ଶ୍ରେଷ୍ଠ ଭାରତୀୟ ଧାବକ: ମିଲ୍‌ଖା ସିଂହ, ଅମିୟ ମଲ୍ଲିକ

ମିଲ୍‌ଖା ସିଂହ

ଭାରତୀୟ ଦୌଡ଼କୁଦ ଜଗତର ମହାନତମ ତାରକା ହେଉଛନ୍ତି ମିଲ୍‌ଖା ସିଂହ। ବିଶ୍ବ କ୍ରୀଡ଼ା ଦୃଶ୍ୟପଟ୍ଟରେ ଭାରତକୁ ସ୍ଥାପିତ କରିବାରେ ମିଲଖା ଥିଲେ ଦେଶର ପ୍ରଥମ କ୍ରୀଡ଼ା ତାରକା। ୧୯୫୬ ମେଲବର୍ନ ଅଲିମ୍ପିକ୍ସରେ ଅଂଶଗ୍ରହଣ କରିବା ପରେ ୧୯୫୮ ଏସୀୟ କ୍ରୀଡ଼ାରେ ମିଲ୍‌ଖା ଏକାଥରକେ ଦୁଇଟି ସ୍ବର୍ଣ୍ଣ ପଦକ ଜିତିଥିଲେ। ସେହି କ୍ରୀଡ଼ା ମହୋତ୍ସବର ୨୦୦ ଓ ୪୦୦ ମିଟରରେ ତାଙ୍କ ଟାଇମିଂ ଥିଲା ୨୧ ଓ ୪୭ ସେକେଣ୍ଡ। ହେଲେ ଭାରତ ବର୍ଷ ପାଇଁ ଅସଲି ଗୌରବ ସେ ୧୯୫୮ କାର୍ଡିଫ୍ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଆଣିଥିଲେ। ୪୦୦ ମିଟର ରେସ୍‌କୁ ୪୬.୧୬ ସେକେଣ୍ଡରେ ଶେଷ କରି ମିଲ୍‌ଖା ସେତେବେଳେ ଚହଳ ସୃଷ୍ଟି କରିଥି‌ଲେ। ଚମତ୍କାର ପ୍ରଦର୍ଶନ ସତ୍ତ୍ବେ ୨ ବର୍ଷ ପରେ ଆୟୋଜିତ ରୋମ୍ ଅଲିମ୍ପିକ୍ସରେ ମିଲଖା ମାତ୍ର ୦.୧ ସେକେଣ୍ଡ ପାଇଁ ପଦକ ବିଜୟରୁ ବଞ୍ଚିତ ହୋଇଥିଲେ। ହେଲେ ଏହି ଧକ୍କା ମିଲ୍‌ଖାଙ୍କ ପାଦକୁ ରୋକିପାରି ନଥିଲା। ୧୯୬୨ ଏସୀୟ କ୍ରୀଡ଼ାରେ ସେ ୪୦୦ ଓ ୪୦୦ ମିଟର ରିଲେରେ ସ୍ବର୍ଣ୍ଣ ପଦକ ଜିତିଥିଲେ।

ଅମିୟ ମଲ୍ଲିକ
୧୦୦ ମିଟର‌୍‌ରେ ୫ ଥର ଓ ୨୦୦ ମିଟରରେ ୩ ଥର ଜାତୀୟ ବିଜେତା ହୋଇଥିବା ଓଡ଼ିଆ ତାରକା ଅମିୟ ମଲ୍ଲିକଙ୍କ ନାମରେ ଏବେ ବି ରହିଛି ୧୦୦ ମିଟର୍ ଜାତୀୟ କୀର୍ତ୍ତିମାନ (୧୦.୨୬ ସେକେଣ୍ଡ, ନୂଆଦିଲ୍ଲୀ, ୨୦୧୬)। ପୂର୍ବରୁ ଏହି କର୍ତ୍ତିମାନ ଅନିଲ କୁମାର ପ୍ରକାଶ ଏବଂ ମହମ୍ମଦ ଅବଦୁଲ ନଜିବ୍ କ୍ୟୁରେସୀ (୧୦.୩୦ ସେକେଣ୍ଡ)ଙ୍କ ନାମରେ ଯୁଗ୍ମ ଭାବେ ରହିଥିଲା। ଅମିୟଙ୍କ ନାମରେ ୧୨ ବର୍ଷ ହେବ ମଧ୍ୟ ରହିଛି ୨୦୦ ମିଟର୍‌ କନିଷ୍ଠ ବର୍ଗ ଜାତୀୟ କୀର୍ତ୍ତିମାନ। ୨୦୦୮ରେ ସେ ପୁନେଠାରେ ୨୧.୩୩ ସେକେଣ୍ଡ୍ ସମୟ ସହିତ ଏହି କୀର୍ତ୍ତିମାନ ପ୍ରତିଷ୍ଠା କରି ଏହାକୁ ଅତୁଟ ରଖିଛନ୍ତି। ୨୦୦୮ ଯୁବ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ୨୦୦ ମିଟର‌୍‌ କା˚ସ୍ୟ ଜିତିଥିଲେ। ୨୦୧୬ ରିଓ ଅଲିମ୍ପିକ୍ସ ଟିକେଟ୍‌ ଅର୍ଜନରୁ ବଞ୍ଚିତ ହୋଇଥିଲେ। ଅମିୟ ମଲ୍ଲିକଙ୍କୁ ଭାରତର ଉସେନ୍‌ ବୋଲ୍‌ଟ କୁହାଯାଏ। ତାଙ୍କୁ ମଧ୍ୟ ବେ‌ଳେବେଳେ ଭାରତୀୟ କିଂବଦନ୍ତି ମିଲ୍‌ଖା ସି˚ହଙ୍କ ସହ ତୁଳନା କରାଯାଏ।

