ସ୍ବୟମ୍ସ ଓଡ଼ିଶାର ନୂଆ ଗ୍ରାଣ୍ଡ୍‌ ମାଷ୍ଟର୍‌

ଭୁବନେଶ୍ବର: ସାଧାରଣ ନିର୍ବାଚନ ପରେ ଓଡ଼ିଶା ଏବେ ଫନି ପ୍ରଳୟର ତାଣ୍ଡବଲୀଳାରେ ବିବସ୍ତ୍ର। ସେପଟେ କିନ୍ତୁ ଓଡ଼ିଶା ପାଇଁ କ୍ରୀଡ଼ା ଦୁନିଆରୁ ମିଳିଛି ବଡ଼ ଖବର। ଚେସ୍‌ର ସର୍ବେଚ୍ଚ ମୁକୁଟ ‘ଗ୍ରାଣ୍ଡ୍‌ ମାଷ୍ଟର୍‌’ ଉପାଧିକୁ କବ୍‌ଜା କରି ନେଇଛନ୍ତି ଯୁବ ତାରକା ସ୍ବୟମ୍ସ ମିଶ୍ର। ଦେବାଶିଷ ଦାସଙ୍କ ପରେ ସ୍ବୟମ୍ସ ରାଜ୍ୟର ଦ୍ବିତୀୟ ଏବଂ ଦେଶର ୬୨ତମ ଗ୍ରାଣ୍ଡମାଷ୍ଟର୍ ହେବାର ଗୌରବ ମଧ୍ୟ ଅର୍ଜନ କରିଛନ୍ତି। ଚେସ୍‌ ଭୀଷ୍ମ ଅରାତି ବିଜୟ ମହାନ୍ତିଙ୍କ ବିୟୋଗର ୩ ସପ୍ତାହ ପରେ ଏହି ଖବର ଏବେ ଓଡ଼ିଶା ଚେସ୍‌କୁ ଖୁସି‌ ଓ ଆନନ୍ଦ ଭରି ଦେଇଛି।

ପୋଲାଣ୍ଡ୍‌ରେ ଅନୁଷ୍ଠିତ ପୋଲୋନିଆ ରୋକ୍ଲା ମାଷ୍ଟର୍ କପ୍‌ରେ ସେ ବିଜେତା ହେବା ସହିତ ଏହି ମାଇଲଖୁଣ୍ଟ୍ ସଫଳତା ପାଇଛନ୍ତି। ୭ ପଏଣ୍ଟ୍‌ ସହିତ ବିଜେତା ହୋଇଥିଲେ ସ୍ବୟମ୍ସ। ନିର୍ଣ୍ଣାୟକ ଅଷ୍ଟମ ରାଉଣ୍ଡରେ ଆଣ୍ଟୋନି କୋଜାକଙ୍କୁ ପରାସ୍ତ କରି ଶେଷ ନର୍ମ ପାଇଥିଲେ। ରବିବାର ରାତିରେ ଭାରତୀୟ ତାରକା ପ୍ରଣବ ଆନନ୍ଦଙ୍କ ସହିତ ଗେମ୍ ଅମୀମାଂସିତ ରଖି ଓଡ଼ିଶା କ୍ରୀଡ଼ାରେ ଆଉ ଏକ ବିରଳ ଫର୍ଦ ଯୋ‌ଡ଼ି ଦେଇଥିଲେ। ୨୦୧୨ ମସିହାରେ ଅନ୍ତର୍ଜାତୀୟ ମାଷ୍ଟର୍ ବନିଥିବା ସ୍ବୟମ୍ସ ୨୦୧୪ ମସିହାରେ କିଟ୍ ଓପନ୍ ଚେସ୍ ମହୋତ୍ସବରେ ନିଜର ପ୍ରଥମ ଗ୍ରାଣ୍ଡମାଷ୍ଟର୍ ନର୍ମ ପାଇଥିଲେ। ସମ୍ପ୍ରତି ୨୪୬୩ ରେଟିଂ ପଏଣ୍ଟ୍ ରଖିଥିଲେ ମଧ୍ୟ ପୂର୍ବରୁ ଥରେ ୨୫୦୦ ଅତିକ୍ରମ କରିଥିବାରୁ ଗ୍ରାଣ୍ଡମାଷ୍ଟର୍ ହେବାର ଔପଚାରିକତାକୁ ସେ ପୋଲାଣ୍ଡରେ ପୂର୍ଣ୍ଣ କରିଛନ୍ତି। ‘ପୋଲାଣ୍ଡ ପ୍ରତିଯୋଗିତାରେ ବିଜୟ ସହିତ‌ ତୃତୀୟ ଗ୍ରାଣ୍ଡମାଷ୍ଟର୍ ନର୍ମ ସହିତ ଏହି ସଫଳତା ପାଇବା ମୋତେ ଖୁସି କରିଛି। ଏଥି ପାଇଁ ମୋତେ କଠିନ ପରିଶ୍ରମ କରିବାକୁ ପଡ଼ିଛି। କିନ୍ତୁ ମୁଁ ଅଧିକ ୩ ବର୍ଷ ନେଇଛି ବୋଲି ସ୍ବୀକାର କରିଥିଲେ ସ୍ବୟମ୍ସ। ଖେଳିବା ସହିତ ଦେଶର ଯୁବ ଖେଳାଳିଙ୍କ ଖେଳ ଜୀବନ ଗଢ଼ିବାରେ ସ୍ବୟମ୍ସ ଗୁରୁ ଦାୟିତ୍ବ ବି ତୁଲାଉଛନ୍ତି। ଜଣେ ସ୍ବୀକୃତିପ୍ରାପ୍ତ ଫିଡେ ଟ୍ରେନର ଭାବେ ତାଙ୍କଠାରୁ ଖେଳ ଶିଖି ସାଇ ଅଗ୍ନୀଶ ଜୀବିତେଶ, ସୃଷ୍ଟି ପାଣ୍ଡେ, ସଙ୍କଳ୍ପ ଗୁପ୍ତା ଏବଂ କ୍ଲରେନ୍ସ ପିଶୈଳ ସଫଳତାର ଶିଡ଼ି ଚଢ଼ିଛନ୍ତି। ‘ସେମାନଙ୍କ ‌ଖେଳ ଶୈଳୀକୁ ପରିବର୍ତନ ନ କରି ମୁଁ କେବଳ ଶାଣିତ କରିଥାଏ, ଦେଶକୁ ଭଲ ଖେଳାଳି ପ୍ରଦାନ କରିବା ମୋ ଉଦ୍ଦେଶ୍ୟ’ ବୋଲି କହିଛନ୍ତି ୨୭ ବର୍ଷୀୟ ସ୍ବୟମ୍ସ। ପୋଲାଣ୍ଡ୍‌ରେ ଚେସ୍ ବୋର୍ଡରେ ନିଜ ଲକ୍ଷ୍ୟପଥରେ ଅଗ୍ରସର ହେଉଥିବା ବେଳେ ଓଡ଼ିଶାକୁ ଫନି ବାତ୍ୟା ବିପର୍ଯ୍ୟୟ ମୁହଁକୁ‌ ଠେଲି ଦେଇଥିଲା। ପ୍ରତିଯୋଗିତା ମଝିରେ ଥିଲେ ମଧ୍ୟ ମୁଁ ଏହାକୁ ଅନୁସରଣ କରୁଥିଲି। ଏବେ ନିଜ ସମ୍ଭବ ଅବଦାନ ରଖିବି ବୋଲି ମଧ୍ୟ କହିଥିଲେ ସ୍ବୟମ୍ସ।

ବିଗତ କିଛି ବର୍ଷ ଧରି ମୁଁ ଗ୍ରାଣ୍ଡମାଷ୍ଟର୍‌ସ୍ତରୀୟ ପ୍ରତିଯୋଗିତା ଖେଳୁଥିବାରୁ ମାନସିକ ଭାବେ ପ୍ରସ୍ତୁତ ଥିଲି। କେବେ ବି ଚାପଗ୍ରସ୍ତ ହୋଇନଥିଲି। ଏବେ କିନ୍ତୁ ଆଶ୍ବସ୍ତ ଏବଂ ଆନନ୍ଦିତ। ଦକ୍ଷତାର ଅଭାବ ନ ଥିଲା, କିନ୍ତୁ ଲକ୍ଷ୍ୟରେ ପହଞ୍ଚିବାରେ ମୁଁ ଅଧିକ କିଛି ସମୟ ନେଇଗଲି। ୨୦୧୪ ମସିହାରେ ଭୁବନେଶ୍ବରରେ କିମ୍ବଦନ୍ତୀ ଗ୍ରାଣ୍ଡମାଷ୍ଟର୍‌ ଜାନ୍ ଟିମ୍ୟାନଙ୍କୁ ହରାଇବା ମନେ ଅଛି। ତଥାପି ଜୀବନଯାତ୍ରାରେ କମ୍ ପ୍ରେରଣା ମିଳୁଥିଲେ ବି ମୁଁ ଚେସ୍‌ ଛାଡ଼ିନଥିଲି।

