୮୬ ବର୍ଷ ପରେ ବି ସ୍ଥିତି ବଦଳିନି

ସୁନିଲ ଗାଭାସ୍କର

୧୯୩୨ ମସିହାରେ ଭାରତ ତା’ର ପ୍ରଥମ ଟେଷ୍ଟ୍‌ ମ୍ୟାଚ୍‌ ଖେଳିଥିଲା। ସେହି ଟେଷ୍ଟ୍‍ରେ ମହମ୍ମଦ ନିସାର ଓ ଅମର ସିଂହ ଇଂଲଣ୍ଡ୍‌ ଶୀର୍ଷ କ୍ରମ ବ୍ୟାଟିଂ ଭୁଶୁଡ଼ାଇ ଦେଇଥିଲେ। ଉଭୟେ ବିଶେଷ ଅଧିକ ରନ୍‌ ବ୍ୟୟ ନକରି ୫ ଓ୍ଵିକେଟ୍‌ ଅକ୍ତିଆର କରିଥିଲେ। ହେଲେ ତା’ପରେ ଇଂଲଣ୍ଡ୍‌ ନିମ୍ନକ୍ରମ ବ୍ୟାଟ୍‌ସମ୍ୟାନ୍‌ମାନେ ନିଷ୍ଠା ଓ ଏକାଗ୍ରତା ସାଙ୍ଗକୁ ଭାଗ୍ୟର ସାହାରା ନେଇ ମୂଲ୍ୟବାନ ରନ୍‌ ଯୋଡ଼ି ଭାରତ ହାତରୁ ମ୍ୟାଚ୍‌ ଛଡ଼ାଇ ନେଇଥିଲେ। ଏବେ ୮୬ ବର୍ଷ ପରେ ବି ସେହି ସ୍ଥିତିରେ ବିଶେଷ କିଛି ପରିବର୍ତନ ହେଲା ଭଳି ମନେ ହେଉନାହିଁ। ଇଂଲଣ୍ଡ୍‌ ନିମ୍ନ କ୍ରମ ବ୍ୟାଟ୍‌ସମ୍ୟାନ୍‌ମାନେ ପୁନର୍ବାର ଭାରତୀୟ ବୋଲରଙ୍କୁ ନୟାନ୍ତ କରୁଥିଲା ବେଳେ ଇଂଲଣ୍ଡ୍‌ ବୋଲରମାନେ ଭାରତୀୟ ବ୍ୟାଟ୍‌ସମ୍ୟାନ୍‌ଙ୍କ ଉପରେ ଚାପ ପକାଇବାରେ ସଫଳ ହେଉଛନ୍ତି। ପୂର୍ବ ତଥା ଚତୁର୍ଥ ଟେଷ୍ଟ ଭଳି ପଞ୍ଚମ ଟେଷ୍ଟ୍‍ରେ ମଧ୍ୟ ଜୋସ୍‌ ବଟ୍‌ଲର ଇଂଲଣ୍ଡ୍‌ର ତ୍ରାଣକର୍ତା ସାଜିଛନ୍ତି। ଭଲ ବଲ୍‌କୁ ସମ୍ମାନ ଦେବା ଏବଂ ଖରାପ ବଲ୍‌କୁ ଶାସ୍ତି ଦେବାର ପ୍ରଣାଳିକୁ ଆଦରି ନେଇଥିବା ବଟ୍‌ଲର୍‌ ଅନ୍ୟ ନିମ୍ନ କ୍ରମ ବ୍ୟାଟ୍‌ସମ୍ୟାନ୍‌ଙ୍କୁ ସାଥୀ କରି ଇଂଲଣ୍ଡ୍‌ ସ୍କୋର୍‌କୁ ଉଚ୍ଚରେ ରଖୁଛନ୍ତି। ଯାହାକି ଶନିବାର ଦ୍ୱିତୀୟ ଦିବସରେ ଦେଖିବାକୁ ମିଳିଛି। ଆବଶ୍ୟକତା ବେଳେ ଗୋଟିକିଆ ରନ୍‌ ନେଇ ସେ ଷ୍ଟୁଆର୍ଟ ବ୍ରଡ୍‌ଙ୍କ ଆତ୍ମବିଶ୍ୱାସ ବଢ଼ାଇଥିଲେ। ଫଳରେ ବଟ୍‌ଲର୍‌ ଓ ବ୍ରଡ୍‌ ଯୋଡ଼ି ଇଂଲଣ୍ଡ୍‌ ସ୍କୋର୍‌କୁ ୩୦୦ ପାରି କରାଇ ଦେଇଥିଲେ। ଅନ୍ୟ ପକ୍ଷରେ ଅନ୍ତିମ ଟେଷ୍ଟ ଖେଳୁଥିବା ଆଲେଷ୍ଟର କୁକ୍‌ ଓ ମୋଇନ୍‌ ଅଲ୍ଲୀ ଭଲ ଭାଗିଦାରୀ କରିଚାଲିଥିଲା ବେଳେ ଭାରତୀୟ ବୋଲରମାନେ ଚମତ୍କାର ପ୍ରତ୍ୟାବର୍ତନ କରିଥିଲେ। ଉଭୟ କୁକ୍‌ ଓ ମୋଇନ୍‌ ଅର୍ଧଶତକ ଜମାଇବା ସାଙ୍ଗକୁ କ୍ରିଜ୍‌ରେ ସମୟ ବିତାଇବା ଭାରତୀୟ ବୋଲରଙ୍କ ଚିନ୍ତା ବଢ଼ାଇ ଦେଇଥିଲା। ହେଲେ ବୁମ୍‌ରା ଓ ଈଶାନ୍ତ ପ୍ରଥମ ଦିବସରେ ଭାରତକୁ ମ୍ୟାଚ୍‌କୁ ଫେରାଇଥିଲେ। ଦ୍ୱିତୀୟ ଦିବସରେ ଅବଶିଷ୍ଟ ୩ ଓ୍ଵିକେଟ୍‌ ସଅଳ ଝଡ଼ାଇ ଦେବେ ବୋଲି ଆଶା ରହିଥିଲା। ହେଲେ ବଟ୍‌ଲର ଓ ବ୍ରଡ୍‌ ଯେଭଳି ଆକ୍ରମଣାତ୍ମକ ଭଙ୍ଗୀରେ ଭାରତୀୟ ବୋଲରଙ୍କୁ ବେଖାତିର କରି ସ୍କୋର୍‌କୁ ଆଗେଇ ନେଲେ ତାହା କେବଳ ଇଂଲଣ୍ଡ୍‌କୁ ମଜ୍‌ବୁତ ସ୍ଥିତିରେ ପହଞ୍ଚାଇନଥିଲା, ବରଂ ପୁଣି ଥରେ ୧୯୩୨ ମସିହା କଥା ମନେ ପକାଇବାକୁ ଭାରତକୁ ବାଧ୍ୟ କରିଥିଲା। (ପିଏମ୍‌ଜି/ଇଏସ୍‌ପି)

ସମ୍ବନ୍ଧିତ ଖବର