ଡୋରୁ ଏଆଇଏଫ୍‌ଏଫ୍‌ର ନୂଆ ‌ବୈଷୟିକ ନିର୍ଦେଶକ

ନୂଆଦିଲ୍ଲୀ: ସର୍ବଭାରତୀୟ ଫୁଟ୍‌ବଲ୍‌ ମହାସଂଘ (ଏଆଇଏଫ୍‌ଏଫ୍‌) ସୋମବାର ଇସାକ୍ ଡୋରୁଙ୍କୁ ବୈଷୟିକ ନିର୍ଦେଶକ ଭାବେ ନିଯୁକ୍ତ କରିଛି। ଏହି ପଦ ଲାଗି ୬୦ ଜଣ ଆବେଦନ କରିଥିଲେ। ହେଲେ ସମସ୍ତଙ୍କୁ ପଛରେ ପ‌କାଇ ଡୋରୁ ଏହି ପଦ ଅଳଙ୍କୃତ କରି ନେଇଥିଲେ। ରୋମାନିଆର କ୍ରାଇଓଭାରେ ଜନ୍ମିତ ୫୬ ବର୍ଷୀୟ ଡୋରୁଙ୍କ ନିକଟରେ ୨୯ ବର୍ଷର ଅନ୍ତର୍ଜାତୀୟ ଫୁଟ୍‌ବଲ୍‌ର ଅଭିଜ୍ଞତା ରହିଛି। ସେ ବିଭିନ୍ନ ଦେଶ ତଥା ଫ୍ରାନ୍ସ, ଜାପାନ, ଆମେରିକା, ରୋମାନିଆ, ସାଉଦି ଆରବ ଓ କାତାର ସହ ସଫଳତାର ସହ କାମ କରି ସାରିଛନ୍ତି। ଏଆଇଏଫ୍‌ଏଫ୍‌ ନିଯୁକ୍ତି ପୂର୍ବରୁ ସେ ତିନି ଥରର ଜେ-ଲିଗ୍‌ ବିଜେତା ୟୋକୋହାମା ମାରିନୋସ ଏଫ୍‌ସିର ସ୍ପୋର୍ଟିଂ ଡାଇରେକ୍ଟର ଥିଲେ। ଆମ ସହ ଡୋରୁ ଯୋଗ ଦେଇଥିବାରୁ ବହୁତ ଖୁସି। ତାଙ୍କ ନିକଟରେ ଭଲ ଅଭିଜ୍ଞତା ରହିଛି। ଯାହାକି ଭାରତୀୟ ଫୁଟ୍‌ବଲ୍‌ର ଉନ୍ନତିରେ ‌କାର୍ଯ୍ୟଦେବ ବୋଲି କହିଛନ୍ତି ଏଆଇଏଫ୍‌ଏଫ୍‌ ସଭାପତି ପ୍ରଫୁଲ୍ଲ ପଟେଲ। ନିଯୁକ୍ତି ଲାଗି ଏଆଇଏଫ୍‌ଏଫ୍‌କୁ ଧନ୍ୟବାଦ, ଭାରତରେ ଫୁଟ୍‌ବଲ୍‌କୁ ଆଗକୁ ବଢ଼ାଇବା ଲାଗି ସବୁପ୍ରକାର ‌ଚେଷ୍ଟା କରିବି ବୋଲି ଡୋରୁ କହିଛନ୍ତି। ଭାରତ ଆସିବା ଲାଗି ମୁଁ ଶୀଘ୍ର ଭିସା ପାଇଁ ପ୍ରସ୍ତୁତ କରୁଛି ‌ବୋଲି ସେ କହିଥିଲେ।

ସମ୍ବନ୍ଧିତ ଖବର