ଅଷ୍ଟ୍ରେଲିଆକୁ ବିଜୟ ଦେଲେ ଷ୍ଟାର୍କ, ହାଜ୍‌ଲେଉଡ୍‌

ଇଂଲଣ୍ଡ ୧୨୦ ରନ୍‌ରେ ପରାସ୍ତ; ୦-୨ରେ ପଛୁଆ

ଆଡିଲେଡ୍‌: ବିଜୟ ଆଶା ନେଇ ଇଂଲଣ୍ଡ ଦଳ ଆଡିଲେଡ୍‌ ଟେଷ୍ଟର ପଞ୍ଚମ ତଥା ଅନ୍ତିମ ଦିବସରେ ପଡ଼ିଆକୁ ଓହ୍ଲାଇଥିଲା। ଲକ୍ଷ ୩୫୪ ରନ୍‌ ଥିଲା ବେଳେ ଇଂଲଣ୍ଡ ୬ ଓ୍ଵିକେଟ୍‌ ହାତରେ ଥାଇ ୧୭୮ ରନ୍‌ ଆବଶ୍ୟକ କରୁଥିଲା। ୬୭ ରନ୍‌ରେ ଅପରାଜିତ ଥିବା ଜୋ ରୁଟ୍‌ କ୍ରିଜ୍‌ରେ ଥିବାରୁ ଦଳର ଆଶା ବଳବତ୍ତର ରହିଥିଲା। ହେଲେ ଦ୍ରୁତ ବୋଲର ମିଚେଲ ଷ୍ଟାର୍କ ଓ ଜୋସ୍‌ ହାଜ୍‌ଲେଉଡ୍‌ ସବୁକିଛି ଓଲପାଲଟ କରିଦେଲେ। ଏହି ଦୁଇ ଦ୍ରୁତ ବୋଲରଙ୍କ ସାମ୍‌ନାରେ ତିଷ୍ଠିନପାରି ଇଂଲଣ୍ଡ ଅନ୍ତିମ ଦିବସରେ ୫୭ ରନ୍‌ରେ ଅବଶିଷ୍ଟ ୬ ଓ୍ଵିକେଟ୍‌ ହରାଇ ଶୋଚନୀୟ ପରାଜୟ ବରଣ କଲା। ଇଂଲଣ୍ଡ ଶେଷ ଦିନ ମାତ୍ର ୨୨.୨ ଓଭର ତିଷ୍ଠି ରହିପାରିଥିଲା। ଶେଷ ଦିନର ପ୍ରଥମ ଓଭରରେ କ୍ରିସ୍‌ ଓକ୍‌ସ (୫)ଙ୍କୁ ଏବଂ ତୃତୀୟ ଓଭରରେ ରୁଟ୍‌ (୬୭)ଙ୍କୁ ନିଜ ନିଜର ପୂର୍ବଦିନ ସ୍କୋର୍‌ରେ ହିଁ ପାଭିଲିଅନ୍‌ ପଠାଇ ଦେଇ ହାଜ୍‌ଲେଉଡ୍‌ ଅଷ୍ଟ୍ରେଲିଆ ବିଜୟ ସୁନିଶ୍ଚିତ କରିଦେଇଥିଲେ। ହାଜ୍‌ଲେଉଡ୍‌ଙ୍କ ଯୁଗଳ ଝଟ୍‌କା ପରେ ଇଂଲଣ୍ଡ ଆଉ ତିଷ୍ଠି ପାରିନଥିଲା। ମୋଇନ୍‌ ଅଲ୍ଲୀ (୨)ଙ୍କୁ ସ୍ପିନର ନାଥନ୍‌ ଲିୟନ୍‌ ଆଉଟ୍‌ କରିଦେବା ପରେ ଇଂଲଣ୍ଡ ଆଉ ମାତ୍ର ୧୩.୨ ଓଭର ପର୍ଯ୍ୟନ୍ତ ଲଢ଼ିଥିଲା। ହେଲେ ଷ୍ଟାର୍କଙ୍କ ଘାତକ ବୋଲିଂ ଇଂଲଣ୍ଡକୁ ୨୩୩ ରନ୍‌ରେ ଅଟକାଇ ଦେଇଥିଲା। ଜନ୍‌ ବେୟାରଷ୍ଟୋ (୩୬), ଓଭର୍‌ଟନ୍‌ (୭) ଓ ଷ୍ଟୁଆର୍ଟ ବ୍ରଡ୍‌ (୮)ଙ୍କୁ ଆଉଟ୍‌ କରି ଷ୍ଟାର୍କ ଅଷ୍ଟ୍ରେଲିଆକୁ ବିଜୟ ଭେଟି ଦେଇଥିଲେ। ଇଂଲଣ୍ଡ ଦ୍ୱିତୀୟ ପାଳି ୮୪,୨ ଓଭରରେ ୨୩୩ ରନ୍‌ରେ ସୀମିତ ରହିଯିବାରୁ ଅଷ୍ଟ୍ରେଲିଆ ୧୨୦ ରନ୍‌ରେ ମ୍ୟାଚ୍‌ ଜିତି ନେଇଥିଲା। ଏଥି ସହିତ ଘରୋଇ ଦଳ ମଧ୍ୟ ୫ ମ୍ୟାଚ୍‌ ବିଶିଷ୍ଟ ଶୃଙ୍ଖଳାରେ ୨-୦ର ଅଗ୍ରଣୀ ପାଇଗଲା। ପ୍ରଥମ ପାଳିରେ ଅପରାଜିତ ଶତକ ହାସଲ କରିଥିବା ସନ୍‌ ମାର୍ସ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ। ପର୍ଥରେ ଖେଳାଯିବାକୁ ଥିବା ତୃତୀୟ ଟେଷ୍ଟ ଜିତିଗଲେ ଅଷ୍ଟ୍ରେଲିଆ ଆସେସ୍‌ ବଜାୟ ରଖିବ।

ସଂକ୍ଷିପ୍ତ ସ୍କୋର୍‌: ଅଷ୍ଟ୍ରେଲିଆ ପ୍ରଥମ ପାଳି ୪୪୨/୮ରେ ଘୋଷିତ ଏବଂ ଦ୍ୱିତୀୟ ପାଳି: ୧୩୮। ଇଂଲଣ୍ଡ ପ୍ରଥମ ପାଳି: ୨୨୭ ଓ ଦ୍ୱିତୀୟ ପାଳି: ୨୩୩ (ରୁଟ୍‌-୬୭, ବେୟାରଷ୍ଟୋ-୩୬, ଷ୍ଟୋନ୍‌ମ୍ୟାନ-୩୬, ଷ୍ଟାର୍କ-୫/୮୮, ହାଜ୍‌ଲେଉଡ୍‌-୨/୪୯, ଲିୟନ୍‌-୨/୪୫, କୁମିନ୍‌ସ-୧/୩୯)।

ସମ୍ବନ୍ଧିତ ଖବର