ଲେଭି ପିଣ୍ଟୋ
ଲେଭିନୋ ଥୋମାସ ପିଣ୍ଟୋ (ଲେଭି) ୧୯୫୧ ନୂଆଦିଲ୍ଲୀ ପ୍ରଥମ ଏସୀୟ କ୍ରୀଡ଼ାରେ ଦୁଇଟି ସ୍ବର୍ଣ୍ଣ ପଦକ ଜିତିଥିଲେ। ସେ ମଧ୍ୟ ୧୯୫୨ ହେଲସିଙ୍କି ଅଲିମ୍ପିକ୍ସରେ ପ୍ରତିଦ୍ବନ୍ଦ୍ବିତା କରିଥିଲେ। ୧୦୦ ମିଟରର ଚତୁର୍ଥ ସ୍ଥାନରେ ରହି ଅଳ୍ପକେ ପଦକରୁ ବଞ୍ଚିତ ହୋଇଥିଲେ। ଭାରତରେ ଏକ ସଫଳ ଦୌଡ଼କୁଦ କ୍ୟାରିୟର ପରେ ଲେଭି ବିବାହ କରିବା ସହ ଆମେରିକାର ସିକାଗୋ ଚାଲିଯାଇଥିଲେ। ଚଳିତ ବର୍ଷ ଫେବ୍ରୁଆରି ୧୫ ତାରିଖରେ ସେ ୯୦ ବର୍ଷ ବୟସରେ ଶେଷ ନିଶ୍ବାସ ତ୍ୟାଗ କରିଥିଲେ।

 

ମାଖନ ସିଂହ
ମିଲଖା ସିଂହଙ୍କ ସମସାମୟିକ ତଥା ଆଉ ଜଣେ ପ୍ରସିଦ୍ଧ ଭାରତୀୟ ଧାବକ ଥିଲେ ଅର୍ଜୁନ ପୁରସ୍କାରପ୍ରାପ୍ତ ମାଖନ ସିଂହ। ମାଖନ ୧୯୬୨ ମସିହା ଜାତୀୟ କ୍ରୀଡ଼ାରେ ମିଲଖା ସିଂହଙ୍କୁ ପରାସ୍ତ କରି ଚର୍ଚିତ ହୋଇଥିଲେ। ପଞ୍ଜାବ ଜନ୍ମିତ ମାଖନ ଜାତୀୟ କ୍ରୀଡ଼ା‌ରେ ୧୨ ଥର ବିଜେତା ହୋଇଥିଲା ବେଳେ ୧୯୬୨ ଏସୀୟ କ୍ରୀଡ଼ା ଓ ୧୯୬୪ ଅଲିମ୍ପିକ୍ସରେ ଭାରତର ପ୍ରତିନିଧିତ୍ବ କରିଥିଲେ। ସେ ମଧ୍ୟ ଜାତୀୟ କ୍ରୀଡ଼ାରେ ତିନିଟି ରୌପ୍ୟ ଓ ଗୋଟିଏ କାଂସ୍ୟ ପଦକ ହାସଲ କରିଥିଲେ। ୧୯୬୨ ଏସୀୟ କ୍ରୀଡ଼ାର ୪୦୦ ମିଟର ରିଲେରେ ସେ ସ୍ବର୍ଣ୍ଣ ପଦକ ଜିତିବା ସହ ୪୦୦ ମିଟରରେ ରୌପ୍ୟ ପଦକ ପାଇଥିଲେ।

ନର୍ମାନ ପ୍ରିଚାର୍ଡ
ନର୍ମାନ ପ୍ରିଚାର୍ଡ ଥିଲେ ଜଣେ ଆଙ୍ଗଲୋ ଇଣ୍ଡିଆନ୍। ୧୮୭୭ ମସିହାରେ ଜନ୍ମଗ୍ରହଣ କରିଥିବା ପ୍ରିଚାର୍ଡ ଅଲିମ୍ପିକ୍ସ ପଦକ ଜିତିବାରେ ଏସିଆର ପ୍ରଥମ ଆଥଲେଟ୍ ଥିଲେ। ୧୯୦୦ ମସିହା ପ୍ୟାରିସ୍ ଅଲିମ୍ପିକ୍ସରେ ଭାରତର ପ୍ରତିନିଧିତ୍ବ କରି ସେ ଦୁଇଟି ରୌପ୍ୟ ପଦକ ଜିତିଥିଲେ। ଏହି ଦୁଇ ସ୍ମରଣୀୟ ସଫଳତା ସେ ୨୦୦ ମିଟର ଓ ୨୦୦ ମିଟର ବାଧାଦୌଡ଼ରେ ହାସଲ କରିଥିଲେ। ପ୍ରିଚାର୍ଡ ୨୦୦୫ ମସିହାରେ ବ୍ରିଟେନ୍ ଓ ତା’ ପରେ ଆମେରିକା ଚାଲିଯାଇ ଅଭିନୟକୁ ପେସା କରିଥିଲେ।

ଆଜମେର ସିଂହ
ପଞ୍ଜାବର ସଙ୍ଗରୁର ଜିଲ୍ଲାର କୁପ୍ କଲାନଠାରେ ଜନ୍ମଗ୍ରହଣ କରିଥିବା ଆଜମେର ସିଂହ ନିଜ ସମୟରେ ଜଣେ ଶ୍ରେଷ୍ଠ ଭାରତୀୟ ସ୍ପ୍ରିଣ୍ଟର ଥିଲେ। ୧୦୦, ୨୦୦ ଓ ୪୦୦ ମିଟରରେ ଦୌଡ଼ର ଜାତୀୟ ସ୍ତରୀୟ ପ୍ରତିଯୋଗିତାରେ ସେ ଅଜସ୍ର ସଫଳତା ଲାଭ କରିଥିଲେ। ଆଜମେର ମଧ୍ୟ ୧୯୬୪ ଟୋକିଓ ଅଲିମ୍ପିକ୍ସ ଲାଗି ଘୋଷିତ ଭାରତୀୟ ଦୌଡ଼କୁଦ ଦଳର ଅନ୍ୟତମ ସଦସ୍ୟ ଥିଲେ। ୧୯୬୬ ବ୍ୟାଂକକ୍ ଏସୀୟ କ୍ରୀଡ଼ାର ୪୦୦ ମିଟରରେ ସେ ସ୍ବର୍ଣ୍ଣ ପଦକ ଜିତିବା ସହ ୨୦୦ ମିଟରରେ ରୌପ୍ୟ ପଦକ ପାଇଥିଲେ।

 

କେନିଥ ପାୱେଲ
କର୍ଣ୍ଣାଟକର କେନିଥ ଲରେନ୍ସ ପାୱେଲ ୧୯୬୪ ମସିହା ଟୋକିଓ ଅଲିମ୍ପିକ୍ସର ୧୦୦ ଓ ୨୦୦ ମିଟରରେ ଭାରତର ପ୍ରତିନିଧିତ୍ବ କରିଥିଲେ। ଏହି ଅଲିମ୍ପିକ୍ସର ୧୦୦ ମିଟର ହିଟ୍‌ରେ କେନ୍‌ଙ୍କ ସମୟ ଥିଲା ୧୦.୭ ‌ସେକେଣ୍ଡ। ସେଥିପାଇଁ ଚତୁର୍ଥ ସ୍ଥାନରେ ରହି ଦ୍ବିତୀୟ ରାଉଣ୍ଡକୁ ଯିବାରୁ ବଞ୍ଚିତ ହୋଇଥିଲେ ସେ। ସେହିଭଳି ୨୦୦ ମିଟରରେ ତାଙ୍କ ଟାଇମିଂ ଥିଲା ୨୧.୯ ସେକେଣ୍ଡ। ଏହି ବର୍ଗର ହିଟ୍‌ରେ କେନ୍ ପଞ୍ଚମ ସ୍ଥାନରେ ରହି ପ୍ରଥମ ପର୍ଯ୍ୟାୟରୁ ବିଦାୟ ନେଇଥିଲେ। ୧୯୬୫ ମସିହାରେ ତାଙ୍କୁ ଅର୍ଜୁନ ପୁରସ୍କାର ମିଳିଥିଲା।

