ଇଣ୍ଡିଜ୍ ବୋଲର ବାଉନ୍ସର ନପକାଇବା ବିସ୍ମିତ କରିଛି

ସୁନୀଲ ଗାଭାସ୍କର

ୱେଷ୍ଟ୍‌ଇଣ୍ଡିଜ୍ ବିପକ୍ଷରେ ଭାରତର ସର୍ବବୃହତ୍ ବିଜୟ ପରେ ଅନେକ ପ୍ରଶଂସକ ଶୃଙ୍ଖଳାର ଦ୍ବିତୀୟ ତଥା ଶେଷ ଟେଷ୍ଟ୍‌କୁ ଅନୁସରଣ କରିବେ କି ନାହିଁ? ତାହା ଦୁଇଥର ଚିନ୍ତା କରୁଥିବେ। ହେଲେ ସେମାନଙ୍କୁ ମନେ ରଖିବାକୁ ହେବ ଯେ ଗତବର୍ଷ ଇଂଲଣ୍ଡଠାରୁ ଦୟନୀୟ ଭାବେ ହାରିବା ସତ୍ତ୍ବେ ପରବର୍ତୀ ମ୍ୟାଚ୍‌ରେ ହିଁ ଇଣ୍ଡିଜ୍ ଜବରଦସ୍ତ ପ୍ରତ୍ୟାବର୍ତନ କରିଥିଲା। ସେହି ଟେଷ୍ଟ୍‌ର ଉଭୟ ପାଳିରେ ସାଇ ହୋପ୍ ଶତକ ଅର୍ଜନ କରିଥିଲେ। କ୍ରେଗ୍ ବ୍ରାଥୱେଟ୍ ମଧ୍ୟ ଦୁଇଟି ଶତକର ଅତି ନିକଟରେ ଥିଲେ। କେବଳ ୫ ରନ୍ ପାଇଁ ସେ ଦୋହରା ଶତକରୁ ବଞ୍ଚିତ ହୋଇଥିଲେ। ଏହି ଦୁଇ ଦକ୍ଷ ବ୍ୟାଟ୍ସମ୍ୟାନ୍ ସେଠାରେ ଖେଳିଥିବା ପାଳିର ଏକ ଛୋ‌ଟିଆ ଅଂଶ ମଧ୍ୟ ଭାରତରେ ‌େଦାହରାଇ ପାରିଲେ ହାଇଦ୍ରାବାଦରେ ନିଶ୍ଚିତ ଭାବେ ଇଣ୍ଡିଜ୍ ରାଜକୋଟଠାରୁ ଅଧିକ ରନ୍ କରିବ। ‌ରାଜକୋଟରେ ଭ୍ରମଣକାରୀ ବ୍ୟାଟ୍ସମ୍ୟାନ୍ ଯେଭଳି ଭାବେ ବ୍ୟାଟିଂ କଲେ, ତାହା କିନ୍ତୁ ମୋତେ ବିସ୍ମିତ କରିଥିଲା। ବଲ୍ ମାତ୍ରାଧିକ ଘୂରୁଥିଲେ, ତାକୁ ଆକ୍ରମଣ କରିବା କଥା ବୁଝିହୁଏ। ହେଲେ ଆରମ୍ଭରୁ ଭାରତୀୟ ସ୍ପିନରଙ୍କୁ ସେମାନେ କାହିଁକି ଯେ ଆକ୍ରମଣ କଲେ, ତାହା ଆଦୌ ବୁଝି ହେଉନି। ଏଣୁ କ୍ରିଜ୍ ବାହା‌ରକୁ ଆସି ବଡ଼ ସଟ୍ ‌େଖଳିବାର ପ୍ରୟାସ ରଣକୌଶଳ ନୁହେଁ, ବରଂ ଏହାକୁ ଏକ ପ୍ରହସନ ବୋଲି କୁହାଯାଇପାରେ। ବୋର୍ଡରେ ୬୪୯ ରନ୍ ଥିବାରୁ ଭାରତୀୟ ସ୍ପିନର ଗୋଟିଏ ଦୁଇଟି ମହଙ୍ଗା ଓଭରକୁ ନେଇ ଚିନ୍ତା ନକରିବା ସ୍ବଭାବିକ। ଭାରତୀୟ ଅଧିନାୟକ ବିରାଟ କୋହଲି ବି ନିଜ ସ୍ପିନରଙ୍କୁ ଲମ୍ବା ସ୍ପେଲ୍ ଦେବାରେ ଦ୍ବିଧା କରି ନଥିଲେ। କୁଲଦୀପ ଏଥିରୁ ପୂରା ଫାଇଦା ଉଠାଇ ପ୍ରଥମ ପାଞ୍ଚ ୱିକେଟ୍‌ ସଫଳତା ପାଇଲେ। ବାଉନ୍ସର ନପକାଇବା ଭ୍ରମଣକାରୀ ବୋଲରଙ୍କର ଆଉ ଏକ ବଡ଼ ଭୁଲ ଥିଲା। ମୁଁ ମାନୁଛି ଯେ ରାଜକୋଟରେ ଅସହ୍ୟ ତାତି ଥିଲା, ହେଲେ ଆବଶ୍ୟକ ବେଳେ ନିଜର ସବୁଠାରୁ ବିପଜ୍ଜନକ ଅସ୍ତ୍ରକୁ ଉପଯୋଗ ନ କରିବା ଯୁକ୍ତି ସଂଗତ ନୁହେଁ। ଆଶା କରୁଛି ଇଣ୍ଡିଜ୍ ଦଳର ଅଧିକାରୀମାନେ ସଚ୍ଚୋଟତାର ସହ ରାଜକୋଟ ପ୍ରଦର୍ଶନର ସମୀକ୍ଷା କରି ନିଜ ଦୋଷ ଦୁର୍ବଳତା ଚିହ୍ନଟ କରିବେ। ଏହାକୁ ହାଇଦ୍ରାବାଦରେ ଦୂର କରିବାକୁ ଚେଷ୍ଟା କରିବେ। ଏହା ହେଲେ ଦ୍ବିତୀୟ ମୁକାବିଲା ଅନ୍ତତଃ ଟିକିଏ ପ୍ରତିଦ୍ବନ୍ଦ୍ବିତା ପୂର୍ଣ୍ଣ ହୋଇ ପାରିବ। (ପିଏମ୍‌ଜି)

ସମ୍ବନ୍ଧିତ ଖବର