ଅଷ୍ଟ୍ରେଲିଆ ବିପକ୍ଷ ଟ୍ବେଣ୍ଟି-୨୦ ଶୃଙ୍ଖଳା ପାଇଁ ଭାରତୀୟ ମହିଳା କ୍ରିକେଟ୍‌ ଦଳ ଘୋଷିତ

ମୁମ୍ବାଇ : ଅଷ୍ଟ୍ରେଲିଆ ବିପକ୍ଷ ୫ ମ୍ୟାଚ୍‌ ବିଶିଷ୍ଟ ଘରୋଇ ଟ୍ବେଣ୍ଟି-୨୦ ଶୃଙ୍ଖଳା ପାଇଁ ଭାରତୀୟ ମହିଳା ଦଳ ଘୋଷିତ ହୋଇଛି। ହର୍ମନପ୍ରୀତ କୌରଙ୍କ ନେତୃତ୍ବରେ ଘୋଷିତ ଦଳରୁ ପୂଜା ବସ୍ତ୍ରକାର, ସ୍ନେହା ରାଣାଙ୍କୁ ବାଦ୍‌ ଦିଆଯାଇଥିବା ବେଳେ ହର୍ଲିନ ଦେଓଲ୍‌ ଓ ୟାସ୍ତିକା ଭାଟିଆ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଇଂଲଣ୍ଡ ବିପକ୍ଷ ଶୃଙ୍ଖଳା ଓ ଏସିଆ କପ୍‌ରୁ ଉଭୟଙ୍କୁ ବାଦ୍‌ ଦିଆଯିବା ପରେ ଘରୋଇ ଟ୍ବେଣ୍ଟି-୨୦ରେ ଦମ୍‌ଦାର ପ୍ରଦର୍ଶନ କରି ଏମାନେ ପୁଣି ଥରେ ଜାତୀୟ ଦଳକୁ ଫେରିଛନ୍ତି। ସେହିପରି ଏସିଆ କପ୍‌ ଦଳରେ ଥିବା କିରଣ ନଭଗିରେ ଓ ଦୟାଲନ୍‌ ହେମଲତାଙ୍କୁ ମଧ୍ୟ ଅଷ୍ଟ୍ରେଲିଆ ବିପକ୍ଷ ଶୃଙ୍ଖଳାରୁ ବାଦ୍‌ ଦିଆଯାଇଛି। ଅଞ୍ଜଳି ଶ୍ରାବଣୀ ପ୍ରଥମ ଥର ଭାରତୀୟ ଦଳରେ ସ୍ଥାନ ପାଇଥିଲା ବେଳେ ଦେବିକା ବୈଦ୍ୟ ୪ ବର୍ଷ ପରେ ଫେରିଛନ୍ତି। ଶେଷ ଥର ପାଇଁ ଦେବିକା ୨୦୧୪ରେ ‌ଆନ୍ତର୍ଜାତିକ ଟ୍ବେଣ୍ଟି-୨୦ ମ୍ୟାଚ୍‌ ଓ ୨୦୧୮ରେ ଦିନିକିଆ ଖେଳିଥିଲେ। ମୋନିକା ପଟେଲ୍‌, ଅରୁନ୍ଧତି ରେଡୀ, ଏସ୍‌ବି ପୋଖରକର, ସିମରନ୍‌ ବାହାଦୁର ନେଟ୍‌ ବୋଲର ଭାବେ ସାମିଲ ହୋଇଛନ୍ତି। ଏହି ଶୃଙ୍ଖଳା ଆସନ୍ତା ୯ରୁ ୨୦ ତାରିଖ ପର୍ଯ୍ୟନ୍ତ ଡିୱାଇ ପାଟିଲ୍‌ ଷ୍ଟାଡିୟମ୍‌ରେ ଖେଳାଯିବ।

ଭାରତୀୟ ଦଳ: ହର୍ମନପ୍ରୀତ କୌର (ଅଧିନାୟିକା), ସ୍ମୃତି ମନ୍ଧାନା, ଶେଫାଳି ବର୍ମା, ୟାସ୍ତିକା ଭାଟିଆ, ଜେମିମା ରୋଦ୍ରିଗୁଏଜ୍‌, ଦୀପ୍ତି ଶର୍ମା, ରାଧା ଯାଦବ, ରାଜେଶ୍ବରୀ ଗାଏକ୍ବାଡ, ରେଣୁକା ସିଂହ ଠାକୁର, ମେଘନା ସିଂହ, ଅଞ୍ଜଳି ଶ୍ରାବଣୀ, ଦେବିକା ବୈଦ୍ୟ, ଏସ୍‌ ମେଘନା, ରିଚା ଘୋଷ, ହର୍ଲିନ ଦେଓଲ।

ସମ୍ବନ୍ଧିତ ଖବର