ଅମ୍ପାୟାରଙ୍କ ମୁହଁ ଫାଟିଲା, ମାଲ୍‌ବୁହା ଗାଡ଼ିରୁ ପଡ଼ି ସ୍ପେନ ହକି ମହାସଂଘ ସଭାପତି ସାଣ୍ଟିଆଗୋ ଆହତ

ନେଦରଲାଣ୍ଡ୍ସ ଓ କୋରିଆ ମଧ୍ୟରେ କଳିଙ୍ଗ ଷ୍ଟାଡିୟମରେ ଖେଳାଯାଇଥିବା ବୁଧବାରର ଦ୍ବିତୀୟ କ୍ବାର୍ଟରଫାଇନାଲ୍‌ରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ମ୍ୟାଚ୍‌ର ୨୭ତମ ମିନିଟ୍‌ରେ କୋରିଆକୁ ମିଳିଥିବା ପେନାଲ୍ଟି କର୍ଣ୍ଣରକୁ ଜଙ୍ଗହୁଁ ଜାଙ୍ଗ ମାରିଥିଲେ। ତାଙ୍କର ଏହି ଶକ୍ତ ପ୍ରହାରରେ ବଲ୍‌ ଦୁଇ ଜଣ ନେଦରଲାଣ୍ଡ୍ସ ଡିଫେଣ୍ଡରଙ୍କୁ ପରାସ୍ତ କରି ବାମ ପଟେ ଠିଆ ହୋଇଥିବା ଫିଲ୍ଡ ଅମ୍ପାୟାର ଜର୍ମାନିର ବେନ୍‌ ଗୋଏଣ୍ଟଜେନ୍‌ଙ୍କ ମୁହଁରେ ବାଜିଯାଇଥିଲା। ବଲ୍‌ ମାଡ଼ରେ ତାଙ୍କ ମୁହଁ ଫାଟି ରକ୍ତ ବାହାରିଥିଲା। ସଂଗେସଂଗେ ସେ ପଡ଼ିଆ ଛାଡ଼ିଥିଲେ। ଏଥିପାଇଁ କିଛି ସମୟ ଖେଳ ବନ୍ଦ ରଖାଯାଇଥିଲା। ଏହାପରେ ବଦଳ ଅମ୍ପାୟାର ଅବଶିଷ୍ଟ ସମୟ ମ୍ୟାଚ୍‌ ପରିଚାଳନା କରିଥିଲେ।

ମାଲ୍‌ବୁହା ଗାଡ଼ିରୁ ପଡ଼ି ସ୍ପେନ ହକି ମହାସଂଘ ସଭାପତି ସାଣ୍ଟିଆଗୋ ଆହତ

କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ହକି ବିଶ୍ବକପ୍‌ କ୍ବାର୍ଟରଫାଇନାଲ୍‌ ଦେଖିବା ଲାଗି ସ୍ପେନ୍‌ର ଖେଳାଳି ଓ ମହାସଂଘର କିଛି ଅଧିକାରୀ ଷ୍ଟାଡିୟମ୍‌କୁ ଆସିଥିଲେ। ସ୍ପେନ୍‌ରେ ଖୋଲା ରିକ୍ସାରେ ବୁଲିବା ଅଧିକ ପ୍ରଚଳନ ଥିବାରୁ ଏଠାରେ ମଧ୍ୟ କିଛି ଖେଳାଳି ଓ ମହାସଂଘ ଅଧିକାରୀ ଖୋଲା ମାଲବାହୀ ଅଟୋରେ ବସି ହୋଟେଲ୍‌ରୁ ଷ୍ଟାଡିୟମ୍‌କୁ ଆସିଥିଲେ। କିନ୍ତୁ ୩ ନମ୍ବର ଗେଟ୍‌ ପାଖରେ ୟୁ ଟର୍ଣ୍ଣ ନେବା ବେଳକୁ ସ୍ପେନ୍‌ ହକି ମହାସଂଘ ସଭାପତି ସାଣ୍ଟିଆଗୋ ଡିଓ ତରବରିଆ ଭାବେ ଗାଡ଼ିରୁ ଡେଇଁ ପଡ଼ିଥିଲେ। ଯାହାଫଳରେ ରାସ୍ତା ଉପରେ ଜୋର୍‌ରେ ତାଙ୍କ ଆଣ୍ଠୁ ମାଡ଼ ହୋଇଯିବାରୁ ସେ ଆହତ ହୋଇଥିଲେ। ପୁଲିସ ତାଙ୍କୁ ଉଦ୍ଧାର କରି ତୁରନ୍ତ ପ୍ରାଥମିକ ଚିକିତ୍ସା ଯୋଗାଇ ଦେଇଥିଲା। ସାଣ୍ଟିଆଗୋ ସ୍ପେନ୍‌ ମହାସଂଘର ସଭାପତି ହେବା ସହ ଜଣେ ଆନ୍ତର୍ଜାତିକ ରେଫରି ଭାବେ କାର୍ଯ୍ୟ କରିଛନ୍ତି। ୧୯୮୦ ମସ୍କୋ ଅଲିମ୍ପିକ୍ସଠୁ ଆରମ୍ଭ କରି ୨୦୦୦ ସିଡ୍‌ନି ଅଲିମ୍ପିକ୍ସ ପର୍ଯ୍ୟନ୍ତ ସେ ରେଫରି ଦାୟିତ୍ବରେ ରହିଥିଲେ।

ସମ୍ବନ୍ଧିତ ଖବର