ସ୍ମରଣୀୟ ଜର୍ସି ଉପହାରରେ କୃତଜ୍ଞତା, ପିତାଙ୍କୁ ପଦକ ଉତ୍ସର୍ଗ କଲେ ଅମିତ

ଗଣମାଧ୍ୟମକୁ ଏମିତି ବ୍ୟବହାର କାହିଁକି?

ଭୁବନେଶ୍ବର: ବୁଧବାରର ସମ୍ବର୍ଦ୍ଧନା ଉତ୍ସବ ଅବସରରେ ହକି ପ୍ରତି ଦେଖାଇଥିବା ଅସୀମ ଭଲପାଇବା ଏବଂ ଦୃଢ଼ ସମର୍ଥନ ଲାଗି ବୀରେନ୍ଦ୍ର ଲାକ୍ରା, ଅମିତ ରୋହିଦାସ, ଦୀପଗ୍ରେସ୍ ଏକ୍କା ଓ ନମିତା ଟପ୍ପୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନିଆରା ଢଙ୍ଗରେ କୃତଜ୍ଞତା ଜଣାଇଥିଲେ। ଟୋକିଓ ଅଲିମ୍ପିକ୍ସରେ କାଂସ୍ୟ ପଦକ ଜିତି ଭାରତବର୍ଷର ୪୧ ବର୍ଷ ଅପେକ୍ଷାର ସ୍ବପ୍ନକୁ ବାସ୍ତବତାରେ ପରିଣତ କରିଥିବା ଭାରତୀୟ ପୁରୁଷ ହକି ଦଳର ଉପଅଧିନାୟକ ଥିବା ବୀରେନ୍ଦ୍ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭାରତୀୟ ଦଳର ଜର୍ସି ଉପହାର ଦେଇଥିଲେ। ଏହି ଜର୍ସିରେ ଇତିହାସ ରଚିଥିବା ଭାରତୀୟ ପୁରୁଷ ହକି ଦଳର ସମସ୍ତ ସଦସ୍ୟଙ୍କ ଦସ୍ତଖତ ଥିଲା। ସେହିଭଳି ମହିଳା ଦଳର ଉପଅଧିନାୟିକା ଥିବା ଦୀପଗ୍ରେସ୍ ମଧ୍ୟ ‌ଟୋକିଓ ଅଲିମ୍ପିକ୍ସରେ ଭାରତୀୟ ଦଳ ପିନ୍ଧିଥିବା ଜର୍ସି ଭେଟି ଦେଇଥିଲେ। ଏଥିରେ ମଧ୍ୟ ଟୋକିଓ ଅଲିମ୍ପିକ୍ସ ଖେଳିଥିବା ଭାରତୀୟ ମହିଳା ହକି ଦଳର ସମସ୍ତ ସଦସ୍ୟଙ୍କ ଦସ୍ତଖତ ରହିଥିଲା।

ପ୍ରଥମ ଅଣଆଦିବାସୀ ଭାବେ ଅଲିମ୍ପିକ୍ସ ଖେଳିବା ଏବଂ ପଦାର୍ପଣରେ ପଦକ ଜିତିବାର ସ୍ମରଣୀୟ ଯୁଗଳ ସଫଳତା ଲାଭ କରିଛନ୍ତି ଭାରତୀୟ ପୁରୁଷ ହକି ଦଳର ନୂଆ ରକ୍ଷାପ୍ରାଚୀର ତଥା ଓଡ଼ିଆ ହିରୋ ଅମିତ ରୋହିଦାସ। ଅମିତ ନିଜର ଏହି ଐତିହାସିକ ପଦକକୁ ଦିବଂଗତ ପିତାଙ୍କୁ ଉତ୍ସର୍ଗ କରିଥିଲେ। ସେ କହିଥିଲେ ଯେ ମୁଁ ଅଲିମ୍ପିକ୍ସ ଖେଳିବାରେ ବାପାଙ୍କର ଢେର ଅବଦାନ ରହିଛି। ଗତବର୍ଷ ତାଙ୍କର ଦେହାନ୍ତ ହୋଇଛି। ସେ ଯଦି ଆଜି ଜୀବିତ ଥା’ନ୍ତେ ତାହାଲେ ଅଲିମ୍ପିକ୍ସ ପଦକ ଦେଖି ବହୁତ ଖୁସି ହୋଇଥା’ନ୍ତେ। ଆଜି ମୁଁ ଯେଉଁ ସଫଳତା ଲାଭ କରିଛି ସେଥିଲାଗି କଠିନ ସଂଘର୍ଷ କରିବାକୁ ପଡ଼ିଛି। ପରିଶ୍ରମ କରି ନଥିଲେ, ଏହି ସଫଳତା ମିଳି ନଥା’ନ୍ତା। ମୋତେ ପୁରସ୍କୃତ କରିବା ସହ ପୁଲିସ ବିଭାଗରେ ଚାକିରି ଦେଇଥିବାରୁ ଓଡ଼ିଶା ସରକାରଙ୍କ ନିକଟରେ ମୁଁ ଚିରକାଳ ଋଣୀ ରହିବି। ଆଶା କରୁଛି ଆମ ସଫଳତା ଆହୁରି ଅନେକ କୁନି ପିଲାଙ୍କୁ ହକି ପ୍ରତି ନିଶ୍ଚିତ ଭାବେ ଆକର୍ଷିତ କରିବ।

ଗଣମାଧ୍ୟମକୁ ଏମିତି ବ୍ୟବହାର କାହିଁକି?

ଭୁବନେଶ୍ବର: ବୁଧବାରର ଉତ୍ସବ ଉପରେ ସମଗ୍ର ଓଡ଼ିଶାବାସୀଙ୍କ ନଜର ଥିଲା। ଗଣମାଧ୍ୟମ ପ୍ରତିନିଧିମାନେ ମଧ୍ୟ ଖବରସଂଗ୍ରହ ପାଇଁ ନିର୍ଦ୍ଧାରିତ ସମୟର ଢେର ପୂର୍ବରୁ ଷ୍ଟାଡିୟମ୍ ବାହାରେ ରୁଣ୍ଡ ହୋଇ ସୁରକ୍ଷାକର୍ମୀଙ୍କୁ ଭିତରକୁ ପ୍ରବେଶ ଅନୁମତି ଦେବାକୁ ବାରମ୍ବାର ଅନୁରୋଧ କରିଥିଲେ। ହେଲେ ଉପରୁ ଆଦେଶ ମିଳିଲେ ହିଁ ଗଣମାଧ୍ୟମ ପ୍ରତିନିଧିଙ୍କୁ ଭିତରକୁ ଛାଡ଼ିବୁ ବୋଲି କାର୍ଯ୍ୟରତ ସୁରକ୍ଷାକର୍ମୀ ରୋକ୍‌ଠୋକ୍‌ ଅପେକ୍ଷାରତ ଗଣମାଧ୍ୟମ ପ୍ରତିନିଧିଙ୍କୁ କହିଥିଲେ। ଏହା ପରେ କିନ୍ତୁ ଆଶ୍ଚର୍ଯ୍ୟଜନକ ଭା‌ବେ କିଛି ବୈଦ୍ୟୁତିକ ଗଣମାଧ୍ୟମ ପ୍ରତିନିଧିଙ୍କୁ ଭିତରକୁ ଛାଡ଼ୁଥିବା ଦେଖିବାକୁ ମିଳିଥିଲା। ହେଲେ ଛାପା ଏବଂ ୱେବ୍‌ପୋର୍ଟାଲର ଗଣମାଧ୍ୟମ ପ୍ରତିନିଧିଙ୍କ ଉପରେ ଏକପ୍ରକାର ବାସନ୍ଦାଦେଶ ଉତ୍ସବ ସରିବା ପର୍ଯ୍ୟନ୍ତ ଜାରି ରହିଥିଲା। କ୍ରୀଡ଼‌ା ବିଭାଗ ଓ କଳିଙ୍ଗ ଷ୍ଟାଡିୟମ୍ ଅଧିକାରୀଙ୍କ ଏଭଳି ପାତର ଅନ୍ତର କାର୍ଯ୍ୟକୁ ସାଧାରଣରେ ପସନ୍ଦ କରାଯାଇନାହିଁ। କରୋନା କଟକଣା ପାଇଁ ଯଦି ଛାପା ଗଣମାଧ୍ୟମ ପ୍ରତିନିଧିଙ୍କୁ ଷ୍ଟାଡିୟମ୍ ଭିତରକୁ ଯିବାକୁ ଦିଆଗଲା ନାହିଁ, ତାହାଲେ ବୈଦ୍ୟୁତିକ ଗଣମାଧ୍ୟମ ପ୍ରତିନିଧିଙ୍କୁ କ’ଣ କରୋନା ଚିହ୍ନି ଚିହ୍ନି ଛାଡ଼ିଦେବ ଏବଂ ସେମାନେ ଗଲେ ସଂକ୍ରମଣ ହେବନି ବୋଲି ଅନେକ ଛାପା ଗଣମାଧ୍ୟମ ପ୍ରତିନିଧି ଏଭଳି ଏକ ନିଷ୍ପତ୍ତି ବିରୋଧରେ ଅସନ୍ତୋଷ ଜାହିର କରିବାକୁ ଯାଇ କହୁଥିବା ଶୁଣିବାକୁ ମିଳିଥିଲା। ଏପରିକି ଗଣମାଧ୍ୟମ ପ୍ରତିନିଧିଙ୍କ ଭିତରକୁ ପ୍ରବେଶ କରିବା ନେଇ ଷ୍ଟାଡିୟମ୍‌ରେ ପାଟିତୁଣ୍ଡ ହୋଇଥିବାର ଖବର ମଧ୍ୟ ମିଳିଛି।

ସମ୍ବନ୍ଧିତ ଖବର