ଭାରତୀୟ ଟେଷ୍ଟ୍‌ ଦଳ ଘୋଷିତ: ରାହୁଲ ବାଦ୍, ଶୁଭମନ୍‌ଙ୍କୁ ସୁଯୋଗ

ମୁମ୍ବାଇ: ଅକ୍ଟୋବର ୨ ତାରିଖରୁ ଆରମ୍ଭ ହେଉଥିବା ଦକ୍ଷିଣ ଆଫ୍ରିକା ବିପକ୍ଷ ତିନି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ୍‌ ଶୃଙ୍ଖଳା ଲାଗି ଗୁରୁବାର ୧୫ ଜଣିଆ ଭାରତୀୟ ଦଳ ଘୋ‌ଷଣା କରାଯାଇଛି। ଭାରତୀୟ ୧୯ ବର୍ଷରୁ କମ୍ ବିଶ୍ବକପ୍ (୨୦୧୮) ଦଳର ସଦସ୍ୟ ତଥା ପଞ୍ଜାବର ୨୦ ବର୍ଷୀୟ ଡହାଣହାତୀ ବ୍ୟାଟ୍ସମ୍ୟାନ୍ ଶୁଭମନ୍ ଗିଲ୍ ପ୍ରଥମ ଥର ପାଇଁ ଟେଷ୍ଟ୍‌ ଦଳରେ ସ୍ଥାନ ପାଇଛନ୍ତି। ଅନ୍ୟ ପକ୍ଷରେ ୱେଷ୍ଟଇଣ୍ଡିଜ୍ ବିପକ୍ଷ ଦୁଇ ଟିକିଆ ଶୃଙ୍ଖଳାରେ ଦୁର୍ବଳ ପ୍ରଦର୍ଶନ କରିଥିବା ଲୋକେଶ ରାହୁଲଙ୍କୁ ଚୟନକର୍ତାମା‌ନେ ବାଦ୍ ଦେଇଛନ୍ତି। ତାଙ୍କ ସ୍ଥାନରେ ହିଁ ଶୁଭମନ୍ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ଭାବେ ଭାରତୀୟ ଦଳରେ ସାମିଲ ହୋଇଛନ୍ତି।

ଶୁଭମନଙ୍କୁ ସୁଯୋଗ ମିଳିବା ପରେ ଦକ୍ଷିଣ ଆଫ୍ରିକା ଶୃଙ୍ଖଳାରେ ଭାରତ ନୂ୍ଆ ପ୍ରାରମ୍ଭିକ ଯୋଡ଼ି ନେଇ ଖେଳିବା ସ୍ପଷ୍ଟ ହୋଇଯାଇଛି। ଅନ୍ୟ ଏକ ବଡ଼ ପରିବର୍ତନ ଭାବେ ଏମ୍‌ଏସ୍‌କେ ପ୍ରସାଦଙ୍କ ଅଧ୍ୟକ୍ଷତା ବିଶିଷ୍ଟ ଜାତୀୟ ଚୟନ ସମିତି ଅଭିଜ୍ଞ ବ୍ୟାଟ୍ସମ୍ୟାନ୍ ରୋହିତ ଶର୍ମାଙ୍କୁ ଅନ୍ୟତମ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ଭାବେ ଦଳରେ ନେଇଛନ୍ତି। ୱେଷ୍ଟଇଣ୍ଡିଜ୍ ଗସ୍ତରେ ରୋହିତ ମଧ୍ୟକ୍ରମ ବ୍ୟାଟ୍ସମ୍ୟାନ୍ ଭାବେ ଭାରତୀୟ ଟେଷ୍ଟ୍‌ ଦଳରେ ଥିଲେ। ହେଲେ ଗୋଟିଏ ବି ମ୍ୟାଚ୍ ଖେଳିବାର ସୁଯୋଗ ପାଇ ନଥିଲେ। ଅନ୍ୟପକ୍ଷରେ ରାହୁଲ ଦୁଇଟି ଯାକ ମ୍ୟାଚ୍ ଖେଳି ଲଗାତାର ବିଫଳ ହୋଇଥିଲେ। ରାହୁଲ ଇଣ୍ଡିଜ୍‌ରେ ଖରାପ ଖେଳିବା ପରେ ଆଗାମୀ ସମୟରେ ରୋହିତଙ୍କୁ ପାଳି ଆରମ୍ଭ କରିବା ସୁଯୋଗ ମିଳିବ‌ ବୋଲି ପ୍ରସାଦ କିଛି ଦିନ ତଳେ ସଙ୍କେତ ଦେଇଥିଲେ। ରୋହିତ ମଧ୍ୟକ୍ରମରୁ ପ୍ରାରମ୍ଭିକ ‌ବ୍ୟାଟ୍ସମ୍ୟାନର ପଦୋନ୍ନତି ପାଇବା ପରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ମୟଙ୍କ ଅଗ୍ରୱାଲଙ୍କ ସହ ଶୁଭମନ୍ କିମ୍ବା ତାଙ୍କ ମଧ୍ୟରୁ ଜଣେ ପାଳି ଆରମ୍ଭ କରିବା ଏକ ପ୍ରକାର ନିଶ୍ଚିତ। ଅଭିଜ୍ଞତା ଦୃଷ୍ଟିରୁ କିନ୍ତୁ ରୋହିତ କର୍ଣ୍ଣାଟକର ଯୁବ ବ୍ୟାଟ୍ସମ୍ୟାନ୍ ମୟକଙ୍କ ଯୋଡ଼ିଦାର ହେବାର ଅଧିକ ସମ୍ଭାବନା‌ ରହିଛି।

ରୋହିତଙ୍କୁ ମଧ୍ୟକ୍ରମରୁ ନେଇ ଶୀର୍ଷରେ ଖେଳାଇବାକୁ ପୂବର୍ତନ ଭାରତୀୟ ଅଧିନାୟକ ସୌରଭ ଗାଙ୍ଗୁଲି ଚୟନକର୍ତାଙ୍କୁ ଆହ୍ବାନ କରିଥିଲେ। ଅଷ୍ଟ୍ରେଲିଆର ପୂର୍ବତନ ଦୁର୍ଦ୍ଧର୍ଷ ୱିକେଟରକ୍ଷକ ଆଦାମ ଗିଲକ୍ରିଷ୍ଟ ମଧ୍ୟ ଏହି କ୍ଷେତ୍ରରେ ଗାଙ୍ଗୁଲିଙ୍କୁ ଦୃଢ଼ ସମର୍ଥନ କରିଥିଲେ। ଚୟନକର୍ତା ଆଜି ଯାହାକୁ ସମ୍ମାନ ଜଣାଇଛନ୍ତି। ୱେଷ୍ଟଇଣ୍ଡିଜ୍ ଗସ୍ତ କରିଥିବା ଟେଷ୍ଟ୍‌ ଶୃଙ୍ଖଳା ଦଳରେ ସେମିତି କିଛି ବଡ଼ ଧରଣର ଅଦଳବଦଳ କରାଯାଇ ନାହିଁ। ଋଦ୍ଧିମାନ ସାହାଙ୍କ ସହ ଋଷବ ପନ୍ତ ଭାରତୀୟ ଦଳର ୱିକେଟ୍ ରକ୍ଷକ ଅଛନ୍ତି। କୁଲଦୀପ ଯାଦବଙ୍କ ସହ ରବିଚନ୍ଦ୍ରନ୍‌ ଅଶ୍ବିନ ଦଳରେ ମଧ୍ୟ ରହିଛନ୍ତି। ୱେଷ୍ଟଇଣ୍ଡିଜରେ ଭଲ କରିବା ପରେ ମଧ୍ୟକ୍ରମରେ ଅଜିଙ୍କ୍ୟ ରାହାଣେ ଏବଂ ହନୁମା ବିହାରୀ ନିଜ ନିଜ ସ୍ଥାନ ବଜାୟ ରଖିଛନ୍ତି। ଯଶପ୍ରୀତ ବୁମରା, ମହମ୍ମଦ ସାମି ଓ ଈଶାନ୍ତ ଶର୍ମାଙ୍କ ରୂପରେ ତିନି ଜଣ ଦ୍ରୁତ ବୋଲର ଦଳରେ ରହିଛନ୍ତି।

ଭାରତୀୟ ଦଳ: ବିରାଟ କୋହଲି (ଅଧିନାୟକ), ମୟଙ୍କ ଅଗ୍ରୱାଲ, ରୋହିତ ଶର୍ମା, ଚେତେଶ୍ବର ପୂଜାରା, ଅଜିଙ୍କ୍ୟ ରାହାଣେ (ଉପଅଧିନାୟକ), ହନୁମା ବିହାରୀ, ଋଷବ ପନ୍ତ, ଋଦ୍ଧିମାନ ସାହା, ରବିଚନ୍ଦ୍ରନ୍‌ ଅଶ୍ବିନ, କୁଲଦୀପ ଯାଦବ, ରବୀନ୍ଦ୍ର ଜାଦେଜା, ମହମ୍ମଦ ସାମି, ଯଶପ୍ରୀତ ବୁମରା, ଈଶାନ୍ତ ଶର୍ମା, ଶୁଭମନ୍ ଗିଲ।

‘ଏ’ ପ୍ରଦର୍ଶନ ପ‌ାଇଁ ପୁରସ୍କାର

ପଞ୍ଜାବର ୨୦ ବର୍ଷୀୟ ବ୍ୟାଟ୍ସମ୍ୟାନ୍ ଶୁଭମନ୍ ଗତ ଜାନୁଆରିରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଅନ୍ତର୍ଜାତୀୟ ପଦାର୍ପଣ କରିଥିଲେ। ସେହି ଶୃଙ୍ଖଳାରେ ସେ ଦୁଇଟି ଦିନିକିଆ ଖେଳିବାର ସୁଯୋଗ ପାଇଥିଲେ। ହେଲେ ଭାରତୀୟ ଟେଷ୍ଟ୍‌ ଦଳରେ ପ୍ରଥମ ଥର ପାଇଁ ସାମିଲ ହୋଇଛନ୍ତି। ୱେଷ୍ଟଇଣ୍ଡିଜ୍ ଗସ୍ତ ଲାଗି ଚୟନକର୍ତା ତାଙ୍କୁ ବିଚାରକୁ ନନେବା ପରେ ଶୁଭମନ୍ ଖୋଲା‌ଖୋଲି ଭାବେ ନିରାଶା ଜାହିର କରିଥିଲେ। ଏହା ପରେ ସେ ୱେଷ୍ଟଇଣ୍ଡିଜ୍ ‘ଏ’ ବିପକ୍ଷ ତିନି ଦିନିଆ ମ୍ୟାଚ୍‌ରେ ୨୪୮ ବଲ୍‌ରୁ ୨୦୪ ରନ୍‌ର ପାଳି ଖେଳି ପୁନର୍ବାର ନିଜ ଦାବିଦାରି ଉପସ୍ଥାପନା କରିଥିଲେ। ସେହିଭଳି ଚଳିତ ମାସରେ ଥିରୁବନ୍ତପୁରମଠାରେ ଦକ୍ଷିଣ ଆଫ୍ରିକା ‘ଏ’ ବିପକ୍ଷ ପ୍ରଥମ ଟେଷ୍ଟରେ ସେ ୯୦ ରନ୍‌ର ମହତ୍ବପୂର୍ଣ୍ଣ ପାଳି ଖେଳିଥିଲେ। ଏହି ଦୁଇ ପାଳିର ପୁରସ୍କାର ତାଙ୍କୁ ଚୟନକର୍ତା ଦେଇଛନ୍ତି। କୋଲକାତା ନାଇଟ୍ ରାଇଡର୍ସ ପକ୍ଷରୁ ଆଇପିଏଲ୍ ଖେଳୁଥିବା ଶୁଭମନ୍ ୧୪ ପ୍ରଥମ ଶ୍ରେଣୀ ମ୍ୟାଚ୍ ଖେଳି ୭୨.୧୫ ହାରରେ ୧୪୪୩ ରନ୍ କରିଛନ୍ତି। ତାଙ୍କ ବ୍ୟକ୍ତିଗତ ସର୍ବାଧିକ ରନ୍ ହେଉଛି ୨୬୮। ୨୦୧୮-୧୯ ରଣଜୀ ଋତୁରେ ପଞ୍ଜାବ ପାଇଁ ଶୁଭମନ୍ (୭୨୮) ସର୍ବାଧିକ ରନ୍ ସଂଗ୍ରହ କରିଥିଲେ। ମାତ୍ର ୫ ମ୍ୟାଚ୍ ଖେଳି ୧୦୪ ହାରରେ ସେ ଏହି ରନ୍ କରିଥିଲେ। ଶୁଭମନଙ୍କ ପିତା ଜଣେ କୃଷକ ହୋଇଥିଲା ବେଳେ ସେ ନିଜେ ଜଣେ ଅନ୍ତର୍ଜାତୀୟ କ୍ରିକେଟ୍‌ର ହେବାକୁ ଚାହୁଁଥିଲେ। ଏବେ ସେ ନିଜର ସେହି ସ୍ବପ୍ନକୁ ପୁଅ ଶୁଭମନଙ୍କ ମାଧ୍ୟମରେ ପୂରଣ କରିଛନ୍ତି। ମାତ୍ର ୩ ବର୍ଷ ବୟସରୁ କ୍ରିକେଟ୍‌ ପ୍ରେମରେ ପଡ଼ିଥିବା ଶୁଭମନ୍ ପଞ୍ଜାବ ୧୬ ବର୍ଷରୁ କମ୍, ୧୯ ବର୍ଷରୁ କମ୍ ଭଳି ଦଳର ପ୍ରତିନିଧିତ୍ବ କରି ଅଜସ୍ର ସଫଳତା ସାଉଣ୍ଟିବା ପରେ ଭାରତୀୟ ୧୯ ବର୍ଷରୁ କମ୍ ଦଳର ଉପଅଧିନାୟକ ନିଯୁକ୍ତ ହୋଇଥିଲେ।

ସମ୍ବନ୍ଧିତ ଖବର