ଅଭିନନ୍ଦନର ସୁଅ
ରାଜ୍ୟର ବହୁ ପ୍ରତୀକ୍ଷିତ ଗ୍ରାଣ୍ଡମାଷ୍ଟର୍ ହେବା ପରେ ସ୍ବୟମ୍ସ ମିଶ୍ରଙ୍କ ନିକଟରୁ ଅଭିନନ୍ଦନର ସୁଅ ଛୁଟିଛି। ନିଖିଳ ଓଡ଼ିଶା ଚେସ୍‌ ସଂଘ, କଟକ ଜିଲ୍ଲା ଚେସ୍‌ ସଂଘ ପକ୍ଷରୁ ଶ୍ରୀ ମିଶ୍ରଙ୍କୁ ନୂଆ ବାଦ୍‌ସାହା ଆଖ୍ୟା ଦିଆଯାଇଛି। ଏସ୍ ଆର୍ ଚେସ୍ କେନ୍ଦ୍ର ଗୁରୁ ସତ୍ୟରଂଜନ ପଟ୍ଟନାୟକଙ୍କ ସହିତ ରଂଜନ ମହାନ୍ତି, ବିବେକ କୁମାର ତିବରୱାଲ, ଆଇଏମ୍ ସିଦ୍ଧାନ୍ତ ମହାପାତ୍ର ପ୍ରମୁଖ ଅଭିନନ୍ଦନ ଜଣାଇଛନ୍ତି। ସ୍ବୟମ୍ସଙ୍କୁ ମଧ୍ୟ ସାମାଜିକ ଗଣମା‌ଧ୍ୟମରେ ଶହ ଶହ ଅଭିନନ୍ଦନ ମିଳିଛି। ଚେସ୍ ଜଗତ ଏବଂ ତା’ ବାହାରୁ ତାଙ୍କୁ ଅଭିନନ୍ଦନ ଜଣାଇଥିବା ବ୍ୟକ୍ତିଙ୍କ ମଧ୍ୟରେ ରହିଛନ୍ତି ରାକେଶ କୁମାର ନାୟକ, ଅମିତୋଜ୍ ସିଂହ, ଅର୍ପଣ ସିଂହ, ସାୟାନ୍ତନି ଘୋଷ, ଲୁକାସ ତୁର୍ଲେଜ୍, ଏସ୍ କିଦାମ୍ବି, ଦିବେନ୍ଦୁ ବରୁଆ, ବିବେକ ତିବରୱାଲ, ଉତ୍କଳ ରଞ୍ଜନ ସାହୁ ଓ ସିଦ୍ଧାନ୍ତ ମହାପାତ୍ର ପ୍ରମୁଖ।

ପରିବାର, ପ୍ରଶିକ୍ଷଣ ଏବଂ ଖେଳ ଜୀବନ
କଟକର ଦିଲ୍ଲୀପ ମିଶ୍ର ଏବଂ ପ୍ରତିଭା ମିଶ୍ରଙ୍କ ଏକମାତ୍ର ପୁଅ ସ୍ବୟମ୍ସ ଦୀର୍ଘ ୧୮ ବର୍ଷ ଧରି ଚେସ୍ ବୋର୍ଡରେ ନିମଗ୍ନ ଥିଲେ। ଜାତୀୟ ଏବଂ ଅନ୍ତର୍ଜାତୀୟସ୍ତରରେ ଏକାଧିକ ସଫଳତା ପାଇ ଆଗକୁ ବଢ଼ିଥିଲେ। ଏସୀୟ ଯୁବ ଚେସ୍‌ ଏବଂ ବିଶ୍ବ ଯୁବ ଚେସ୍‌ରେ ବି ତାଙ୍କ ପ୍ରଦର୍ଶନ ପ୍ରଭାବୀ ରହିଥିଲା। ୨୦୦୭ ମସିହାରେ ବିଶ୍ବଯୁବ‌ ଚେସ୍‌ ଅଲିମ୍ପିଆଡରେ ସ୍ବର୍ଣ୍ଣ ପଦକ ଜିତିବା ପରେ ଆଉ ପଛକୁ ଫେରି ଚାହିଁନଥିଲେ। ୨୦୧୨ ମସିହାରେ ଅନ୍ତର୍ଜାତୀୟ ମାଷ୍ଟର୍ ଟାଇଟଲ୍‌ ଏବଂ ୨୦୧୪ ମସିହାରେ କିଟ୍ ଓପନ୍ ଚେସ୍ ମହୋତ୍ସବରେ ନିଜର ପ୍ରଥମ ଏବଂ ୨୦୧୫ ମସିହାରେ ଦ୍ବିତୀୟ ଗ୍ରାଣ୍ଡମାଷ୍ଟର୍ ନର୍ମ ପାଇଥିଲେ। କିଟ୍ ବିଶ୍ବବିଦ୍ୟାଳୟର ବି ଟେକ୍‌ ଶେଷ ବର୍ଷ ଛାତ୍ର ଏବଂ ଫିଡେ ଟ୍ରେନର ଭାବେ ଗ୍ରାଣ୍ଡମାଷ୍ଟର୍ ମୁକୁଟ ଜିତିବା ଅନ୍ୟ ସମସାମୟିକ ଭାରତୀୟ ଗ୍ରାଣ୍ଡମାଷ୍ଟରଙ୍କଠାରୁ ତାଙ୍କୁ ନିଆରା କରିଛି। ନିଜ ଚେସ୍ ଯାତ୍ରାରେ ପ୍ରାୟୋଜକଙ୍କ ସମର୍ଥନ ବିନା ସଫଳତା ସାଉଁଟିଛନ୍ତି। ‘ପିଲାଦିନେ ମୋତେ ବାପା ଚେସ୍‌ ବୋର୍ଡ ଦେଇଥିଲେ ଏବଂ ଭଉଣୀ (ସୌମ୍ୟା) ସହ ଖେଳି ଅଭିଯାନ ଆରମ୍ଭ କରିଥିଲି ବୋଲି ସ୍ବୟମ୍ସ ପ୍ରକାଶ କରିଛନ୍ତି। ମାତ୍ର ୬ ବର୍ଷ ବୟସରେ ଚେସ୍‌କୁ ଆସିଥିଲି। ଏକଦା ମୁଁ ଗୋଟିଏ ଜାଗାରେ ୫ମିନିଟରୁ ଅଧିକ ସମୟ ବସି ପାରୁନଥିଲି ବୋଲି ସ୍ବୟମ୍ସ ସ୍ବୀକାର କରିଛନ୍ତି। ବହୁ ପ୍ରଶିକ୍ଷକଙ୍କଠାରୁ ଖେଳ ଶିଖିଛି। କିନ୍ତୁ ରାଜେନ୍ଦ୍ର ପ୍ରସାଦ ସାହୁ, ସତ୍ୟରଂଜନ ପଟ୍ଟନାୟକ, ସୁବାଷ ଚନ୍ଦ୍ର ସାହୁ, ମନୋଜ କୁମାର ପାଣିଗ୍ରାହୀ‌ ମୋ‌ତେ ଖେଳର ମୌଳିକ ଶିକ୍ଷା ଦେଇଥିଲେ। ଚୈତନ୍ୟ ରାଉତ, ନାରାୟଣ ସ୍ବାଇଁ, ଆଇଏମ୍ ଶେଖର ଚନ୍ଦ୍ର ସାହୁ, ନୀରଜ କୁମାର ମିଶ୍ର, ବିବେକ କୁମାର ତିବରୱାଲଙ୍କଠାରୁ ମଧ୍ୟ ବହୁ କିଛି ଶିଖିଥିଲି। ଖେଳ ଏବଂ ଚେସ୍‌ ମଧ୍ୟରେ ସନ୍ତୁଳନ ଓ ସଫଳତା ଅର୍ଜନ ଲାଗି ମୁଁ କିଟ୍ ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତ ଏବଂ କ୍ରୀଡ଼ା ନିର୍ଦେଶକ ଡକ୍ଟର ଗଗନେନ୍ଦୁ ଦାଶଙ୍କ ସମର୍ଥନକୁ ଭୁଲି ପାରିବି ନାହିଁ। ପରିବାର, ତାଲିମଦାତା, ଛାତ୍ର ଏବଂ ବଂଧୁମାନଙ୍କୁ ମୁଁ ଧନ୍ୟବାଦ ଜଣାଇବି ବୋଲି ସ୍ବୟମ୍ସ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର