ମଦ ଦୋକାନର ତଦନ୍ତ ଦାବି କଲେ ବିଜେଡି ବିଧାୟକ : ଦାମଙ୍କ ସମୟରେ ୯୩ ଦୋକାନ ଖୋଲିଥିଲା

ଭୁବନେଶ୍ୱର : ବିଜେଡିରୁ ବହିଷ୍କୃତ ହେଲା ପରେ ଦାମୋଦର ରାଉତ ବିଭିନ୍ନ ପ୍ରସଙ୍ଗ ଉଠାଇ ରାଜ୍ୟ ସରକାର ଓ ଶାସକ ଦଳକୁ ଘାଇଲା କରୁଛନ୍ତି। ଆଜି ଶାସକ ଦଳ ପକ୍ଷରୁ ପ୍ରତି ଆକ୍ରମଣ ପାଇଁ ପ୍ରକ୍ରି୍ରୟା ଆରମ୍ଭ ହୋଇଛି। ଦାମ ଅବକାରୀ ମନ୍ତ୍ରୀ ଥିଲା ବେଳେ ଖୋଲାଯାଇଥିବା ମଦ ଦୋକାନଗୁଡ଼ିକର ଅନୁମତି ଦିଆଯିବା ନେଇ ତଦନ୍ତ କରିବାକୁ ବିଜେଡି ବିଧାୟକ ସମୀର ଦାଶ ଦାବି କରିଛନ୍ତି। ଆଜି ବିଧାନସଭାର ଶୂନ୍ୟକାଳରେ ସେ ଏହି ପ୍ରସଙ୍ଗ ଉଠାଇ ଦାମଙ୍କୁ ବିବାଦକୁ ଟାଣିବାକୁ ଚେଷ୍ଟା କରିଛନ୍ତି। ସେ କହିଛନ୍ତି, ରାଜ୍ୟରେ ଏବେ ୬୪୭ ମଦ ଦୋକାନ ଅଛି। ୨୦୧୪-୧୫ରେ ଦାମୋଦର ରାଉତ ଅବକାରୀ ମନ୍ତ୍ରୀ ହେଲା ପରେ ୯୩ଟି ମଦ ଦୋକାନ ଖୋଲିବାକୁ ଅନୁମତି ଦେଇଥିଲେ। ଏହା ମଧ୍ୟରୁ ଜଗତସିଂହପୁର ଜିଲ୍ଲାର ୮ଟି ଓ କେବଳ ପାରାଦୀପରେ ୩ଟି ଦୋକାନ ରହିଛି। ତେଣୁ ଏହି ୯୩ଟି ମଦ ଦୋକାନ ଖୋଲାଯିବା ବେଳେ ନିୟମକାନୁନ୍‌କୁ ଠିକ୍‌ ଭାବେ ପାଳନ କରାଯାଇଛି କି ନାହିଁ ପ୍ରଶ୍ନ ଉଠୁଛି। ତେଣୁ ଏହାର ତଦନ୍ତର ଆବଶ୍ୟକତା ରହିଛି। ତେବେ ଏହାର ଜବାବ ଦେଇ ଦାମ କହିଛନ୍ତି, ଯଦି ସମୀର ଦାଶଙ୍କ ସତ୍‌ସାହସ ଅଛି ତେବେ ମୋ ସମୟରେ ମଦ ଦୋକାନ ଖୋଲାଯାଇଥିବାର ଅନିୟମିତତା ହୋଇଥିବାର ପ୍ରମାଣ ଦିଅନ୍ତୁ। ପୂର୍ବରୁ ଅବକାରୀ ରାଜସ୍ୱ ୧୪୦୦ କୋଟି ଟଙ୍କା ଥିଲା। ମୋର ତିନି ବର୍ଷ କାର୍ଯ୍ୟକାଳ ଭିତରେ ତାହା ୨୮୦୦ କୋଟି ଟଙ୍କା ହୋଇଥିଲା। ସେହି ସମୟରେ ମଦମୃତ୍ୟୁ ଅଭିଯୋଗ କିଛି ଆସି ନ ଥିଲା। କୌଣସି ସ୍ଥାନରେ ବି ସାମାନ୍ୟ ଅନ୍ୟାୟ କରାଯାଇନି ବୋଲି ଦାମ ଜୋର୍‌ ଦେଇଛନ୍ତି।

ସମ୍ବନ୍ଧିତ ଖବର