ଟେନିସ୍‌ କ୍ରିକେଟ୍‌:ମହାମିଳନ

ଓଡ଼ିଶାରେ ବଢ଼ୁଛି ‘ଟେନିସ୍‌ କ୍ରିକେଟ୍‌’ ଲୋକପ୍ରିୟତା

ଭୁବନେଶ୍ୱର: ଭାରତରେ କ୍ରିକେଟ୍‌ ଓ ଟେନିସ୍‌ ଦୁଇଟି ବେଶ ଲୋକପିି୍ରୟ ଓ ପ୍ରତିଷ୍ଠିତ ଖେଳ ଯେଉଁଥିରେ ଅନ୍ତର୍ଜାତୀୟସ୍ତରରେ ଢେର ସଫଳତା, ପ୍ରତିଷ୍ଠା, ପତିଆରା, ପରାକାଷ୍ଠା ସହିତ ସ୍ୱୀକୃତି ମିଳିିଛି। ଟେନିସ୍‌ରେ ଭାରତ ଅଲିମ୍ପିକ୍‌ ପଦକ ଜିତି ସାରିଛି ଏବଂ କ୍ରିକେଟ୍‌ରେ ୩ ଥର ବିଶ୍ୱକପ୍‌ ହାସଲ କରିଛି। କିନ୍ତୁ ବିଗତ କିଛି ବର୍ଷ ହେବ ଏହି ଦୁଇ ଖେଳର ମିଶ୍ରିତ ରୂପ ‘ଟେନିସ୍‌ କ୍ରିକେଟ୍‌’ ଧୀରେଧୀରେ ସଫଳତାର ସିଡ଼ି ଚଢ଼ୁଛି। ସବୁଠାରୁ ବଡ଼ କଥା ହେଲା ଓଡ଼ିଶା ଏହି ନୂଆ ଖେଳରେ ଯେଉଁ ଧରଣର ସଫଳତା ପାଇଛି ତାହା ଜାତୀୟସ୍ତରରେ ଟେନିସ୍‌ ଓ କ୍ରିକେଟ୍‌ରେ ପୃଥକଭାବେ ପାଇନାହିଁ। ମାତ୍ର ୨ ବର୍ଷ ଭିତରେ ଓଡ଼ିଶା ପୂର୍ବାଞ୍ଚଳରେ ପ୍ରାଧାନ୍ୟ ବିସ୍ତାର କରିଥିବା ବେଳେ ଜାତୀୟସ୍ତରରେ ବି ନିୟମିତ ଦ୍ୱିତୀୟ ଶ୍ରେଷ୍ଠ ଦଳର ମାନ୍ୟତା ପାଇ ଚାଲିଛି। ଏହି ଖେଳ ସ୍କୁଲ ଗେମ୍‌ସ ଫେଡେରେସନ୍‌ ଅଫ୍‌ ଇଣ୍ଡିଆ (ଏସ୍‌ଜିଏଫ୍‌ଆଇ) ତାଲିକାରେ ସାମିଲ ହୋଇସାରିଥିବାରୁ ମଧ୍ୟ ତୃଣମୂଳସ୍ତରରେ ଏହାର ପ୍ରଭାବ ପଡ଼ିବା ଆରମ୍ଭ କରିଛି। ‘ଟେନିସ୍‌ କ୍ରିକେଟ୍‌’ର କ୍ରମବର୍ଦ୍ଧିଷ୍ଣୁ ଲୋକପ୍ରିୟତା ଦେଖିଲେ ଏହାକୁ ଗୌଣ ବିବେଚନା କରାଯାଇ ପାରିବ ନାହିଁ, ବରଂ ଏକ ଉଜ୍ଜ୍ୱଳ ଭବିଷ୍ୟତର ଆଶା ଦେଖି ହେଉଛି।
ମାତ୍ର ୨ ବର୍ଷ ତଳେ ପୂର୍ବତନ କ୍ରିକେଟର୍‌ ଶୈବାଳ କୁମାର ମିତ୍ର (ରିଣ୍ଟୁ)ଙ୍କ ପ୍ରୟାସରେ ଓଡ଼ିଶା ପାଦ ଥାପିଥିବା ଟେନିସ୍‌ କ୍ରିକେଟ୍‌ ଏବେ ନିଜ ପାଇଁ ଏକ ସ୍ୱତନ୍ତ୍ର ସ୍ଥାନ ଦାବି କରୁଛି। ଏହି ସ୍ୱଳ୍ପ ସମୟ ମଧ୍ୟରେ ଓଡ଼ିଶା ଦଳ ୩ ସ୍ୱର୍ଣ୍ଣ ଏବଂ ୬ ରୌପ୍ୟ ପଦକ ଜିତିବା ନିଜର ସ୍ୱତଃ ବିଜ୍ଞାପନ କରୁଛି। ପୂର୍ବାଞ୍ଚଳରେ ୨ ଥର (ଭୁବନେଶ୍ୱର, ୨୦୧୭ ଏବଂ ରାଞ୍ଚି, ୨୦୧୮) ବିଜେତା