ସୁପର କପ୍‌ ଫୁଟ୍‌ବଲ୍‌: କ୍ବାର୍ଟର୍‌ରେ ‌ଚେନ୍ନାଇନ୍‌

ଭୁବନେଶ୍ବର: କଳିଙ୍ଗ ଷ୍ଟାଡିୟମରେ ଶୁକ୍ରବାରଠୁ ଆରମ୍ଭ ହୋଇଛି ସୁପର କପ୍‌ ଫୁଟ୍‌ବଲ୍‌ ପ୍ରତିଯୋଗିତାର ମୁଖ୍ୟ ପର୍ଯ୍ୟାୟ। ପ୍ରଥମ ଦିବସରେ ଦୁଇ ଆଇଏସ୍‌ଏଲ୍‌ ଦଳ ଚେନ୍ନାଇନ୍‌ ଏଫ୍‌ସି ଏବଂ ମୁମ୍ବାଇ ସିଟି ମୁହାଁମୁହିଁ ହୋଇଥିଲେ। ଏଥିରେ ବାଜି ମାରି ନେଇଛି ଚେନ୍ନାଇନ୍‌। ଏହି ଦଳ ୨-୦ ଗୋଲ୍‌ରେ ମୁମ୍ବାଇ ସିଟିକୁ ମାତ୍‌ ଦେଇ ପ୍ରଥମ ଦଳ ଭାବେ କ୍ବାର୍ଟର୍‌ ଫାଇନାଲ୍‌ରେ ପ୍ରବେଶ କରିଛି। ୪୨ତମ ମିନିଟ୍‌ରେ ଚେକିୟୋତ କିଝାକେଭିତିଲ ଭିନୀତଙ୍କ ‌ଗୋଲ୍‌ରେ ଚେନ୍ନାଇନ୍‌ ଅଗ୍ରଣୀ ନେଇଥିଲା। ଏହାର ‌ଗୋଟିଏ ମିନିଟ୍‌ ପରେ ଭିନୀତ ଓ ଖାଙ୍ଗେନ୍‌ବାମ ଥୋଇ ସିଂହଙ୍କ ସହଯୋଗରେ ‌ଜେଜେ ଲାଲପେଖଲୁଆ (୪୩ ମିନିଟ୍‌) ସଫଳତାର ସହ ମୁମ୍ବାଇର ଗୋଲ୍‌ ପୋଷ୍ଟ୍‌କୁ ବଲ୍‌ ପଠାଇ ସ୍ଥିତି ୨-୦ କରିଥିଲେ। ଏହି ଗୋଲ୍‌ ସହ ଚେନ୍ନାଇ ପ୍ରଥମାର୍ଧ ସୁଦ୍ଧା ୨-୦ ଅଗ୍ରଣୀ ନେଇ ଦ୍ବିତୀୟାର୍ଧରେ ପଡ଼ିଆକୁ ଓହ୍ଲାଇଥିଲା। ଅନ୍ୟପକ୍ଷରେ ପଛୁଆ ଥିବା ମୁମ୍ବାଇ ଦ୍ବିତୀୟାର୍ଧରେ ମ୍ୟାଚ୍‌କୁ ଫେରିବାକୁ ସଂଘର୍ଷ କରିଥିଲା। ହେଲେ ଚେନ୍ନାଇନ୍‌ର ରକ୍ଷଣ ଭାଗ ଭେଦ କରିବାରେ ବିଫଳ‌ ହୋଇଥିଲା। ଦ୍ବିତୀୟାର୍ଧ ଗୋଲ୍‌ ଶୂନ୍ୟ ଭାବେ ଶେଷ ହୋଇଥିଲା। ‌ମୁମ୍ବାଇ ପରାଜୟ ସହ ପ୍ରତିଯୋଗିତାରୁ ବିଦାୟ ନେଇଥିଲା। ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ‌ଚେନ୍ନାଇନ୍‌ ଅଧିନାୟକ ବ୍ରାଜିଲ୍‌ ତାରକା ମେଲ୍‌ସନ୍‌ ଆ‌ଲ୍‌ଭେସ୍‌ଙ୍କୁ ମିଳିଥିଲା।

