ଓଡ଼ିଶା ଆଉ ୫ଟି ଖଣି ନିଲାମ କରିବ: ସେପ୍ଟେମ୍ବର ସୁଦ୍ଧା ୧୧ଟି ଖଣିର ନିଲାମ ଶେଷ ହେବ

ଭୁବନେଶ୍ବର: ଓଡ଼ିଶା ସରକାର ୧୧ଟି ଖଣିର ନିଲାମ ପ୍ରକ୍ରିୟା ଚଳିତ ବର୍ଷ ସେପ୍ଟେମ୍ବର ସୁଦ୍ଧା ଶେଷ କରିବାକୁ ଲକ୍ଷ୍ୟ ରଖିଛନ୍ତି। ଏହା ସହିତ ଖୁବ୍‌ଶୀଘ୍ର ଆଉ ୫ଟି ଖଣିର ନିଲାମ କରିବେ। ରାଜ୍ୟ ଖଣି ଓ ଇସ୍ପାତ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ଏନେଇ ସୂଚନା ଦେଇଛନ୍ତି। ଇଣ୍ଡିଆନ ଚାମ୍ବର ଅଫ୍‌ କମର୍ସ (ଆଇସିସି) ଓଡ଼ିଶା ଚାପ୍ଟର ପକ୍ଷରୁ ଆୟୋଜିତ ଧାତବ ଓ ଖଣି ଇ-ସମ୍ମେଳନ ୨୦୨୧ରେ ଅତିଥି ଭାବେ ଯୋଗ ଦେଇ ସେ କହିଛନ୍ତି ଯେ ଚଳିତ ବର୍ଷ ଜୁଲାଇ ୭ରେ ୧୧ଟି ଖଣିର ନିଲାମ ପ୍ରକ୍ରିୟା‌ ଆରମ୍ଭ ହୋଇଥିଲା। ସେଥିରେ ୭ଟି ଲୁହାପଥର ଖଣି ଥିବା ବେଳେ ଦୁଇଟି ‘ଲୁହାପଥର ଓ ମାଙ୍ଗାନିଜ’ ଖଣି ଓ ଗୋଟିଏ ‘ଲୁହାପଥର ଓ ଡୋଲୋମାଇଟ୍‌’ ଖଣି ଏବଂ ଗୋଟିଏ ବକ୍ସାଇଟ୍‌ ଖଣି ରହିଛି। ‌ମୋଟ ୧୧ ଖଣି ମଧ୍ୟରୁ ୧୭ଟି ହେଉଛି ଭର୍ଜିନ୍ ଖଣି। ସେଗୁଡ଼ିକର ନିଲାମ ଚଳିତ ବର୍ଷ ସେପ୍ଟେମ୍ବର ସୁଦ୍ଧା ଶେଷ ହୋଇଯିବ। ଇତି ମଧ୍ୟରେ ଆଉ ୫ଟି ଖଣିକୁ ନିଲାମ ଲାଗି ଉପଲବ୍ଧ କରିବା ପାଇଁ ସରକାର ପ୍ରସ୍ତୁତ ହୋଇସାରିଛନ୍ତି। ସେଥିରୁ ୪ଟି ଚୂନପଥର ଖଣି ହୋଇଥିବା ବେଳେ ଗୋଟିଏ ହେଉଛି ଗ୍ରାଫାଇଟ୍‌ ଖଣି ବୋଲି ସେ କହିଛନ୍ତି।

