ବିଶ୍ବର ଶ୍ରେଷ୍ଠ ଧାବିକା, ସେଲିଆନ୍ ଫ୍ରେଜର ପ୍ରାଇସ୍

ଜାମାଇକାନ୍ ସ୍ପ୍ରିଣ୍ଟର ସେଲିଆନ୍ ଫ୍ରେଜର ପ୍ରାଇସ୍ ୨୦୦୮ ମସିହାରେ ମାତ୍ର ୨୧ ବର୍ଷ ବୟସରେ ଚର୍ଚାକୁ ଆସିଥିଲେ। ସେହିବର୍ଷର ବେଜିଂ ଅଲିମ୍ପିକ୍ସରେ ପ୍ରଥମ କାରବୀୟ ମହିଳା ଭାବେ ସେ ଅଲିମ୍ପିକ୍ସ ସ୍ବର୍ଣ୍ଣ ଜିତିଥିଲେ। ୨୦୧୨ ମସିହାରେ ଲଣ୍ଡନରେ ସେ ନିଜ ୧୦୦ ମିଟର ସ୍ବର୍ଣ୍ଣ ବଜାୟ ରଖିଥିଲେ। ଏଭଳି କରିବାରେ ସେ ବିଶ୍ବର ତୃତୀୟ ମହିଳା ହୋଇଥିଲେ। ଗର୍ଭବତୀ ହେବାରୁ ୨୦୧୭ ମସିହାରେ ସାମୟିକ ସମୟ ପାଇଁ ସେ ଦୌଡ଼କୁଦ ଦୁନିଆରୁ ଦୂରେଇ ଯାଇଥିଲେ। ହେଲେ ଏହା ପରେ ସେ ଚମତ୍କାର ପ୍ରତ୍ୟାବର୍ତ୍ତନ କରିଥିଲେ। ୨୦୧୯ ମସିହା ବିଶ୍ବ ଚାମ୍ପିଅନସପ୍‌ରେ ୩୨ ବର୍ଷ ବୟସରେ ସ୍ବର୍ଣ୍ଣ ପଦକ ଜିତି ନୂଆ ଇତିହାସ ରଚିଥିଲେ ସେ। ୩୨ ବର୍ଷ ବୟସରେ ୨୦୧୯ ବିଶ୍ବ ଚାମ୍ପିଅନସିପରେ ସ୍ବର୍ଣ୍ଣ ଜିତିବାରେ ସେ ବୟୋଜ୍ୟୋଷ୍ଠ ଧାବିକା ହୋଇଥିଲେ। ଏକମାତ୍ର ଧାବିକା ଭାବେ ସେ ୪ ଥର ୧୦୦ ମିଟର ସ୍ବର୍ଣ୍ଣ ଜିତିଛନ୍ତି। ବିଶ୍ବ ଚାମ୍ପିଅନସିପରେ ସ୍ପ୍ରିଣ୍ଟିଂ ଟ୍ରିପଲ (୧୦୦, ୨୦୦ ଓ ୪ ଗୁଣା୧୦୦ ରିଲେ) ହାସଲ କରିବାରେ ସେ ପ୍ରଥମ ଓ ଏକମାତ୍ର ଧାବିକା। ଏଣୁ ବିଶ୍ବର ଶ୍ରେଷ୍ଠ ୧୦ ଧାବିକା ତାଲିକାରେ ସ୍ଥାନ ପାଇବାକୁ ସେ ପୂରା ହକ୍‌ଦାର।

ଫ୍ଲୋରେନ୍ସ ଗ୍ରିଫିଥ୍ ଜୋଏନର
ଫ୍ଲୋରେନ୍ସ ଗ୍ରଫିଥ୍ ଜୋଏନର ଥିଲେ ଜଣେ ଆମେରିକୀୟ ଚର୍ଚିତ ଧାବିକା। ‘ଫୋ ଜୋ’ ନାମରେ ପରିଚିତ ଏହି ମହାନ ଧାବିକା ୧୯୫୯ ମସିହା ଡିସେମ୍ବର ୨୧ ତାରିଖରେ ଜନ୍ମଗ୍ରହଣ କରିଥିଲେ। ମାତ୍ର ୩୮ ବର୍ଷ ବୟସରେ ୧୯୮୮ ମସିହା ସେପ୍ଟେମ୍ବର ୨୧ ତାରିଖରେ ମୃତ୍ୟୁ ବରଣ କରିଥିଲେ। ଅକାଳ ବିୟୋଗ ସତ୍ତ୍ବେ ୧୯୮୮ ମସିହାରେ ୧୦୦ ଓ ୨୦୦ ମିଟର ଦୌଡ଼ରେ ସ୍ଥାପନ କରିଥିବା ବିଶ୍ବ କୀର୍ତ୍ତିମାନର ସେ ଏବେ ବି ଅଧିକାରିଣୀ ଅଛନ୍ତି। ପ୍ରଶଂସକମାନେ ତାଙ୍କୁ ସର୍ବକାଳୀନ ଦ୍ରୁତତମ ଧାବିକାର ମାନ୍ୟତା ଦିଅନ୍ତି। ୧୯୮୫ ଆଇଏଏଏଫ୍ ଗ୍ରାଣ୍ଡପ୍ରିକ୍ସରେ ସେ ୧୦୦ ମିଟର ଦୌଡ଼କୁ ୧୧ ସେକେଣ୍ଡରେ ଶେଷ କରିଥିଲେ। ସେ ସ୍ଥାପନ କରିଥିବା ୧୦୦ ମିଟରର ୱିଣ୍ଡ୍ ଲିଗାଲ ଟାଇମ୍ ୧୦.୬୧ ସେକେଣ୍ଡ ଏବେ ବି ଅତୁଟ ରହିଛି। ଅନେକ ପତ୍ରିକା ତାଙ୍କୁ ସର୍ବକାଳୀନ ଶ୍ରେଷ୍ଠ ୧୦ ମହିଳା ଧାବିକାଙ୍କ ଭିତରେ ସ୍ଥାନ ଦେଇଛନ୍ତି। ନିଜ ଜୀବନ କାଳରେ ସେ ତିନିଟି ଅଲିମ୍ପିକ୍ସ ସ୍ବର୍ଣ୍ଣ ଓ ଦୁଇଟି ରୌପ୍ୟ ପଦକ ଜିତିଥିଲେ।
ୱିଲମା ରୁଡୋଲ୍ଫ
ୱିଲମା ଗୋଲଡିଆନ୍ ରୁଡୋଲ୍ଫ ହେଉଛନ୍ତି ବିଶ୍ବର ଅନ୍ୟତମ ସର୍ବକାଳୀନ ଶ୍ରେଷ୍ଠ ମହିଳା ଧାବିକା। ୧୯୫୬ ଓ ୧୯୬୦ ମସିହା ବିଶ୍ବ କୀର୍ତ୍ତିମାନ ଓ ଅଲିମ୍ପିକ୍ସ ବିଜୟିନୀ ହୋଇ ସେ ଟ୍ରାକ୍ ଆଣ୍ଡ ଫିଲ୍ଡ କ୍ରୀଡ଼ାର ଆଦର୍ଶ ପାଲଟିଥିଲେ। ୧୯୬୦ ରୋମ୍ ଅଲିମ୍ପିକ୍ସରେ ସେ ୧୦୦, ୨୦୦ ଓ ୪ ଗୁଣା ୧୦୦ ମିଟର ରିଲେରେ ସ୍ବର୍ଣ୍ଣ ପଦକ ଜିତି ହ୍ୟାଟ୍ରିକ୍ ଅର୍ଜନ କରିଥିଲେ। ଏପରି କରିବାରେ ସେ ପ୍ରଥମ ଆଫ୍ରିକାନ୍-ଆମେରିକାନ୍ ମହିଳା ହୋଇଥିଲେ। ମହିଳା ଅଧିକାର ଦିଗରେ କାର୍ଯ୍ୟ କରି ସେ ମଧ୍ୟ ସମଗ୍ର ବିଶ୍ବରେ ଅଜସ୍ର ଲୋକପ୍ରିୟତା ସାଉଣ୍ଟି ଥିଲେ। ନିଜ ଦୌଡ଼କୁଦ ଦକ୍ଷତା ପାଇଁ ତାଙ୍କୁ ‘ବ୍ଲାକ୍ ଗିଜେଲ’ ଉପାଧୀ ମିଳିଥିଲା। ଅନେକ ପ୍ରାମା‌ଣିକ ଚଳଚ୍ଚିତ୍ର, ଟେଲିଭିଜନ କାର୍ଯ୍ୟକ୍ରମ ଓ ପତ୍ର ପତ୍ରିକାରେ ତାଙ୍କ ସଫଳତା କାହାଣୀ ପ୍ରସାରିତ ଓ ପ୍ରକାଶିତ ହୋଇଛି।


ଈରିନା ସେୱିନସ୍କା
ପୋଲାଣ୍ଡର କିଂବଦନ୍ତି ଧାବିକା ଈରିନା ସେୱିନସ୍କା ଦୀର୍ଘ ଦୁଇ ଦଶନ୍ଧି ଧରି ବିଶ୍ବ ମହିଳା ଦୌଡ଼କୁଦରେ ଆଧିପତ୍ୟ ବିସ୍ତାର କରିଥିଲେ। ୧୯୬୪ରୁ ୧୯୮୦ ମସିହା ମଧ୍ୟରେ ସେ ୭ ବିଶ୍ବସ୍ତରୀୟ ପଦକ ଜିତିଥିଲେ, ସେଥିମଧ୍ୟରେ ରହିଛି ତିନିଟି ଅଲିମ୍ପିକ୍ସ ସ୍ବର୍ଣ୍ଣ। ନିଜ ଖେଳ ଜୀବନରେ ସେ ୬ଟି ବିଶ୍ବ କୀର୍ତ୍ତିମାନ ସ୍ଥାପନ କରିଥିଲେ। ଏକମାତ୍ର ଖେଳାଳି ଭାବେ ସେୱିନସ୍କା ଗୋଟିଏ ସମୟରେ ୧୦୦, ୨୦୦ ଓ ୪୦୦ ମିଟର ବିଶ୍ବ କୀର୍ତ୍ତିମାନର ଅଧିକାରିଣୀ ଥିଲେ। ଭିନ୍ନ ଭିନ୍ନ ସ୍ତରରେ ସେ ୧୦୦ରୁ ୪୦୦ ମିଟର ତଥା ଲମ୍ବଡିଆଁରେ ୨୬ କୀର୍ତ୍ତିମାନ ସ୍ଥାପନ କରିଥିଲେ। ୧୯୭୪ରେ ପ୍ରଥମ ଧାବିକା ଭାବେ ୪୦୦ ମିଟର ଦୌଡ଼କୁ ସେ ୫୦ ସେକେଣ୍ଡ ତଳେ ଶେଷ କରିଥିଲେ। ୨୨.୨୧ ସେକେଣ୍ଡ ସମୟ ସହ ୨୦୦ ମିଟରରେ ମଧ୍ୟ ବିଶ୍ବ କୀର୍ତ୍ତିମାନ କରିଥିଲେ। ୨୦୦୪ ମସିହାଠାରୁ ସେ ପୋଲାଣ୍ଡ ଦୌଡ଼କୁଦ ସଂଘର ମୁଖ୍ୟ ଅଛନ୍ତି।
ଫାନି ବ୍ଲାଙ୍କର୍ସ କୋଏନ
ଫାନି ବ୍ଲାଙ୍କର୍ସ କୋଏନ (୨୬ ଏପ୍ରିଲ ୧୯୧୮-୨୫ ଜାନୁଆରି ୨୦୦୪) ହେଉଛନ୍ତି ନେଦରଲାଣ୍ଡ୍ସର ସଫଳତମ ମହିଳା ଧାବିକା। ୧୯୪୮ ମସିହା ଲଣ୍ଡନ ଅଲିମ୍ପିକ୍ସ ଜଣେ ୩୦ ବର୍ଷୀୟା ଓ ଦୁଇଟି ଛୁଆର ମା’ ଭାବେ ସେ ଅଲିମ୍ପିକ୍ସରେ ଅଂଶଗ୍ରହଣ କରି ଏକାଥରକେ ଚାରିଟି ସ୍ବର୍ଣ୍ଣ ପଦକ ଜିତି ଚର୍ଚାକୁ ଆସିଥିଲେ। ସେଥିପାଇଁ ତାଙ୍କୁ ‘ଫ୍ଲାଇଂ ହାଉସୱାଇଫ୍‌’ର ଡାକ ନାଁ ମିଳିଥିଲା। ୧୯୩୫ ମସିହାରେ ଦୌଡ଼ିବା ଆରମ୍ଭ କରିଥିବା ଫାନି ୧୯୩୬ ଅଲିମ୍ପିକ୍ସରେ ଅଂଶଗ୍ରହଣ କରିଥିଲେ। ବିଶ୍ବଯୁଦ୍ଧ ପାଇଁ ଅନେକ ବିଶ୍ବସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା ବନ୍ଦ ହୋଇ ଯାଇଥିଲେ ମଧ୍ୟ ଲମ୍ବଡିଆଁ, ଉଚ୍ଚଡିଆଁ ଓ ବାଧାଦୌଡ଼ରେ ସେ ଏକାଧିକ ବିଶ୍ବ କୀର୍ତ୍ତିମାନ ସ୍ଥାପନ କରିଥିଲେ। ‌ଫାନି ୫ ୟୁରୋପୀୟ ଚାମ୍ପିଅନସିପ୍ ସ୍ବର୍ଣ୍ଣ ପଦକ ଜିତିଥିଲା ବେଳେ ୧୨ ବିଶ୍ବ କୀର୍ତ୍ତିମାନ ଭାଙ୍ଗିଥିଲେ କିମ୍ବା ତା’ର ସମକକ୍ଷ ହୋଇଥିଲେ। ୧୯୫୧ରେ ୩୫ ବର୍ଷ ବୟସରେ ସେ ଅବସର ନେଇଥିଲେ। ୧୯୯୯ରେ ସେ ଶତାବ୍ଦୀର ଶ୍ରେଷ୍ଠ ମହିଳା ଧାବିକା ଭାବେ ବଛା ‌ହୋଇଥିଲେ। ୨୦୦୪ ମସିହାରେ ୮୫ ବର୍ଷ ବୟସରେ ସେ ପ୍ରାଣ ହରାଇଥିଲେ।


ମର୍ଲିନ ଓଟେ
ଜାମାଇକା ଜନ୍ମିତା ସ୍ଲୋଭେନିଆ ଧାବିକା ମର୍ଲିନ ଓଟେ ଖେଳ ଜୀବନର ପ୍ରଥମାର୍ଧରେ ଜମାଇକାର ପ୍ରତିନିଧିତ୍ବ କରିଥିଲେ। ହେଲେ ୨୦୦୨ ମସିହା ପରଠାରୁ ସ୍ଲୋଭେନିଆ ପକ୍ଷରୁ ଖେଳିବା ଆରମ୍ଭ କରିଥିଲେ। ଟ୍ରାକ୍ ଆଣ୍ଡ ଫିଲ୍ଡ ସଫଳତା ଲାଗି ତାଙ୍କୁ ‘କୁଇନ୍ ଅଫ୍ ଟ୍ରାକ୍’ ଉପାଧୀ ମିଳିଥିଲା। ୨୦୦ ମିଟର ଦୌଡ଼ର ସର୍ବକାଳୀନ ଶ୍ରେଷ୍ଠ ତାଲିକାରେ ସେ ତୃତୀୟ ସ୍ଥାନରେ ଥିଲା ବେଳେ ୬୦ ମିଟରରେ ଚତୁର୍ଥ ଓ ୧୦୦ ମିଟରରେ ଷଷ୍ଠ ସ୍ଥାନରେ ରହିଛନ୍ତି। ୨୦୧୨ ୟୁରୋପୀୟ ଦୌଡ଼କୁଦ ପ୍ରତିଯୋଗିତାରେ ୫୨ ବର୍ଷ ବୟସରେ ସେ ସ୍ଲୋଭେନିଆ ରିଲେ ‌ଦଳର ପ୍ରତିନିଧିତ୍ବ କରିଥିଲେ। ମହିଳା ଧାବିକା ଭାବେ ସର୍ବାଧିକ ସଂଖ୍ୟକ ଅଲିମ୍ପିକ୍ସ (୭)ରେ ଅଂଶଗ୍ରହଣ କରିବାର ବିଶ୍ବ କୀର୍ତ୍ତିମାନ ତାଙ୍କ ନାଁରେ ରହିଛି। ୧୪ଟି ବିଶ୍ବ ଚାମ୍ପିଅନସିପ୍ ପଦକ ଜିତିବାର କୀର୍ତ୍ତିମାନ ବି ମର୍ଲିନ କରିଛନ୍ତି।
କ୍ୟାଥି ଫ୍ରିମ୍ୟାନ୍
ଅଷ୍ଟ୍ରେଲିଆର ପୂର୍ବତନ ଧାବିକା କ୍ୟାଥରିନ୍ ଆଷ୍ଟ୍ରିଡ୍ ସାଲୋମି କ୍ୟାଥି ଫ୍ରିମ୍ୟାନ୍ ଭାବେ ଅଧିକ ପରିଚିତ। ସେ ୪୦୦ ମିଟର ଦୌଡ଼ର ବିଶେଷଜ୍ଞ ଥିଲେ। ୨୦୦୦ ମସିହା ସିଡନି ଅଲିମ୍ପିକ୍ସରେ ସେ ୪୦୦ ମିଟର ଦୌଡ଼ରେ ସ୍ବର୍ଣ୍ଣ ପଦକ ଜିତିଥିଲେ। ସେ ମଧ୍ୟ ସେହି ଅଲିମ୍ପିକ୍ସର ମଶାଲ ପ୍ରଜ୍ଜ୍ବଳନ କରିଥିଲେ। ମାତ୍ର ୧୬ ବର୍ଷ ବୟସରେ ସେ ନିଜ ରାଜ୍ୟଗୋଷ୍ଠୀ କ୍ରୀଡ଼ା ପଦକ ଜିତିଥି‌ଲେ। ୧୯୯୪ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ଉଭୟ ୨୦୦ ଓ ୪୦୦ ମିଟର ସ୍ବର୍ଣ୍ଣ କ୍ୟାଥି ଜିତିଥିଲେ। ୧୯୯୬ ଅଲିମ୍ପିକ୍ସରେ ସେ ରୌପ୍ୟ ପଦକ ଜିତିବା ସହ ୧୯୯୭ ମସିହା ବିଶ୍ବ ଚାମ୍ପିଅନସିପ୍‌ରେ ୪୦୦ ମିଟର ସ୍ବର୍ଣ୍ଣ ଜିତିଥିଲେ। ୧୯୯୯ ବିଶ୍ବ ଚାମ୍ପିଅନସିପ୍‌ରେ କ୍ୟାଥି ମଧ୍ୟ ନିଜ ସ୍ବର୍ଣ୍ଣିମ ସଫଳତା ‌ଦୋହରାଇଥିଲେ। ୨୦୦୭ ମସିହାରେ କ୍ୟାଥି ଫ୍ରିମ୍ୟାନ୍ ପ୍ରତିଷ୍ଠାନ ସ୍ଥାପନ କରି ‌ସେ ସମାଜସେବାରେ ନିଜକୁ ନିୟୋଜିତ କରିଛନ୍ତି।
ମାରିଅନ ଜୋନ୍ସ
ପୂର୍ବତନ ବିଶ୍ବ ଟ୍ରାକ୍ ଆଣ୍ଡ ଫିଲ୍ଡ ଚାମ୍ପିଅନ ମାରିଆନ ଜୋନ୍ସ ଆମେରିକୀୟ ବାସ୍କେଟବଲ୍ ଲିଗ୍ ‘ଏନବିଏ’ର ମଧ୍ୟ ଜଣେ ସଫଳ ତାରକା। ୨୦୦୦ ମସିହା ସିଡନି ଅଲିମ୍ପିକ୍ସରେ ମାରିଅନ ତିନିଟି ସ୍ବର୍ଣ୍ଣ ପଦକ (୧୦୦, ୨୦୦, ୪ ଗୁଣା ୧୦୦ ରିଲେ) ଜିତି ବେଶ୍ ଚର୍ଚିତ ହୋଇଥିଲେ। ୧୯୯୭ ଏଥେନ୍ସ ବିଶ୍ବ ଚାମ୍ପିଅନସିପର ୧୦୦ ମିଟରରେ ସ୍ବର୍ଣ୍ଣ ଜିତିବା ଥିଲା ତାଙ୍କ ଖେଳ ଜୀବନର ଅନ୍ୟତମ ସ୍ମରଣୀୟ ମୁହୂର୍ତ୍ତ। ସଫଳତା ସହ ବିବାଦ ମଧ୍ୟ ତାଙ୍କ ପିଛା ଛାଡ଼ିନି। ତଥାପି ସେ ବିଶ୍ବର ଶ୍ରେଷ୍ଠ ୧୦ ଧାବିକାଙ୍କ ମଧ୍ୟରେ ସ୍ଥାନ ପାଇବାକୁ ହକଦାର।
ୱିମିଆ ଟାୟୋସ୍
