ମୁସ୍ତାକ୍ ଅଲୀ ଟ୍ରଫି ମୁମ୍ବାଇରେ କରିବାକୁ ଦାବି

ମୁମ୍ବାଇ: ଦେଶ ବାହାରେ ଆଇପିଏଲ୍‌ ଆରମ୍ଭ ହୋଇଯାଇଥିଲେ ମଧ୍ୟ ଭାରତର ଅନ୍ୟ ଘରୋଇ କ୍ରିକେଟ୍ ପ୍ରତିଯୋଗିତା ଅୟୋଜନ ନେଇ ଅନିଶ୍ଚିତତା ଜାରି ରହିଛି। ଆଇପିଏଲ୍‌ ଶେଷ ହେବା ପରେ ନଭେମ୍ବରରେ ରଣଜୀ ଟ୍ରଫି ଓ ସୟଦ ମୁସ୍ତାକ ଅଲୀ ଟ୍ରଫି ଆରମ୍ଭ କରିବାକୁ ବିସିସିଆଇ ଯୋଜନା କରିଥିଲେ ମଧ୍ୟ ଅଦ୍ୟାବଧି ଖେଳସୂଚୀ ପ୍ରକାଶ ପାଇନାହିଁ। ଇତିମଧ୍ୟରେ ମୁମ୍ବାଇ କ୍ରିକେଟ୍‌ ସଂଘ (ଏମ୍‌ସିଏ) ସୟଦ ମୁସ୍ତାକ ଅଲୀ ଟ୍ରଫି ଟି-୨୦ ପ୍ରତିଯୋଗିତାକୁ ‌ଆୟୋଜନ କରିବାକୁ ବିସିସିଆଇ ନିକଟରେ ଦାବି ରଖିଛି। ବିସିସିଆଇର ସଭାପତି ସୌରଭ ଗାଙ୍ଗୁଲିଙ୍କୁ ଏମସିଏ ଆପେକ୍ସ କାଉନସିଲ୍‌ ସଦସ୍ୟ ତଥା ଜଣାଶୁଣା କ୍ୟୁରେଟର୍‌ ନଦିମ୍‌ ମେମନ୍‌ ଇମେଲ୍‌ କରି ଏଭଳି ପ୍ରସ୍ତାବ ରଖିଛନ୍ତି।

ମୁମ୍ବାଇରେ ୬ଟି ଭଲ କ୍ରିକେଟ୍ ଷ୍ଟାଡିୟମ୍ ଏବଂ ପର୍ଯ୍ୟାପ୍ତ ହୋଟେଲ୍‌ ବ୍ୟବସ୍ଥା ଥିବାରୁ ଏହି ଅନ୍ତଃରାଜ୍ୟ ପ୍ରତିଯୋଗିତା କରିବାକୁ ସେ ଦାବି କରିଛନ୍ତି। ବିସିସିଆଇର ‌କୋଭିଡ୍‌-୧୯ ନିୟମାବଳୀ ଅନୁସାରେ ଆୟୋଜନ କରିବାକୁ ଏମ୍‌ସିଏ ମଧ୍ୟ ସକ୍ଷମ ହେବ ବୋଲି ସେ ସ୍ପଷ୍ଟ କରିଛନ୍ତି। ଗତ ଫେବ୍ରୁଆରି-ମାର୍ଚରେ ଏମ୍‌ସିଏ ମାତ୍ର ୨୦ ଦିନ ଭିତରେ ସର୍ବଭାରତୀୟ ମହିଳା ଦିନିକିଆ ପ୍ରତିଯୋଗିତାକୁ ଆୟୋଜନ କରିଥିଲା। ‘ଆମକୁ ଏବେ ସକାରାତ୍ମକ ଚିନ୍ତା କରିବାକୁ ପଡ଼ିବ, କାରଣ ଏହି ପ୍ରତିଯୋଗିତା ଉପରେ ଉଦୀୟମାନ କ୍ରିକେଟର୍‌ଙ୍କ ଦୈନିକ ରୋଜଗାର ନିର୍ଭର କରୁଛି’ ବୋଲି ମେମନ୍ ପ୍ରକାଶ କରିଛନ୍ତି। ବିଶେଷ କରି ଚାକିରି କରୁନଥିବା ଅନେକ କ୍ରିକେଟର୍‌ଙ୍କ ପାଇଁ ଏହା ଜୀବନରେଖା ଭଳି ବୋଲି ଏମ୍‌ସିଏ ପ୍ରସ୍ତାବକୁ ସମର୍ଥନ କରି ମତ ରଖିଛନ୍ତି ଇଣ୍ଡିଆନ୍ କ୍ରିକେଟର୍ସ ଆସୋସିଏସନ୍‌ (ଆଇସିଏ)ର ମୁଖ୍ୟ ଅଶୋକ ମାଲହୋତ୍ରା। ବିସିସିଆଇ ପକ୍ଷରୁ କିନ୍ତୁ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ। ଅନ୍ୟପକ୍ଷରେ ମୁମ୍ବାଇରେ କୋଭିଡ୍‌ ମହାମାରୀ ସ୍ଥିତି ଏବେ ବି ସଙ୍କଟଜନକ ସ୍ଥିତିରେ ଥିବାରୁ ଏହି ପ୍ରତିଯୋଗିତା ସେଠାରେ କରାଇବା ନେଇ ଆଶଙ୍କା ରହିଛି।

ସମ୍ବନ୍ଧିତ ଖବର