ଭାରତ-ଇଂଲଣ୍ଡ ଦ୍ବିତୀୟ ଟେଷ୍ଟ୍ ଶନିବାରଠୁ, ଦର୍ଶକ ଫେରିବା ନେଇ ଉତ୍ସାହ ଓ ଉତ୍କଣ୍ଠା

ବଲ୍‌କୁ ନେଇ ବଢ଼ିଲା ବିତର୍କ, ତିୱାରୀ ଦେଲେ ରୁଟ୍‌ଙ୍କୁ ରୋକିବା ମନ୍ତ୍ର

ଚେନ୍ନାଇ: ଶନିବାରଠାରୁ ଆରମ୍ଭ ‌ହେଉଥିବା ଭାରତ-ଇଂଲଣ୍ଡ ଦ୍ବିତୀୟ ଟେଷ୍ଟ୍ ଅବସରରେ ଦର୍ଶକଙ୍କୁ ଷ୍ଟାଡିୟମ୍‌ରେ ବସି ଖେଳ ଉପଭୋଗ କରୁଥିବାର ଦେଖିବାକୁ ମିଳିବ। କୋଭିଡ୍ ସଙ୍କଟ ପରର ପ୍ରଥମ ଘରୋଇ ଅନ୍ତର୍ଜାତୀୟ କ୍ରିକେଟ୍ ମ୍ୟାଚ୍ ଭାବେ ଏଥିରେ ଦର୍ଶକଙ୍କ ଷ୍ଟାଡିୟମ୍‌ ପ୍ରବେଶକୁ ଅନୁମତି ମିଳିବ। ଯାହାକୁ ନେଇ ଏବେଠୁ ବେଶ୍ ଉତ୍ସାହ ଓ ଉତ୍କଣ୍ଠା ପରିଲକ୍ଷିତ ହେଲାଣି। ଦର୍ଶକ ଷ୍ଟାଡିୟମ୍ ଆସି ମ୍ୟାଚ୍ ଦେଖିବାକୁ ତାମିଲନାଡ଼ୁ ସରକାର ଚଳିତ ମାସ ୫ରୁ ୯ ତାରିଖ ପର୍ଯ୍ୟନ୍ତ ଖେଳାଯାଇଥିବା ପ୍ରଥମ ଟେଷ୍ଟ୍‌ର ମାତ୍ର କିଛି ଦିନ ପୂର୍ବରୁ ଅନୁମତି ଦେଇଥିଲେ। ଏଣୁ ଇଚ୍ଛା ଥିଲେ ମଧ୍ୟ ବ୍ୟାପକ ପ୍ରସ୍ତୁତି ଲାଗି ସମୟର ଘୋର ଅଭାବ ପାଇଁ ତାମିଲନାଡୁ କ୍ରିକେଟ୍ ସଂଘ ଦର୍ଶକଙ୍କୁ ଷ୍ଟାଡିୟମ ଆସି ମ୍ୟାଚ୍‌ ଦେଖିବାର ସୁଯୋଗ ଦେଇନଥିଲା। ସ୍ବଳ୍ପ ସମୟ ଭିତରେ କୋଭିଡ୍ ନିୟମ ମାନି ସବୁ ଆନୁଷଙ୍ଗିକ ବ୍ୟବସ୍ଥା କରିବା ଅସମ୍ଭବ ହେବ ବୋଲି ହୃଦୟଙ୍ଗମ କରିଥିଲା ସଂଘ। ଏଣୁ ଦେଶକୁ ଦୀର୍ଘ ବ୍ୟବଧାନ ପରେ ଅନ୍ତର୍ଜାତୀୟ କ୍ରିକେଟ୍ ଫେରିଥିଲେ ମଧ୍ୟ ଏହି ମ୍ୟାଚ୍ ବିନା ଦର୍ଶକରେ ଖେଳାଯାଇଥିଲା। ଦ୍ବିତୀୟ ଟେଷ୍ଟ୍ ଲାଗି ଆବଶ୍ୟକ କୋଭିଡ୍ ପ୍ରସ୍ତୁତି ପାଇଁ ପର୍ଯ୍ୟାପ୍ତ ସମୟ ମିଳିଥିବାରୁ ସଂଘ ଏବେ ପ୍ରଶଂସକଙ୍କୁ ପୁଣି ଥରେ ଏମ୍‌ଏ ଚିଦାମ୍ବରମ୍ ଷ୍ଟାଡିୟମ୍‌କୁ ସ୍ବାଗତ କରିବା ଲାଗି ସଜବାଜ ହେଉଛି। ତେବେ ସରକାରଙ୍କ ନିର୍ଦ୍ଦେଶ ମୁତାବକ ଦ୍ବିତୀୟ ମ୍ୟାଚ୍‌ କେବଳ ୫୦ ପ୍ରତିଶତ ଦର୍ଶକ କ୍ଷମତା ନେଇ ହିଁ ଖେଳାଯିବ। ଅର୍ଥାତ୍ ଏହି ମ୍ୟାଚ୍‌ ଅବସରରେ ଚିଦାମ୍ବରମ୍ ଷ୍ଟାଡିୟମ୍‌ରେ ପ୍ରତ୍ୟେକ ଦିନ ୨୫,୦୦୦ ଦର୍ଶକ ଉପସ୍ଥିତ ରହିବେ। କାରଣ ଏହି ଷ୍ଟାଡିୟମର ଦର୍ଶକ କ୍ଷମତା ହେଉଛି ୫୦,୦୦୦। ଅହମ୍ମଦାବାଦରେ ଖେଳାଯିବାକୁ ଥିବା ଦିବା-ରାତ୍ର ଟେଷ୍ଟ୍ ସହ ଚତୁର୍ଥ ତଥା ଶେଷ ମ୍ୟାଚ୍‌ରେ ମଧ୍ୟ ୫୦ ପ୍ରତିଶତ ଦର୍ଶକଙ୍କୁ ଷ୍ଟାଡିୟମ୍‌ରେ ବସି ମ୍ୟାଚ୍ ଦେଖିବା ଲାଗି ସୁଯୋଗ ଦିଆଯିବ।

ବଲ୍‌କୁ ନେଇ ବଢ଼ିଲା ବିତର୍କ
ଇଂଲଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟ୍ ଅବସରରେ ଏସ୍‌ଜି ବଲ୍‌ର ସ୍ବଭାବ ହଠାତ୍ ପରିବର୍ତ୍ତନ ହେବା ନେଇ ଭାରତୀୟ ଅଧିନାୟକ ବିରାଟ କୋହଲି ଏବଂ ଅଫ୍‌ସ୍ପିନର ରବିଚନ୍ଦ୍ରନ୍‌ ଅଶ୍ବିନ ବିସ୍ମୟ ପ୍ରକଟ କରିଥିଲେ। ଏଣୁ ଦ୍ବିତୀୟ ଟେଷ୍ଟ୍ ପୂର୍ବରୁ ଏଥିରେ ବ୍ୟବହୃତ ହେବାକୁ ଥିବା ବଲ୍‌କୁ ନେଇ ତର୍କ ବିତର୍କ ଆରମ୍ଭ ହୋଇଯାଇଛି। ଏଭଳି ସ୍ଥିତିରେ ଟେଷ୍ଟ୍ ମ୍ୟାଚ୍ ଲାଗି ସମଗ୍ର ବିଶ୍ବରେ ବ୍ୟବହୃତ ହେଉଥିବା ବିଭିନ୍ନ ପ୍ରକାର ବଲ୍‌ର ବିଶ୍ଲେଷଣ ଅବଶ୍ୟମ୍ଭାବୀ ହୋଇଯାଇଛି। ଏଠାରେ ଆମେ କହି ରଖୁଛୁ ଯେ ବିଭିନ୍ନ ଦେଶରେ ଖେଳା ଯାଉଥିବା ଅନ୍ତର୍ଜାତୀୟ କ୍ରିକେଟ୍ ବଲ୍ ସାଧାରଣତଃ ତିନିଟି କଂପାନି ପ୍ରସ୍ତୁତ କରନ୍ତି। ଭାରତରେ ବ୍ୟବହୃତ ହେଉଥିବା ଏସ୍‌ଜି ବଲ୍ (ସାନ୍ସପରେଲ ଗ୍ରିନଲାଣ୍ଡ୍ସ) ୧୯୫୦ ମସିହାରୁ ଉତ୍ତର ପ୍ରଦେଶର ମେରଟରେ ପ୍ରସ୍ତୁତ ହୋଇଆସୁଛି। ୧୯୩୧ ମସିହାରେ କେଦାରନାଥ ଓ ଦ୍ବାରକାନାଥ ଅନନ୍ଦ ସାନ୍ସପରେଲ ନାମକ ଏକ କଂପାନି ସ୍ଥାପନ କରି କ୍ରିକେଟ୍ ବଲ୍ ତିଆରି କରିବା ଆରମ୍ଭ କରିଥିଲେ। ୧୯୪୦ ମସିହାରେ ରପ୍ତାନି ଉଦ୍ଦେଶ୍ୟ ନେଇ ଗ୍ରିନଲାଣ୍ଡ୍ସ କଂପାନି ସ୍ଥାପନା କରାଯାଇଥିଲା ଏବଂ ସମୟକ୍ରମେ ଏହା ସାନ୍ସପରେଲ ଗ୍ରିନଲାଣ୍ଡ୍ସ ନାମରେ ପରିଚିତ ହୋଇଥିଲା। ଏହି କଂପାନି ପ୍ରସ୍ତୁତ କରୁଥିବା ବଲ୍ ଏସ୍‌ଜି ବଲ୍ ଭାବେ ଲୋକପ୍ରିୟ ହୋଇଥିଲା। ଏସ୍‌ଜି ବଲ୍ ଭାରତରେ ଖେଳା ଯାଉଥିବା ଟେଷ୍ଟ୍ ମ୍ୟାଚ୍‌ ସହ ରଣଜୀ କ୍ରିକେଟ୍‌ରେ ମଧ୍ୟ ବ୍ୟବହୃତ ହୋଇଆସୁଛି। ଅଷ୍ଟ୍ରେଲିଆରେ ତିଆରି ହେଉଥିବା ‌କୁକାବୁରା ବଲ୍ ଅଷ୍ଟ୍ରେଲିଆ ସହ, ନ୍ୟୁଜିଲାଣ୍ଡ, ଦକ୍ଷିଣ ଆଫ୍ରିକା, ପାକିସ୍ତାନ, ଶ୍ରୀଲଙ୍କା ଏବଂ ଜିମ୍ବାୱେରେ ଖେଳାଯାଉଥିବା ଟେଷ୍ଟ୍‌ ମ୍ୟାଚ୍‌ରେ ବ୍ୟବହୃତ ହୋଇଥାଏ। ଅନ୍ୟପକ୍ଷରେ ୧୭୬୦ ମସିହାରେ ଡ୍ୟୁକ୍ ପରିବାର ଦ୍ବାରା ସ୍ଥାପିତ ହୋଇଥିବା ବ୍ରିଟିସ୍ କ୍ରିକେଟ୍ ବଲ୍ସ କଂପାନି ଲିମିଟେଡ୍ ଲୋକପ୍ରିୟ ଡ୍ୟୁକ୍ ବଲ୍ ଉତ୍ପାଦନ କରନ୍ତି। ଏହି କଂପାନିକୁ ୧୯୮୭ରେ ଦିଲୀପ ଜଜୋଡିଆ ନାମକ ଜଣେ ଭାରତୀୟ ବ୍ୟବସାୟୀ କିଣିବା ପରେ ଏହାର ଲୋକପ୍ରିୟତା ଆହୁରି ବଢ଼ି ଯାଇଥିଲା। ଡ୍ୟୁକ୍ ବଲ୍ ଇଂଲଣ୍ଡ, ୱେଷ୍ଟଇଣ୍ଡିଜ୍ ଏବଂ ଆୟର୍ଲାଣ୍ଡରେ ବ୍ୟବହୃତ ହୋଇଥାଏ। ଏସ୍‌ଜି ଏବଂ ଡ୍ୟୁକ୍ ବଲ୍‌ ହାତରେ ସିଲେଇ ହେଉଥିବା ବଲ୍ ହୋଇଥିଲା ବେଳେ କୁକାବୁରା ବଲ୍‌କୁ ମେସିନ ସିଲେଇ କରିଥାଏ। ଅନ୍ତର୍ଜାତୀୟ କ୍ରିକେଟ୍‌ରେ ବ୍ୟବହୃତ ବଲ୍‌ ସାଧାରଣତଃ ଦୁଇଟି ଅର୍ଧଚନ୍ଦ୍ର ଆକାରର ପଦାର୍ଥକୁ ଏକାଠି ସିଲେଇ କରି ତିଆରି ହୋଇଥାଏ। କୋହଲି ଓ ଅନ୍ୟ ‌କେତେକ ଭାରତୀୟ କ୍ରିକେଟର୍‌ ଭାରତରେ ଡ୍ୟୁକ୍ ବଲ୍ ବ୍ୟବହାର କରିବାକୁ ଦାବି କରି ଆସୁଛନ୍ତି। ସେପଟେ ଖେଳାଳିଙ୍କ ପରାମର୍ଶ ଅନୁଯାୟୀ ବଲ୍‌ରେ ଆବଶ୍ୟକ ପରିବର୍ତ୍ତନ କରାଯିବ ବୋଲି ଏସ୍‌ଜି କଂପାନି ଆଶ୍ବାସନା ଦେଇଛି।

ଆର୍ଚର ଖେଳିବେନି
ଦ୍ବିତୀୟ ଟେଷ୍ଟ୍‌ର ଦିନକ ପୂର୍ବରୁ ଇଂଲଣ୍ଡକୁ ବଡ଼ ଝଟ୍‌କା ଲାଗିଛି। ଯୁବ ଦ୍ରୁତ ବୋଲର ଜୋଫ୍ରା ଅର୍ଚର ଏଥିରେ ଖେଳି ପାରିବେନାହିଁ ବୋଲି ସୂଚନା ମିଳିଛି। ଆର୍ଚର ଆଜି ନିଜ ଡାହାଣ କହୁଣୀରେ ଏକ ଯନ୍ତ୍ରଣା ଉପଶମ ଟିକା ନେବା ପରେ ଅସୁସ୍ଥତା ଅନୁଭବ କରିଥିଲେ। ସେଥିପାଇଁ ଶନିବାର ସେ ପଡ଼ିଆକୁ ଓହ୍ଲାଇବାର ଆଶା ପୂରା କମ୍ ରହିଛି। ତୃତୀୟ ଟେଷ୍ଟ୍ ବେଳକୁ ଆର୍ଚର ଇଂଲଣ୍ଡ ଚୂଡ଼ାନ୍ତ ଏକାଦଶକୁ ଫେରିବେ ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର