ସ୍ପିନର ନିର୍ଣ୍ଣାୟକ ଭୂମିକା ନେବେ, ସୁନୀଲ ଗାଭାସ୍କର

ଏସିଆ କପ୍‌ରେ ଭାରତ ‘ଗତି ନିୟନ୍ତ୍ରଣ ପ୍ରଣାଳୀ’ରେ ଅଛି। ହଂକଂ ବିପକ୍ଷରେ ଟିକିଏ ଟାଣି ହୋଇ ଯାଇଥିଲେ ମଧ୍ୟ ବୋଲରଙ୍କ ମାଧ୍ୟମରେ ସଫଳ ପ୍ରତ୍ୟାବର୍ତନ କରିଛି। ବୋଲରଙ୍କ ଚମକ ପାଇଁ ହିଁ ଭାରତକୁ ଏବେ ଛୋଟିଆ ବିଜୟ ଲକ୍ଷ୍ୟର ପିଛା କରିବାକୁ ପଡ଼ୁଛି। ବିଶେଷ କରି ଭାରତୀୟ ଦ୍ରୁତ ବୋଲରଙ୍କ ଲାଇନ୍‌ ଓ ଲେନ୍ଥ୍‌କୁ ବୁଝିବା ପ୍ରତିପକ୍ଷ ବ୍ୟାଟ୍ସମ୍ୟାନଙ୍କ ପାଇଁ କାଠିକର ପାଠ ହୋଇଛି। ସ୍ପିନରମାନେ ଆସିଲା ବେଳେ ବିପକ୍ଷ ବ୍ୟାଟ୍ସମ୍ୟାନ୍‌ ଲୋଭରେ ବଡ଼ ସଟ୍‌ ଖେଳିଛନ୍ତି। ହେଲେ ପର ସଟ୍‌ରେ ଉଭେଇ ଯାଇଛନ୍ତି। ଲିଟିଲ ମାଷ୍ଟର କେଦାର ଯାଦବ ସେମାନଙ୍କ ମନରେ ଦ୍ୱନ୍ଦ୍ୱ ସୃଷ୍ଟି କରିବାକୁ ସକ୍ଷମ ହୋଇଛନ୍ତି। ଏହି ବୋଲିଂ ବାହିନୀକୁ ରବୀନ୍ଦ୍ର ଜାଦେଜା ଅଧିକ ଧାର ଦେଇଛନ୍ତି। ସେ ତାଙ୍କ ମୂଲ୍ୟକୁ ସାର୍ଥକ କରିଛନ୍ତି। ୟୁଏଇ ପିଚ୍‌ରେ ଧିମା ବୋଲର ଅଧିକ ଅସରଦାର ହେବେ ବୋଲି ମଧ୍ୟ ଅଧିନାୟକ ରୋହିତ ଶର୍ମା ବୁଝି ସାରିଛନ୍ତି। ଟେଷ୍ଟ ଦଳରୁ ବାଦ ପଡ଼ିବା ପରେ ତାଙ୍କୁ ମଧ୍ୟ ଅନେକ କିଛି ପ୍ରମାଣ କରିବାର ଥିଲା। ରୋହିତ ଏଥିରେ ଅନେକାଂଶରେ ସଫଳ ହୋଇଛନ୍ତି। ଶିଖର ଧାଓ୍ଵନ ଓ ରୋହିତ ବିଶ୍ୱର ଅନ୍ୟତମ ବିପଜ୍ଜନକ ଏବଂ ବିଧ୍ୱଂସକାରୀ ଯୋଡ଼ି। ରାୟୁଡୁ ମଧ୍ୟ ତୃତୀୟ ସ୍ଥାନରେ ଭଲ କରୁଛନ୍ତି। ଚତୁର୍ଥରେ ଦୀନେଶ କାର୍ତିକ ଓ ମହେନ୍ଦ୍ର ସିଂହ ଧୋନିଙ୍କୁ ଅଦଳ ବଦଳ କରି ଖେଳାଯାଇପାରେ। ଆଫଗାନିସ୍ତାନ ବିପକ୍ଷ ରୋମାଞ୍ଚକର ବିଜୟରୁ ପାକିସ୍ତାନ ଅନେକ କିଛି ଶିକ୍ଷା ଲାଭ କରିଥିବ। ସେମାନକୁ କେବଳ ଏକ ଭଲ ଆରମ୍ଭ ଦରକାର। ଭାରତ ଓ ଆଫଗାନିସ୍ତାନ ବିପକ୍ଷରେ ପାକିସ୍ତାନ ଭଲ ଆରମ୍ଭ କରି ପାରିନାହିଁ। ସେଥିପାଇଁ ଫରହତ ଅମନଙ୍କୁ ସୁଯୋଗ ମିଳିପାରେ। ଏହା ଭାରତ ପାଇଁ ନିଶ୍ଚିତ ଭାବେ ନୂଆ ଆହ୍ଵାନ ହେବ। ଅଭିଜ୍ଞତା କ’ଣ କରିପାରେ, ସୋଏବ ମଲ୍ଲିକ ତାହା ଦେଖାଇ ସାରିଛନ୍ତି। ପାକିସ୍ତାନ ଶୀର୍ଷରେ ଏକ ଭଲ ଭାଗୀଦାରି କରିନେଲେ, ଭାରତକୁ ପୂର୍ବାପେକ୍ଷା ଅଧିକ ପରିଶ୍ରମ କରିବାକୁ ପଡ଼ିବ। ଭାରତ-ପାକିସ୍ତାନ ମୁକାବିଲା ହୋଇଥିବାରୁ ଆମେ ସମସ୍ତେ ଜାଣିଛେ, ଏହି ମ୍ୟାଚ୍‌ର ପୂର୍ବାନୁମାନ ଲଗାଇବା ଏକ ପ୍ରକାର ଅସମ୍ଭବ। (ପିଏମ୍‌ଜି/ଇଏସ୍‌ପି)

ସମ୍ବନ୍ଧିତ ଖବର