ଲଗାତାର ଦୁଇଟି ୧୦୦ ମିଟର ଅଲିମ୍ପିକ୍ସ ସ୍ବର୍ଣ୍ଣ ପଦକ ଜିତିବାରେ ଆମେରିକୀୟ ମହିଳା ଧାବିକା ୱିମିଆ ଟାୟୋସ ଥିଲେ ପ୍ରଥମ। ଓମିଆ ୧୯୬୪ ମସିହା ଟୋକିଓ ଅଲିମ୍ପିକ୍ସର ୧୦୦ ମିଟରରେ ସ୍ବର୍ଣ୍ଣ ଜିତିଥିଲେ। ୧୯୬୮ ମସିହା ମେକ୍ସିକୋ ସିଟି ଅଲିମ୍ପିକ୍ସରେ ସେ ମଧ୍ୟ ଏହି ସଫଳତାକୁ ଦୋହରାଇଥିଲେ। ମହିଳା ୧୦୦ ମିଟରରେ ଅଲିମ୍ପିକ୍ସ ସ୍ବର୍ଣ୍ଣ ବଜାୟ ରଖିବାରେ ୱିମିଆ ପ୍ରଥମ ମହିଳା ହୋଇଥିଲେ। ଏହା ପରେ କାର୍ଲ ଲୁଇସ୍, ଗେଲ୍‌ ଡେଭର୍ସ, ସେଲିଆନ୍ ଫ୍ରେଜର ପ୍ରାଇସ୍ ଓ ଉସେନ ବୋଲ୍ଟଙ୍କ ଭଳି ମହାନ ଧାବକ ଏହି ସଫଳତା ସହ ସମକକ୍ଷ ହୋଇପାରିଛନ୍ତି। ଓମିଆ ମଧ୍ୟ ୧୯୬୮ ମେକ୍ସିକୋ ସିଟି ଅଲିମ୍ପିକ୍ସରେ ୪ ଗୁଣା ୧୦୦ ମିଟର ରିଲେରେ ସ୍ବର୍ଣ୍ଣ ପଦକ ପାଇଥିଲେ। ୧୯୪୫ ମସିହାରେ ଜନ୍ମଗ୍ରହଣ କରିଥିବା ୱିମିଆ ୭୪ ବର୍ଷରେ ପାଦ ଥାପିଥିଲା ବେଳେ ତାଙ୍କ ଅଲିମ୍ପିକ୍ସ ସଫଳତା ଏବେବି ସମଗ୍ର ବିଶ୍ବର ଧାବକ ଧାବିକାକୁ ଅନୁପ୍ରେରିତ କରୁଛି।
କାର୍ମେଲିଟା ଜେଟର
ଆମେରିକୀୟ ଧାବିକା କାର୍ମେଲିଟା ଜେଟର ତିନିଟି ଅଲିମ୍ପିକ୍ସ ପଦକ ଜିତିଥିଲା ବେଳେ ବିଶ୍ବ ଚାମ୍ପିଅନ୍‌ସିପରେ ମଧ୍ୟ ନିଜ ସଫଳତାର ବାନା ଉଡ଼ାଇଛନ୍ତି। ୨୦୦୭ ବିଶ୍ବ ଆଥଲେଟିକ୍ସ ଫାଇନାଲରେ ସେ ସ୍ବର୍ଣ୍ଣ ପଦକ ଜିତିଥିଲେ। ସାଂଘାଇ ଗୋଲଡେନ୍ ଗ୍ରାଁ ପ୍ରିରେ ସେ ସ୍ଥାପନ କରିଥିବା ୧୦.୬୪ ସେକେଣ୍ଡର ଟାଇମିଂ କେବଳ ଫ୍ଲୋରେନ୍ସ ଗ୍ରିଫିଥ ଜୋଏନରଙ୍କ ପଛକୁ ଥିଲା। ଶ୍ରେଷ୍ଠ ଦଶ ୧୦୦ ମିଟର ଟାଇମିଂରେ ସଂପ୍ରତି ସେ ତୃତୀୟ ସ୍ଥାନରେ ରହିଛନ୍ତି। ୨୦୧୧ ବିଶ୍ବ ଚାମ୍ପିଅନସିପ୍‌କୁ ସେ ୧୦.୯୦ ସେକେଣ୍ଡ ସମୟରେ ଜିତିଥିଲେ।

ସମ୍ବନ୍ଧିତ ଖବର