ଖଣି ମନ୍ତ୍ରୀ ସୂଚନା ଦେଇଛନ୍ତି ଯେ ମହାମାରୀ ପ୍ରଭାବ ସତ୍ତ୍ବେ ୨୦୨୦-୨୧ରେ ରାଜ୍ୟରେ ଇସ୍ପାତ ଉତ୍ପାଦନରେ ୪.୩ ପ୍ରତିଶତ ବୃଦ୍ଧି ଘଟିଛି। ଇସ୍ପାତ ଉତ୍ପାଦନ କ୍ଷମତାରେ ବୃଦ୍ଧି ଆଣିବା ଲାଗି ରାଜ୍ୟରେ କେତେକ ନୂଆ ପ୍ରକଳ୍ପ କାର୍ଯ୍ୟକାରୀ ହେବାକୁ ଯାଉଛି। ଜେଏସ୍‌ଡବ୍ଲୁ ଷ୍ଟିଲ୍‌ ଏକ ୧୨ ନିୟୁତ ଟନ୍ କ୍ଷମତା ବିଶି‌ଷ୍ଟ କାରଖାନା ସ୍ଥାପନ କରିବାକୁ ପ୍ରସ୍ତାବ ଦେଇଥିବା ବେଳେ ଟାଟା ଷ୍ଟିଲ୍‌ ଏହାର କଳିଙ୍ଗନଗର କାରଖାନାର ସ୍ଥାପିତ କ୍ଷମତାକୁ ବର୍ତ୍ତମାନର ୩ ଏମ୍‌ଟିପିଏରୁ ବଢ଼ାଇ ୭.୫ ଏମ୍‌ଟିପିଏ କରିବ। ଏହା ବ୍ୟତୀତ ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟ୍‌ ମଧ୍ୟ ଏହାର ଉତ୍ପାଦନ କ୍ଷମତାକୁ ପର୍ଯ୍ୟାୟକ୍ରମେ ପ୍ରଥମେ ୭.୫ ଏମ୍‌ଟିପିଏକୁ ଓ ୨୦୩୦-୩୧ ସୁଦ୍ଧା ୧୦ ଏମ୍‌ଟିପିଏକୁ ବୃଦ୍ଧି କରିବାକୁ ଯୋଜନା ରଖିଛି। ବର୍ତ୍ତମାନ ରାଜ୍ୟର ସ୍ଥାପିତ ଇସ୍ପାତ ଉତ୍ପାଦନ କ୍ଷମତା ୩୩ ଏମ୍‌ଟିପିଏ ରହିଥିବା ବେଳେ ଆଗାମୀ ଦିନରେ ସେଥିରେ ବଡ଼ ଧରଣର ବୃଦ୍ଧି ଘଟିବ। ଏବେ ରାଜ୍ୟରେ ପେଲେଟ୍‌ର ସ୍ଥାପିତ କ୍ଷମତା ୫୯ ଏମ୍‌ଟିପିଏ ଓ ସ୍ପଞ୍ଜ ଆଇରନ୍‌ର ସ୍ଥାପିତ କ୍ଷମତା ୧୫ ଏମ୍‌ଟିପିଏ ରହିଥିବା ସେ କହିଛନ୍ତି। ଚଳିତ ବର୍ଷ ବର୍ତ୍ତମାନ ସୁଦ୍ଧା ରାଜ୍ୟ ସରକାର ଖଣି କ୍ଷେତ୍ରରୁ ୧୩ ହଜାର କୋଟି ଟଙ୍କାର ରାଜସ୍ବ ହାସଲ କରିଥିବା ସେ କହିଛନ୍ତି।

ଏହି ଅବସରରେ ଖଣି ନିର୍ଦେଶକ ଦେବିଦତ୍ତ ବିଶ୍ବାଳ କହିଛନ୍ତି ଯେ ରାଜ୍ୟ ସରକାର ପୂର୍ବରୁ ଯେଉଁ ୨୪ଟି ଖଣିର ନିଲାମ କରିଥିଲେ ସେଥି ମଧ୍ୟରୁ ୧୯ଟି ଖଣିରୁ ଉତ୍ପାଦନ ଆରମ୍ଭ ହୋଇଛି। ଆଇସିସିର ଇସ୍ପାତ ଓ ଖଣି କମିଟିର ମେଣ୍ଟର୍‌ ମନିଷ ଖରବନ୍ଦା କହିଛନ୍ତି ଯେ ରାଜ୍ୟ ଭିତରେ ଖଣିଜ ପଦାର୍ଥଗୁଡ଼ିକର ମୂଲ୍ୟ ଯୋଗ କରାଯାଇପାରିଲେ ରାଜ୍ୟ ସରକାର ପାଞ୍ଚ ଗୁଣା ଅଧିକ ରାଜସ୍ବ ପାଇପାରିବେ। ରାଜ୍ୟ ଭିତରେ କାରଖାନା ସ୍ଥାପନ କରିଥିବା ସଂସ୍ଥାଗୁଡ଼ିକୁ ପ୍ରି-ଏମ୍ପ୍‌ସନ୍ ନୀତି ଅଧୀନରେ ଲୁହା ପଥର ଯୋଗାଇ ଦେବା ଉପରେ ସରକାର ବିଚାର କରିପାରିବେ। ରାଜ୍ୟରେ ଉତ୍ପାଦିତ ୫୮% ଲୁହାପଥରକୁ ଅନ୍ତଃ ରାଜ୍ୟ ରପ୍ତାନି ଲାଗି ଅନୁମତି ଦିଆଯାଇଥିବାରୁ ଏହା ଦ୍ବାରା ରାଜ୍ୟର ଆନୁଷଙ୍ଗିକ ଓ ମୂଲ୍ୟ ଯୋଗ କରୁଥିବା ଶିଳ୍ପ ପ୍ରଭାବିତ ହେଉଥିବା ସେ କହିଛନ୍ତି।

ଏହି ଅବସରରେ ଆଇସିସି ଓଡ଼ିଶାର ଅଧ୍ୟକ୍ଷ ଜେ ବି ପାଣି, ଖଣି ଓ ଇସ୍ପାତ କମିଟିର ସଂଯୋଜକ ଏସ୍‌ ଏସ୍‌ ଉପାଧ୍ୟାୟ ଓ ଓଡ଼ିଶା ଖଣି ନିଗମର ନିର୍ଦେଶକ ସବ୍ୟସାଚ୍ଚୀ ମହାନ୍ତି ପ୍ରମୁଖ ଅଂଶଗ୍ରହଣ କରିଥିଲେ।

ସମ୍ବନ୍ଧିତ ଖବର