ଧୋନିଙ୍କ ରୁମ୍‌ରେ ଫୁଟ୍‌ବଲ୍‌ ମ୍ୟାଚ୍ ଦେଖୁଥିଲେ ବିଲିଙ୍ଗ୍ସ

ଲଣ୍ଡନ: ‘‘ଧୋନି ଜଣେ ମହାନ ଖେଳାଳି। ତାଙ୍କ କ୍ରିକେଟ୍ ଜ୍ଞାନ ଅତୁଳନୀୟ। ଚେନ୍ନାଇ ସୁପରକିଙ୍ଗ୍ସ (ସିଏସ୍‌କେ) ସହ ଦୁଇ ବର୍ଷ ଧରି ଖେଳିଲା ବେଳେ ତାଙ୍କଠାରୁ ମୁଁ ଅନେକ କିଛି ଶିଖିଛି। ସବୁଠାରୁ ବଡ଼ କଥା ହେଲା ଆମେ ଦୁଇ ଜଣ ମାଞ୍ଚେଷ୍ଟର ୟୁନାଇଟେଡ୍ ଫୁଟବଲ୍ ଦଳର ପ୍ରଶଂସକ। ଏଣୁ ଯେତେବେଳେ ବି ମାଞ୍ଚେଷ୍ଟରର ମ୍ୟାଚ୍ ଦେଖିବାର ସୁଯୋଗ ମିଳୁଥିଲା। ସେତେବେଳେ ଧୋନି ମୋତେ ତାଙ୍କ ରୁମ୍‌କୁ ଡାକୁଥିଲେ। ଏକାଠି ଆମେ ଅନେକ ଫୁଟବଲ୍ ମ୍ୟାଚ୍‌ର ମଜା ନେଇଥିଲୁ। କହିବାକୁ ଗଲେ ତାଙ୍କ ରୁମ୍‌କୁ ମୋର ଅବାଧ ପ୍ରବେଶ ଥିଲା’’ ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କ ଗୁଣଗାନ କରି ଇଂଲଣ୍ଡର ଯୁବ ବ୍ୟାଟ୍ସମ୍ୟାନ୍ ସାମ୍ ବିଲିଙ୍ଗ୍ସ ସୋମବାର ଏଭଳି ମନ୍ତବ୍ୟ ଦେଇଛନ୍ତି। ତା’ ସହ ଧୋନିଙ୍କ ନେତୃତ୍ବରେ ଖେଳିବା ଏବଂ ତାଙ୍କ ସହ କଟାଇଥିବା ସମୟ ସବୁବେଳେ ମୋ ପାଇଁ ସ୍ମରଣୀୟ ଓ ସ୍ବତନ୍ତ୍ର ହୋଇ ରହିବ ବୋଲି କହିଛନ୍ତି।

ଚେନ୍ନାଇ ସୁପରକିଙ୍ଗ୍ସ ସହ କଟାଇଥିବା ଦୁଇ ବର୍ଷର କାର୍ଯ୍ୟକାଳକୁ ମନେ ପକାଇ ବିଲିଙ୍ଗ୍ସ ଆହୁରି କହିଛନ୍ତି ଯେ ସିଏସ୍‌‌କେରୁ ଦୁଇ ବର୍ଷ ଧରି ଖେଳିବାକୁ ମୁଁ ମନଭରି ଉପଯୋଗ କରିଥିଲି। ଅତୁଳନୀୟ ଦଳୀୟ ପରିବେଶରେ ଆଇପିଏଲ୍ ବିଜେତା ହେବାର ଅଭିଜ୍ଞତା ମୋ ଜୀବନର ଅଭୁଲା ମୁହୂର୍ତ ହୋଇ ରହିବ। ମୁଁ ଭାବୁଛି କେବଳ ମୁମ୍ବାଇ ଇଣ୍ଡିଆନ୍ସ ଆମ ଭଳି ସ୍ଥିର ପ୍ରଦର୍ଶନ ଦେଇଛି। ସେହିଭଳି ଧୋନିଙ୍କଠାରୁ କ୍ରିକେଟ୍‌ର କଳା କୌଶଳ ଶିଖିବାଠାରୁ ଭଲ କଥା ଆଉ କିଛି ହୋଇ ନପାରେ। ଅଭ୍ୟାସ ମ୍ୟାଚ୍ ହେଉ କି ଫାଇନାଲ୍, ଧୋନି ସବୁବେଳେ ତାଙ୍କ ସ୍ବାଭାବିକ ନେତୃତ୍ବ ଦକ୍ଷତାକୁ କାମରେ ଲଗାଇ ଥାଆନ୍ତି। କେଣ୍ଟ୍ ଦଳର ଅଧିନାୟକ ଦାୟିତ୍ବ ତୁଲାଇଲା ବେଳେ ଧୋନିଙ୍କଠାରୁ ଶିଖିଥିବା ଅନେକ କଥାକୁ ମୁଁ କାମରେ ଲଗାଇଥାଏ। ଯୁବ ଖେଳାଳିଙ୍କ ସହ ଧୋନି ଯେଭଳି ଭାବେ କଥା ହୁଅନ୍ତି, ତାଙ୍କ କଥା ବୁଝନ୍ତି, ମୁଁ ଅନ୍ୟ କୌଣସି ଅଧିନାୟକଙ୍କ ପାଖରେ ଏଭଳି କଥା ମୁଁ ଦେଖିନି। ସେଥିପାଇଁ ମଧ୍ୟ ଯୁବ ଖେଳାଳିମାନେ ମଧ୍ୟ ତାଙ୍କୁ ବହୁତ ସମ୍ମାନ କରନ୍ତି, ଧୋନି ବି ଯୁବ ଖେଳାଳିଙ୍କ ଉପରେ ଭରସା ରଖି, ସେମାନଙ୍କୁ ପ୍ରଷ୍ପୁଟିତ ହେବାର ସୁଯୋଗ ଦିଅନ୍ତି। ସୂଚନାଯୋଗ୍ୟ ଯେ କରୋନା ସଙ୍କଟ ପାଇଁ ବିଲିଙ୍ଗ୍ସ ଚଳିତ ବର୍ଷର ଆଇପିଏଲ୍‌ରୁ ଓହରି ଯାଇଛନ୍ତି।

ସମ୍ବନ୍ଧିତ ଖବର