ହୋଇଥିବା ଓଡ଼ିଶା ଜାତୀୟ କନିଷ୍ଠରେ ମଧ୍ୟ ଥରେ (ଉଜ୍ଜୟିନୀ, ୨୦୧୮) ମୁକୁଟ ହାତେଇ ସାରିଛି। କେବଳ ପ୍ରଦର୍ଶନ ଦେଖିଲେ ୨୦୧୬ରେ ବେଲଗାଓଁ ଜାତୀୟ ଓ କଳିଙ୍ଗ ଷ୍ଟାଡିୟମ୍‌ରେ ଫେଡେରେସନ୍‌ କପ୍‌ରେ ରୌପ୍ୟ, ୨୦୧୭ରେ ରାଞ୍ଚି ଜାତୀୟ ପ୍ରତିଯୋଗିତାରେ ରୌପ୍ୟ, ସର୍ବଭାରତୀୟ ଚାମ୍ପିଅନ୍ସ ଟ୍ରଫିରେ ଦ୍ୱିତୀୟ ଉପବିଜେତା, ୨୦୧୮ରେ ହାଇଦ୍ରାବାଦ ଜାତୀୟ କନିଷ୍ଠ ପ୍ରତିଯୋଗିତା ଏବଂ ଫେଡେରେସନ୍‌ କପ୍‌ରେ ଲଗାତାର ରୌପ୍ୟ ପଦକ ଜିତିଛନ୍ତି। ଗତ ଅଗଷ୍ଟ ମାସରେ ରାଜସ୍ଥାନର ଆଜମେରଠାରେ ଅନୁଷ୍ଠିତ ତୃତୀୟ ବରିଷ୍ଠ ଜାତୀୟ ଟେନିସ୍‌ କ୍ରିକେଟ୍‌ ପ୍ରତିଯୋଗିତାରେ ରୌପ୍ୟ ପଦକ ଜିତି ହ୍ୟାଟ୍ରିକ୍‌ ଅର୍ଜନର ଗୌରବ ପାଇଛି ଓଡ଼ିଶା ଦଳ। ଶ୍ରୀ ମିତ୍ର ଭାରତୀୟ ଟେନିସ୍‌ କ୍ରିକେଟ୍‌ ସଂଘର ବୈଷୟିକ ସମିତି ଅଧ୍ୟକ୍ଷ ଦାୟିତ୍ୱ ସହିତ ଓଡ଼ିଶା ସଂଘର ସମ୍ପାଦକ ଦାୟିତ୍ୱ ତୁଲାଇଥିବାରୁ ଏହି ଖେଳ ରାଜ୍ୟରେ ଅଧିକ ସଫଳତା ପାଇଛି। ପୂର୍ବାଞ୍ଚଳର ନିର୍ଦେଶକ ଭାବେ ମଧ୍ୟ ଶ୍ରୀ ମିତ୍ର କାର୍ଯ୍ୟ କରୁଛନ୍ତି। ଦୁବାଇ ଅନ୍ତର୍ଜାତୀୟରେ ଭାରତୀୟ ଦଳର ପ୍ରଶିକ୍ଷକ ତଥା ଚୟନକର୍ତା ଭାବେ ମଧ୍ୟ ସେ ଦାୟିତ୍ୱ ତୁଲାଇଥିଲେ।
ଆଶଙ୍କା କମ୍‌, ସୁଯୋଗ ଅଧିକ
ଟେନିସ୍‌ କ୍ରିକେଟ୍‌ରେ ସାଧାରଣ କ୍ରିକେଟ୍‌ ଭଳି ଆହତ ହେବାର ଆଶଙ୍କା କିମ୍ବା ଦଳରେ ସ୍ଥାନ ନ ପାଇବାର ବ୍ୟର୍ଥତା ଥିବାରୁ ସୁଯୋଗ ପର୍ଯ୍ୟାପ୍ତ ରହିଛି ବୋଲି କୁହନ୍ତି ଭାରତୀୟ ଟେନିସ୍‌ କ୍ରିକେଟ୍‌ ସହ ଏକାଧିକ କ୍ଷମତାରେ ଜଡ଼ିତ ଶୈବାଳ କୁମାର ମିତ୍ର (ରିଣ୍ଟୁ)। କେବଳ ଟେନିସ୍‌ ବଲ୍‌ ବ୍ୟବହାରକୁ ନେଇ ଖେଳାଯାଉଥିବା ଏହି କ୍ରିକେଟ୍‌ରେ ବିଶେଷ କିଛି ଫରକ ନାହିଁ। ଆଇସିସିର ଅଧିକାଂଶ ନିୟମ ବି ଏଥିରେ ପ୍ରଯୁଜ୍ୟ ରହୁଥିବାରୁ ଦ୍ୱନ୍ଦ୍ୱ ସୃଷ୍ଟି କରୁନାହିଁ, ଯାହାକି ପ୍ରଚାର ଓ ପ୍ରସାରରେ ସହାୟକ ହେଉଛି। ୪୫/୬୦ ମିଟର୍‌ ସୀମାରେଖା ଏବଂ ୨୦/୨୫ ମିଟର୍‌ ବିଶିଷ୍ଟ ଅନ୍ତଃବଳୟରେ ୧୧ ଜଣ କ୍ରିକେଟ୍‌ରଙ୍କଠାରୁ ଢେର ମନୋରଂଜନ ମିଳୁଛି। ବଦଳ ଖେଳାଳିଭାବେ ଗୋଟିଏ ମ୍ୟାଚ୍‌ରେ ସମସ୍ତ ୧୬ ଜଣ ଖେଳିବାର ନିୟମ ବି ରହିଛି। ଫଟାଫଟ୍‌ କ୍ରିକେଟ୍‌ରେ ଏହା ଏକ ନୂଆ ଉତ୍ସାହ ଭରିଛି ବୋଲି କୁହନ୍ତି ଶ୍ରୀ ମିତ୍ର। ଓଡ଼ିଶାର ତୃଣମୂଳସ୍ତରରେ ଟେନିସ୍‌ କ୍ରିକେଟ୍‌ର ପ୍ରତିଭା ଭରପୁର ରହିଛି। ଆମେ ଏବେ ରାଜ୍ୟର ୭/୮ ଜିଲ୍ଲାରେ ପ୍ରସାରିତ ହୋଇଛୁ ଏବଂ ନିକଟ ଭବିଷ୍ୟତରେ ୨୦/୨୨ ଜିଲ୍ଲାକୁ ଅନୁବଂଧିତ କରିବାକୁ ଯାଉଛୁ। ଗଳି କ୍ରିକେଟର୍‌ଙ୍କୁ ଅନ୍ତର୍ଜାତୀୟସ୍ତରରେ ପହଞ୍ଚାଇବା ମୋର ଏକ ଆଭିମୁଖ୍ୟ ରହିଛି ବୋଲି ଶ୍ରୀ ମିତ୍ର କହିଥିଲେ। ଖେଳାଳି ଜୀବନରେ ମୁଁ ଉପର ସ୍ତରକୁ ଉଠି ପାରିନଥିବାରୁ ସେ ଅଧୁର ସ୍ୱପ୍ନକୁ ଖେଳାଳି ଗଢ଼ିବା ଓ ସୁଯୋଗ ଦେବାରେ ପୂର୍ଣ୍ଣ କରିବାକୁ ଚେଷ୍ଟା କରୁଛି ବୋଲି ମଧ୍ୟ କହିଥିଲେ ୪୫ ବର୍ଷୀୟ ଶ୍ରୀ ମିତ୍ର। କିମ୍ବଦନ୍ତୀ କ୍ରିକେଟର୍‌ ସୁନୀଲ ଗାଭାସ୍କରଙ୍କ ଆଦର୍ଶରେ ଖେଳିଥିଲି, ଏବେ ତାଙ୍କ ପ୍ରେରଣାରେ ଖେଳାଇବା ଓ ଖେଳ ପ୍ରଶାସକ ପ୍ରଚେଷ୍ଟାରେ ରହିଛି। ୨୦୦୭ ମସିହାରେ ଏକ ଟିଭି ପ୍ରସାରଣ କାର୍ଯ୍ୟରେ ତାଙ୍କ ସଂସ୍ପର୍ଶରେ ଆସିବା ବେଳେ ମୋତେ ସେ ଆଶୀର୍ବାଦ ଦେଇ ଏଭଳି କାମକୁ ଉତ୍ସାହିତ କରିଛନ୍ତି। ସେବେଠୁ ମୁଁ ଆଉ ପଛକୁ ଫେରିନାହିଁ ବୋଲି କହିଥିଲେ ଶ୍ରୀ ମିତ୍ର।
ବିଗତ ୨ ବର୍ଷ ଭିତରେ ଓଡ଼ିଶା ଜାତୀୟସ୍ତରରେ ୧୯ ପ୍ରତିଯୋଗିତାରେ ଖେଳିଛି। ବରିଷ୍ଠ ବର୍ଗ ସହିତ ଫେଡେରେସନ୍‌ କପ୍‌, ଚାମ୍ପିଅନ୍ସ ଟ୍ରଫି ସହିତ ପ୍ରମୁଖ ପ୍ରତିଯୋଗିତାରେ ପଦକ ଜିତି ଆସୁଛି। ଦୁବାଇ ଅନ୍ତର୍ଜାତୀୟରେ ଓଡ଼ିଶାରୁ ଦୁଇ ଜଣ ଦୀପକ ମଲ୍ଲିକ ଏବଂ ଅମରେନ୍ଦ୍ର ଦାସ ଖେଳିବା ମଧ୍ୟ ରାଜ୍ୟ ପାଇଁ ଗୌରବର ବିଷୟ ଥିଲା। ସ୍କୁଲ୍‌ କ୍ରୀଡ଼ାରେ ସାମିଲ ହେବା ଆମକୁ ମଧ୍ୟ ଅଧିକ ଉତ୍ସାହିତ କରିଛି ବୋଲି କହିଥିଲେ ଶ୍ରୀ ମିତ୍ର।

ସମ୍ବନ୍ଧିତ ଖବର