ଟାଟା ଷ୍ଟିଲ୍‌ ଜିତିଲା ବନ୍ଧୁତ୍ବପୂର୍ଣ୍ଣ କପ୍ ଫୁଟ୍‌ବଲ୍

ଭୁବନେଶ୍ବର: ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ବନ୍ଧୁତ୍ବପୂର୍ଣ୍ଣ କପ୍ ଫୁଟବଲ୍ ପ୍ରତିଯୋଗିତାରେ ଟାଟା ଷ୍ଟିଲ ଏକାଦଶ ବିଜେତା ଆଖ୍ୟା ଅର୍ଜନ କରିଛି। ଟାଟା ଷ୍ଟିଲ, ପ୍ରଶାସକ ଏକାଦଶ, ଗଣମାଧ୍ୟମ ଏକାଦଶ ଓ ରାଜନେତା ଏକାଦଶ ଏହିଭଳି ଚାରିଟି ଦଳକୁ ନେଇ ରବିବାର ଖେଳାଯାଇଥିବା ଏହି ପ୍ରତିଯୋଗିତାର ଫାଇନାଲରେ ଟାଟା ଷ୍ଟିଲ ଏକତରଫା ଭାବେ ୩-୦ ଗୋଲ୍‌ରେ ରାଜନେତା ଏକାଦଶକୁ ପରାସ୍ତ କରି ଏହି ସଫଳତା ଲାଭ କରିଥିଲା। ବିଜେତା ଦଳର ସଦାମ ଅବରାର ଦୁଇଟି ଏବଂ ମିଥୁନ ଚକ୍ରଶୟ ଗୋଟିଏ ଗୋଲ୍ ଦେଇଥିଲେ। ଏହା ପୂର୍ବରୁ ଅନୁଷ୍ଠିତ ପ୍ରଥମ ସେମିଫାଇନାଲ୍‌ରେ ରାଜନେତା ଏକାଦଶ ୩-୨ ଗୋଲ୍‌ରେ ଶକ୍ତିଶାଳୀ ଗଣମାଧ୍ୟମ ଏକାଦଶକୁ ଝଟ୍‌କା ଦେଇ ଫାଇନାଲରେ ପ୍ରବେଶ କରିଥିଲା। ରାଜନେତା ଏକାଦଶ ପକ୍ଷରୁ କୃଷି ଓ କୃଷକ ସଶସ୍ତିକରଣ, ମତ୍ସ୍ୟ ଓ ପଶୁ ସମ୍ପଦ ଏବଂ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ଏକାକୀ ଦୁଇଟି ଗୋଲ୍ ଦେଇଥିଲା ବେଳେ ପ୍ରଭୁ ଜୈନ ଗୋଟିଏ ଗୋଲ୍ ଦେଇଥିଲେ। ଗଣମାଧ୍ୟମ ଏକାଦଶ ପକ୍ଷରୁ ବିକାଶ ମରାଣ୍ଡି ଦୁଇଟିଯାକ ଗୋଲ୍ କରିଥିଲେ। ସେହିଭଳି ଦ୍ବିତୀୟ ସେମିଫାଇନାଲରେ ଟାଟା ଷ୍ଟିଲ ଏକାଦଶ ୧-୦ ଗୋଲ୍‌ରେ ପ୍ରଶାସକ ଏକାଦଶକୁ ହରାଇ ଫାଇନାଲ୍ ଟିକେଟ ହାସଲ କରିଥିଲା। ମ୍ୟାଚ୍‌ର ଏକମାତ୍ର ଗୋଲ୍ ସଦାମ ଅବରାର ଦେଇଥିଲେ।

ଏହା ପୂର୍ବରୁ ସକାଳେ ଅନୁଷ୍ଠିତ ଉଦଘାଟନୀ ଉତ୍ସବରେ ଅର୍ଥ ଓ ଅବକାରୀ ମନ୍ତ୍ରୀ ନିରଂଜନ ପୂଜାରି, ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ ଆରୁଖ, ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମିର ରଂଜନ ଦାଶ, ଶିଳ୍ପ, ଶକ୍ତି ଓ ଗୃହ ମନ୍ତ୍ରୀ କ୍ୟାପଟେନ୍ ଦିବ୍ୟ ଶଙ୍କର ମିଶ୍ର, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା, ‘ସମ୍ବାଦ’ ସଂପାଦକ ତଥା ଖଣ୍ଡପଡ଼ା ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ, ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ, ଅତିରିକ୍ତ ଶାସନ ସଚିବ ରାଜେଶ ବର୍ମା, ଓଡ଼ିଶା କ୍ରୀଡ଼ା ସାମ୍ବାଦିକ ସଂଘ ସଭାପତି କେ ରବି, ଟାଟା ଷ୍ଟିଲ (ଆରଏମ୍) ଉପସଭାପତି ଅରୁଣ ମିଶ୍ର ଓ ଟାଟା ଷ୍ଟିଲ (ସିଆରଇ)ର ଦେବାଶିଷ ଜେନା ଅତିଥି ଭାବେ ଯୋଗ ଦେଇଥିଲେ। ସେହିଭଳି ଅପରାହ୍‌ଣରେ ଅନୁଷ୍ଠିତ ପୁରସ୍କାର ବିତରଣୀ ଉତ୍ସବରେ କୃଷି ଓ କୃଷକ ସଶସ୍ତିକରଣ, ମତ୍ସ୍ୟ ଓ ପଶୁ ସମ୍ପଦ ଏବଂ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ, କ୍ରୀଡ଼ା ମନ୍ତ୍ରୀ ତୁଷାରକାନ୍ତି ବେହେରା, ଉଚ୍ଚଶିକ୍ଷା ସଚିବ ଶାଶ୍ବତ ମିଶ୍ର, ଇସ୍ପାତ ଓ ଖଣି ବିଭାଗର ସ୍ବତନ୍ତ୍ର ସଚିବ ଏସ୍‌କେ ପୋପଲି, ବରିଷ୍ଠ ସାମ୍ବାଦିକ ରାଜାରାମ ଶତପଥୀ, ଦେବି ପଟ୍ଟନାୟକ, ଟାଟା ଷ୍ଟିଲ (ବିଏସଏଲ୍) ସିଓଓ ସୁବୋଧ ପାଣ୍ଡେ, ଟାଟା ଷ୍ଟିଲ (କର୍ପୋରେଟ୍ ସର୍ଭିସେସ୍) ମହାପ୍ରବନ୍ଧକ ଆର ଆର ଶତପଥୀ, ଟାଟା ଷ୍ଟିଲ କର୍ପୋରେଟ୍ ସର୍ଭିସ୍ ମୁଖ୍ୟ ମଣିକାନ୍ତ ନାୟକ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ।

ବ୍ୟକ୍ତିଗତ ବର୍ଗ ପୁରସ୍କାର
ଶ୍ରେଷ୍ଠ ଅଗ୍ରଭାଗ ଖେଳାଳି: ସଦାମ ଅବରାର, ଶ୍ରେଷ୍ଠ ଗୋଲ୍ ରକ୍ଷକ: ଜଗନ୍ନାଥ ନାୟକ, ଶୃଙ୍ଖଳିତ ଖେଳାଳି: ଶାଶ୍ବତ ମିଶ୍ର, ସର୍ବାଧିକ ଗୋଲ୍: ସଦାମ ଅବରାର, ଶ୍ରେଷ୍ଠ ରକ୍ଷଣଭାଗ ଖେଳାଳି: ଦିବ୍ୟଶଙ୍କର ମିଶ୍ର, ଶ୍ରେଷ୍ଠ ହାଫ୍: ଅରୁଣ ସାହୁ, ପ୍ରଥମ ସେମିଫାଇନାଲର ‌ଶ୍ରେଷ୍ଠ ଖେଳାଳି: ବିକାଶ ମରାଣ୍ଡି, ଦ୍ବିତୀୟ ସେମିଫାଇନାଲର ଶ୍ରେଷ୍ଠ ଖେଳାଳି: ଅଜୟ ମହାପାତ୍ର, ଫାଇନାଲର ଶ୍ରେଷ୍ଠ ଖେଳାଳି: ମିଥୁନ ଚକ୍ରଶୟ।

ସମ୍ବନ୍ଧିତ ଖବର