ଆଜି ଆରୋଜ-ଗୋଆ ମୁକାବିଲା
ଚଳିତ ସୁପର କପ୍‌ ଫୁଟ୍‌ବଲ୍‌ ପ୍ରତି‌ଯୋଗିତାର ଦୁଇଟି ପ୍ରି-କ୍ବାର୍ଟର୍‌ ଫାଇନାଲ୍‌ ମ୍ୟାଚ୍‌ ଶନିବାର ଖେଳାଯିବ। ସଂଧ୍ୟା ୫ଟାରେ ହେବାକୁଥିବା ପ୍ରଥମ ମ୍ୟାଚ୍‌ରେ ଆଇଲିଗ୍‌ର ଯୁବ ଦଳ ଇଣ୍ଡିଆନ୍‌ ଆରୋଜ ଭେଟିବ ଆଇଏସ୍‌ଏଲ୍‌ର ଗୋଆ ଏଫ୍‌ସିକୁ। ଆଇଲିଗ୍‌ ପଏଣ୍ଟ୍‌ ତାଲିକାର ଅଷ୍ଟମ ସ୍ଥାନରେ ଥିବା ଆରୋଜ ଯୋଗ୍ୟତା ପର୍ଯ୍ୟାୟରେ କେରଳ ବ୍ଲାଷ୍ଟର୍ସକୁ ପରାସ୍ତ କରି ପ୍ରି-କ୍ବାର୍ଟର ଫାଇନାଲ୍‌ରେ ପହଞ୍ଚିଥିଲା। ଅନ୍ୟପକ୍ଷରେ ଗୋଆ ଆଇଏସ୍‌ଏଲ୍‌ର ବେଙ୍ଗାଲୁରୁ ପଛକୁ ଦ୍ବିତୀୟ ସ୍ଥାନରେ ରହିଥିଲା। ଫାଇନାଲ୍‌ରେ ବେଙ୍ଗାଲୁରୁଠୁ ହାରି ଉପବିଜେତା ହୋଇଥିଲା। ଫଳରେ ଶନିବାର ମ୍ୟାଚ୍‌ରେ ଗୋଆର ପଲ୍ଲା ଭାରି ରହିବା ସମ୍ଭାବନା ରହିଛି।

ଇଷ୍ଟ୍‌ ବେଙ୍ଗଲ ଓହରିଲା
ଭୁବନେଶ୍ବର: ଚଳିତ ସୁପର କପ୍‌ର ବିଦ୍ରୋହୀ ପକ୍ଷରେ ଯୋଗ ଦେଇଛି ଇଷ୍ଟ୍‌ ବେଙ୍ଗଲ। ଶନିବାରର ଦ୍ବିତୀୟ ମ୍ୟାଚ୍‌ରେ ଏହି ଦଳ ଦିଲ୍ଲୀ ଡାଇନାମୋସ ସହ ଖେଳିବାର ଥିଲା। ହେଲେ ଏହ ଦଳ ଓହରି ଯାଇଛି। ଶୁକ୍ରବାର ମ୍ୟାଚ୍‌ ପୂର୍ବ ସାମ୍ବାଦିକ ସମ୍ମିଳନୀରେ ଇଷ୍ଟ୍‌ ବେଙ୍ଗଲର ପ୍ରତିନିଧି ଯୋଗଦେଇନଥିଲେ। ଫଳରେ ଶନିବାର ‌ମ୍ୟାଚ୍‌ରେ ଏହି ଦଳ ଖେଳିବ ନାହିଁ ବୋଲି ସ୍ପଷ୍ଟ ହୋଇ ଯାଇଛି। ପୂର୍ବରୁ ‌ଯୋଗ୍ୟତା ମ୍ୟାଚ୍‌ରୁ ମିନର୍ଭା ପଞ୍ଜାବ, ଗୋକୁଳମ୍‌‌ କେରଳା ଓ ଆଇଜଲ୍‌ ଓହରିଯାଇଥିଲା। ସେହଭଳି ମୁଖ୍ୟ ପର୍ଯ୍ୟାୟକୁ ସିଧାସଳଖ ମ‌ୋହନ ବାଗାନ ପ୍ରବେଶ କରିଥିଲେ ମଧ୍ୟ ଧାର୍ଯ୍ୟ ଶେଷ ତାରିଖ ମଧ୍ୟରେ ନାମ ପଞ୍ଜିକରଣ କରିନଥିଲା। ଫଳରେ ଏହି ଦଳ ସୁପର କପ୍‌ ଖେଳିବା ଲାଗି ଯୋଗ୍ୟତା ହରାଇଥିଲା। ‌‌ଏହି ବିଦ୍ରୋହୀ ଦଳ ସହ ଏବେ ଇଷ୍ଟବେଙ୍ଗଲ ଯୋଗ‌ଦେଇଥିଲା ବେଳେ ଆଗକୁ ‌ଆଇଲିଗ୍‌ ବିଜେତା ଚେନ୍ନାଇ ସିଟି, ନେରୋକା ଏଫ୍‌ସି ଏବଂ ଚର୍ଚିଲ ବ୍ରଦର୍ସ ଖେଳିବା ନେଇ ସନ୍ଦେହ ରହିଛି। କେବଳ ଆଇଲିଗ୍‌ର ରିଅଲ୍‌ କଶ୍ମିର ଏହି ପ୍ରତିଯୋଗିତାରେ ଖେଳିବା ଲାଗି ସ୍ପଷ୍ଟ କରିଛି।

ସମ୍ବନ୍ଧିତ ଖବର