ଫୁଟ୍‌ବଲ୍‌ର ସ୍ବର ନୋଭି କାପାଡ଼ିଆଙ୍କ ପରଲୋକ

ନୂଆଦିଲ୍ଲୀ: ଭାରତୀୟ ଫୁଟ୍‌ବଲ୍‌ର ସ୍ବର ଭାବେ ପରିଚିତ ବିଶିଷ୍ଟ ଭାଷ୍ୟକାର, ସାମ୍ବାଦିକ, ଦିଲ୍ଲୀ ବିଶ୍ବବିଦ୍ୟାଳୟର ପୂର୍ବତନ ପ୍ରଫେସର ନୋଭି କାପାଡିଆଙ୍କର ଗୁରୁବାର ଦେହାନ୍ତ ଘଟିଛି। ତାଙ୍କୁ ୬୭ ବର୍ଷ ହୋଇଥିଲା। ଅତ୍ୟନ୍ତ ନମ୍ରଭାଷୀ କାପାଡିଆ ୯ଟି ଫିଫା ବିଶ୍ବକପ୍‌ରେ ଭାଷ୍ୟକାର ତୁଲାଇଥିଲେ। ଅତ୍ୟନ୍ତ ବିରଳ ମୋଟର୍ ନୁ‌ରୋନ୍‌ ରୋଗରେ ପୀଡ଼ିତ ହୋଇ ଦୁଇ ବର୍ଷ ଧରି ଅସୁସ୍ଥ ଥିବା କାପାଡ଼ିଆ ଗତ ମାସଠାରୁ ଭେଣ୍ଟିଲେଟରରେ ରହିଥିଲେ। ଫିଫା ବିଶ୍ବକପ୍ ସହିତ ଏକାଧିକ ଏସୀୟ କ୍ରୀଡ଼ା, ରାଜ୍ୟଗୋଷ୍ଠୀ କ୍ରୀଡ଼ା ଏବଂ ବିବିଧ କ୍ରୀଡ଼ା ପ୍ରତିଯୋଗିତାରେ ସେ ଭାଷ୍ୟକାର ଦାୟିତ୍ବ ତୁଲାଇ ନିଜ ପାଇଁ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ। ନିଜ ପ୍ରଚୁର ଅଭିଜ୍ଞତାରୁ ସେ ‘ବେୟାର୍‌ଫୁଟ୍‌ ଟୁ ବୁଟ୍‌ସ’ ଏବଂ ‘ଦ ମେନି ଲାଇଭ୍ସ ଅଫ୍ ଇଣ୍ଡିଆନ୍ ଫୁଟ୍‌ବଲ୍‌’ ଆଦି ପୁସ୍ତକ ମଧ୍ୟ ରଚନା କରିଥିଲେ। ଦିଲ୍ଲୀ ପାଇଁ ଜାତୀୟ କନିଷ୍ଠ ପ୍ରତିଯୋଗିତାରେ ପ୍ରତିନିଧିତ୍ବ ମଧ୍ୟ କରିଥିଲେ। କାପାଡ଼ିଆଙ୍କ ପରଲୋକ ଖବର ମିଳିବା ପରେ ଦେଶର ଫୁଟ୍‌ବଲ୍ ଦୁନିଆରେ ଶୋକ ଖେଳିଯାଇଛି। ଏଆଇଏଫ୍ଏଫ୍‌ ସହିତ ଏଟିକେ ମୋହନ ବାଗାନ, ଏସସି ଇଷ୍ଟବେଙ୍ଗଲ୍‌ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି। ଫୁଟ୍‌ବଲ୍ ଆସୋସିଏସନ୍‌ ଅଫ୍‌ ଓଡ଼ିଶା (ଫାଓ) ପକ୍ଷରୁ ଅଭିଜିତ ପାଲ୍ ମଧ୍ୟ‌ ଶୋକ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର