୋର୍ଦ୍ଧା-ସୁନ୍ଦରଗଡ଼ ସେମିଫାଇନାଲ୍‌

ରାଉରକେଲା: ରାଜ୍ୟସ୍ତରୀୟ ମହିଳା ହକି ପ୍ରତିଯୋଗିତାରେ ରବିବାର ପୁଲ୍‌ ପର୍ଯ୍ୟାୟ ମ୍ୟାଚ୍‌ ଶେଷ ହୋଇଛି। ସର୍ବାଧିକ ପଏଣ୍ଟ୍‌ ହାସଲ କରି ପୁଲ୍‌ ଏ’ରୁ ପାନପୋଷ କ୍ରୀଡ଼ା ଛାତ୍ରାବାସ ଓ ସୁନ୍ଦରଗଡ଼ ଜିଲ୍ଲା ଏବଂ ପୁଲ୍‌ ବି’ରୁ ଓଡ଼ିଶା ପୁଲିସ ଓ ଖୋର୍ଦ୍ଧା ଜିଲ୍ଲା ସେମିଫାଇନାଲ ସ୍ଥାନ ପକ୍କା କରିଛନ୍ତି। ସୋମବାର ପୂର୍ବାହ୍ନରେ ପ୍ରଥମ ସେମିଫାଇନାଲ ପାନପୋଷ କ୍ରୀଡ଼ାଛାତ୍ରାବାସ ଓ ଓଡ଼ିଶା ପୁଲିସ ଏବଂ ଦ୍ବିତୀୟରେ ଖୋର୍ଦ୍ଧା ଓ ସୁନ୍ଦରଗଡ଼ ମଧ୍ୟରେ ଖେଳାଯିବ। ଅପରାହ୍ନରେ ଫାଇନାଲ୍‌ ଖେଳାଯିବ। ରବିବାର ଖେଳାଯାଇଥିବା କ୍ବାର୍ଟର ଫାଇନାଲ୍‌ରେ ପାନପୋଷ ଦଳ ଅପରାଜେୟ କୀର୍ତ୍ତିମାନ ଜାରି ରଖି ରବିବାର ପ୍ରଥମ ମ୍ୟାଚ୍‌ରେ ସଂପୂର୍ଣ୍ଣ ଏକତରଫାଭାବେ ୧୧-୦ ଗୋଲ୍‌ରେ ଢେଙ୍କାନାଳକୁ ପରାସ୍ତ କରିଛି। ସେହିଭଳି ସୁନ୍ଦରଗଡ଼ ୯-୧ ଗୋଲରେ ସମ୍ବଲପୁରକୁ, ଖୋର୍ଦ୍ଧା ୩-୧ ଗୋଲ୍‌ରେ ଓଡ଼ିଶା ପୁଲିସକୁ ଏବଂ ସାଇ (ସୁନ୍ଦରଗଡ଼) ୫-୧ ଗୋଲ୍‌ରେ କିସ୍‌ (ଭୁବନେଶ୍ବର)କୁ ପରାସ୍ତ କରିଛି। ପ୍ରତିଯୋଗିତା ନିର୍ଦ୍ଦେଶକ ଅମୂଲ୍ୟାନନ୍ଦ ବିହାରୀଙ୍କ ତତ୍ତ୍ବାବଧାନରେ ପରିଚାଳିତ ଆଜିର ମ୍ୟାଚ୍‌କୁ ବର୍ଣ୍ଣାଡ୍‌ ଲାକ୍ରା, ସଂଜୀବନ କେର୍କେଟା, ପ୍ରୟାସ ସୋନୀ, ଆକାଶ ତିର୍କି, ଜୀବନ କେର୍କେଟା ଓ ରମନଦୀପ ଲାକ୍ରା ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର