ଟି-୨୦ ବିଶ୍ବକପ୍‌: ପାକିସ୍ତାନ ବିପକ୍ଷରେ ଭାରତର ଅଭିଯାନ

ଅକ୍ଟୋବର ୨୪ରେ ଦୁବାଇରେ ମୁହାଁମୁହିଁ

ଦୁବାଇ: ଟି-୨୦ ବିଶ୍ବକପ୍‌ ଲାଗି ମଙ୍ଗଳବାର ଆଇସିସି ସୂଚୀ ଘୋଷିତ କରିଛି। ଅକ୍ଟୋବର ୨୪ରେ ଦୁବାଇରେ ଭାରତ ତା’ର ଚିରପ୍ରତିଦ୍ବନ୍ଦ୍ବୀ ପାକିସ୍ତାନ ବିପକ୍ଷରୁ ଟି-୨୦ ବିଶ୍ବକପ୍‌ ଅଭିଯାନ ଆରମ୍ଭ କରିବ। ଏହା ପରେ ୩୧ ତାରିଖରେ ଭାରତ ନିଜର ଦ୍ବିତୀୟ ମ୍ୟାଚ୍‌ ଦୁବାଇରେ ନ୍ୟୁଜିଲାଣ୍ଡ ଏବଂ ନଭେମ୍ବର‌ ୩ରେ ଆଫଗାନିସ୍ତାନ (ଆବୁଧାବି) ବିପକ୍ଷରେ ଖେଳିବ। ଅବଶିଷ୍ଟ ସୁପର-୧୨ର ଦୁଇ ମ୍ୟାଚ୍‌ ଦୁବାଇରେ ନଭେମ୍ବର ୫ ଓ ୮ ତାରିଖ‌ରେ ଗ୍ରୁପ୍‌-ବି’ ବିଜେତା ଏବଂ ଗ୍ରୁପ୍‌-ଏ’ ଉପବିଜେତାକୁ ଭେଟିବ।

ପ୍ରତିଯୋଗିତାର ପ୍ରଥମ ରାଉଣ୍ଡ ମ୍ୟାଚ୍‌ ଅକ୍ଟୋବର ୧୭ରେ ଓମାନରେ ଆରମ୍ଭ ହେବ। ଉଦ୍‌ଘାଟନୀ ଦିବସରେ ଆୟୋଜକ ଦଳ ସହ ପପୁଆ ନ୍ୟୁ ଗିନି ଏବଂ ବାଂଲାଦେଶ ଓ ସ୍କଟଲାଣ୍ଡ ମଧରେ ‌ମ୍ୟାଚ୍‌ ଖେଳାଯିବ। ଗ୍ରୁପ୍‌-ଏ’ରେ ୨୦୧୪ ବିଜେତା ଶ୍ରୀଲଙ୍କା, ଆୟର୍ଲାଣ୍ଡ ଓ ନାମ୍ବିଆ ଏବଂ ଗ୍ରୁପ୍‌-ବି’ରେ ବାଂଲାଦେଶ, ସ୍କଟଲାଣ୍ଡ, ପପୁଆ ନ୍ୟୁ ଗିନି ଓ ଓମାନ ରହିଛନ୍ତି। ଏହି ପ୍ରତ୍ୟେକ ଗ୍ରୁପ୍‌ର ଶେଷ୍ଠ ଦୁଇ ଦଳ ସୁପର-୧୨କୁ ଯୋଗ୍ୟତା ଅର୍ଜନ କରିବେ। ସୁପର-୧୨ ହେଉଛି ପ୍ରତିଯୋଗିତାର ଦ୍ବିତୀୟ ରାଉଣ୍ଡ ଏବଂ ଏଥିରେ ମଧ୍ୟ ଦୁଇଟି ଗ୍ରୁପ୍‌ ରହିଛି। ଏହି ଦ୍ବିତୀୟ ରାଉଣ୍ଡ ଅକ୍ଟୋବର ୨୩ରୁ ଆରମ୍ଭ ହେବ। ଉଦ୍‌ଘାଟନୀ ଦିବସରେ ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକା (ଆବୁଧାବି) ଏବଂ ଇଂଲଣ୍ଡ ଓ ଦୁଇ ଥରର ବଜେତା ୱେଷ୍ଟ୍‌ଇଣ୍ଡିଜ୍‌ (ଦୁବାଇ)‌ ମୁହାଁମୁହିଁ ହେବେ। ପ୍ରଥମ ସେମିଫାଇନାଲ୍‌ ଆବୁଧାବିରେ ନଭେମ୍ବର ୧୦ରେ ଏବଂ ଦ୍ବିତୀୟ ସେମିଫାଇନାଲ୍‌ରେ ଦୁବାଇରେ ନଭେମ୍ବର ୧୧ରେ ଖେଳାଯିବ। ଫାଇନାଲ୍‌ ମ୍ୟାଚ୍‌ ଦୁବାଇରେ ନଭେମ୍ବର ୧୪ରେ ଖେଳାଯିବ।

ସମ୍ବନ୍ଧିତ ଖବର