ଆଲିବାବାକୁ ଅଲ୍‌ବିଦା କରିବେ ଜ୍ୟାକ୍‌ ମା

ହଂକଂ: ଇ-କମର୍ସ କମ୍ପାନି ଆଲିବାବାର ସହ ପ୍ରତିଷ୍ଠାତା ତଥା କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ଜ୍ୟାକ୍‌ ମା ଆସନ୍ତା ସୋମବାର ସେ ପ୍ରତିଷ୍ଠା କରିଥିବା କମ୍ପାନିରୁ ଅବସର ନେବେ। ଆଜି ସେ ଏ ନେଇ ଘୋଷଣା କରିଛନ୍ତି। ଆଲିବାବାର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ଭାବେ ସୋମବାର ହେବ ତାଙ୍କର ଶେଷଦିନ। ଇଂରାଜୀ ଅଧ୍ୟାପନାରୁ ଉଦ୍ୟୋଗୀ ହୋଇଥିବା ଜ୍ୟାକ୍‌ ମା ପୁଣି ଶିକ୍ଷା କ୍ଷେତ୍ରରେ ମନୋନିବେଶ କରିବେ। ୧୯୯୯ ମସିହାରେ ସେ ଆଲିବାବା କମ୍ପାନି ସ୍ଥାପନ କରିଥିଲେ। କମ୍ପାନି ପ୍ରତିଷ୍ଠା ହେବାର କମ୍‌ ବର୍ଷ ମଧ୍ୟରେ ସେ ନିଜକୁ ବିଶ୍ୱର ଜଣେ ସଫଳ ଉଦ୍ୟୋଗୀରେ ପରିଣତ କରିପାରିଛନ୍ତି। ଆଲିବାବା ଆଜି ବିଶ୍ୱର ଅନ୍ୟତମ ପ୍ରମୁଖ ଇ-କମର୍ସ ଏବଂ ଡିଜିଟାଲ ପେମେଣ୍ଟ୍‌ କମ୍ପାନିରେ ପରିଣତ ହୋଇଛି। ଏହି କମ୍ପାନି ପ୍ରତିଷ୍ଠା କରି ସେ ତାଙ୍କ ବ୍ୟକ୍ତିଗତ ସମ୍ପତ୍ତିକୁ ୪୦ ବିଲିଅନ ଡଲାରରେ ପହଞ୍ଚାଇ ପାରିଛନ୍ତି । ଚୀନ୍‌ରେ ସେ ଅନେକ ସମ୍ମାନର ଅଧିକାରୀ ମଧ୍ୟ ହୋଇପାରିଛନ୍ତି। ଏପରିକି ଚୀନରେ ତାଙ୍କର ଫଟୋକୁ ଅନେକ ବ୍ୟକ୍ତି ଘରେ ରଖି ଧନର ଦେବତା ଭାବେ ପୂଜା କରିଆସୁଛନ୍ତି। ଚୀନ୍‌ର ବ୍ୟବସାୟିକ ପରିବେଶ ଏବେ ଗୋଳିଆ ହୋଇଯାଇଥିବା ବେଳେ ଜ୍ୟାକ୍‌ ମା ଅବସର ନେବାକୁ ନିଷ୍ପତ୍ତି ନେଇଛନ୍ତି।

ସମ୍ବନ୍ଧିତ ଖବର