ଘରକୁ ଫେରିବାକୁ ଭାରତୀୟ ଖେଳାଳି ବ୍ୟାକୁଳ, ମୁମ୍ବାଇ ବାସଭବନରେ ପହଞ୍ଚିଲେ କୋହଲି

ନୂଆଦିଲ୍ଲୀ: ବିଦେଶୀ ଖେଳାଳିଙ୍କୁ ସେମାନଙ୍କ ଘରେ ସୁରକ୍ଷିତ ଭାବେ ପହଞ୍ଚାଇବା ବ୍ୟବସ୍ଥାରେ ବିସିସିଆଇ ଲାଗି ପଡ଼ିଥିଲା ବେଳେ ଭାରତୀୟ ଖେଳାଳିଙ୍କ ମଧ୍ୟରେ ନିଜ ଘରକୁ ଫେରିବାର ବ୍ୟାକୁଳତା ବଢ଼ି ଚାଲିଛି। ବିସିସିଆଇ କିନ୍ତୁ ଭାରତୀୟ ଖେଳାଳିଙ୍କ ଦାୟିତ୍ବ ସଂପୂର୍ଣ୍ଣ ଭାବେ ସେମାନଙ୍କ ଫ୍ରାଞ୍ଚାଇଜ୍‌ ଉପରେ ଲଦି ଦେଇଛି। ମଙ୍ଗଳବାର ରାତିରେ ଅବଶ୍ୟ ସେମାନଙ୍କ ଭିତ‌ରୁ ଅନେକ ସୁରକ୍ଷିତ ଭାବେ ନିଜ ନିଜର ଘରେ ପହଞ୍ଚି ସାରିଛନ୍ତି। ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ତଥା ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି ବୁଧବାର ତାଙ୍କ ମୁମ୍ବାଇସ୍ଥିତ ବାସଭବନରେ ପହଞ୍ଚି ଯାଇଛନ୍ତି। ଅନ୍ୟମାନଙ୍କୁ କିନ୍ତୁ ଏଥିଲାଗି ଆସନ୍ତା ଦିନେ ଦୁଇ ଦିନ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିବ। ଦିଲ୍ଲୀ ନିକଟରେ ରହୁଥିବା ସନ୍‌ରାଇଜର୍ସ ହାଇଦ୍ରାବାଦର କିଛି ଖେଳାଳି ସଡ଼କ ପଥରେ ଘରକୁ ଚାଲି ଯାଇଛନ୍ତି।

ଅନ୍ୟମାନେ ବିମାନ ଯାତ୍ରା କରିବାକୁ ନିଷ୍ପତ୍ତି ନେଇଥିଲା ବେଳେ ବୁଧବାର ସକା‌ଳେ ସେମାନଙ୍କର ଆର୍‌ଟି ପିସିଆର ପରୀକ୍ଷା କରାଯାଇଛି। ପରୀକ୍ଷା ରିପୋର୍ଟ ଆସିବା ପରେ ସେମାନେ ଜଣକ ପରେ ଜଣେ ଦଳୀୟ ଜୈବ ବଳୟ ବାହାରକୁ ବାହାରିବେ। ରାଜସ୍ଥାନ ରୟାଲ୍ସର କିଛି ଖେଳାଳି ବାଣିଜ୍ୟିକ ବିମାନ ସେବା ଉପଯୋଗ କରି ନିଜ ନିଜ ସହର ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି। ଦିଲ୍ଲୀ କ୍ୟାପିଟାଲ୍ସର ଅମିତ ମିଶ୍ରାଙ୍କ ରିପୋର୍ଟ ପଜିଟିଭ୍ ଆସିଥିବାରୁ ସଂପ୍ରତି ଅହମଦାବାଦରେ ଥିବା ଏହି ଦଳର ଖେଳାଳିମାନେ ଗୁରୁବାର ଜୈବ ବଳୟ ଛାଡ଼ିବେ। ଆର୍‌ସିବି ଓ ଚେନ୍ନାଇ ସୁପରକିଙ୍ଗ୍ସର ଘରୋଇ ଖେଳାଳିମାନେ ବୁଧବାର ସଂଧ୍ୟାରେ ଘରକୁ ବାହାରିଛନ୍ତି। ଅଧିକାଂଶ ମ୍ୟାଚ୍ ଅଧିକାରୀ ନିଜ ନିଜ ଘରେ ପହଞ୍ଚିବା ବିସିସିଆଇ ପାଇଁ ଆଶ୍ବସ୍ତିଭରା ଖବର ହୋଇଛି।

ସମ୍ବନ୍ଧିତ ଖବର