ରାଜୀବ ବାଲକୃଷ୍ଣନ୍
ପଶ୍ଚିମବଙ୍ଗର ବର୍ଣ୍ଣପୁରଠାରେ ଜନ୍ମ ଗ୍ରହଣ କରିଥିବା ରାଜୀବ ବାଲକୃଷ୍ଣନ୍ ୧୯୯୪ ମସିହା ପୁନେ ଜାତୀୟ କ୍ରୀଡ଼ାରେ ଅଂଶଗ୍ରହଣ କରି ପ୍ରଥମ ଥର ଚର୍ଚାକୁ ଆସିଥିଲେ। ଏକଦା ସେ ଭାରତର ଦ୍ରୁତତମ ଧାବକ ଥିଲେ। ୨୦୦୦ ମସିହାରେ ଆମେରିକାର ଲଙ୍ଗ ବିଚ୍‌ଠାରେ ଆୟୋଜିତ ଷ୍ଟାନଫୋର୍ଡ ଆମନ୍ତ୍ରଣୀୟ ମିଟ୍‌ରେ ‌ସେ ନିଜ ବ୍ୟକ୍ତିଗତ ଶ୍ରେଷ୍ଟ ଟାଇମିଂ (୧୦.୩୨ ସେକେଣ୍ଡ, ୧୦୦ ମିଟର) ପାଇଥିଲେ। ଏହା ପୂର୍ବରୁ ବାଲକୃଷ୍ଣନ୍ ଜାତୀୟ କୀର୍ତ୍ତିମାନ ସ୍ଥାପନ କରିସାରିଥିଲେ। ୨୦୦୦ ମସିହା ଅଲିମ୍ପିକ୍ସରେ ସେ ଭାରତୀୟ ୪ ଗୁଣା ୧୦୦ ମିଟର ରି‌ଲେ ଦଳର ସଦସ୍ୟ ଥିଲେ।

ଅନିଲ କୁମାର ପ୍ରକାଶ
ଅନିଲ କୁମାର ପ୍ରକାଶଙ୍କୁ ଭାରତୀୟ ଦୌଡ଼କୁଦ ଦୁନିଆର ସର୍ବକାଳୀନ ଦ୍ରୁତତମ ଧାବକର ମାନ୍ୟତା ମିଳେ। କେରଳର ଏହି ଧାବକ ଢେର କିଛି ବର୍ଷ ପାଇଁ ୧୦୦ ମିଟରରେ ଜାତୀୟ କୀର୍ତ୍ତିମାନର ଅଧିକାରୀ ଥିଲେ। ୨୦୦ ମିଟର (୨୦.୭୩ ସେକେଣ୍ଡ)ରେ ମଧ୍ୟ ସେ ଜାତୀୟ କୀର୍ତ୍ତିମାନ କରିଥିଲେ। ୧୯୯୯ରେ ଚେନ୍ନାଇର ଅନ୍ତର୍ଜାତୀୟ ସର୍କିଟ୍‌ ମିଟ୍‌ରେ ରୌପ୍ୟ ପଦକ ଜିତି ପ୍ରକାଶ ପ୍ରଥମ ଥର ପାଇଁ ଚର୍ଚାକୁ ଆସିଥିଲେ। ୧୦.୩୩ ସେକେଣ୍ଡ ସମୟ ସହ ସେହିଠାରେ ସେ ୧୦୦ ମିଟର ଜାତୀୟ କୀର୍ତ୍ତିମାନ ସ୍ଥାପନ କରିଥିଲେ। ୨୦୦୫ରେ ଜାତୀୟ ସର୍କିଟ ମିଟ୍‌ରେ ୧୦.୩୦ ସେକେଣ୍ଡ ସମୟ ସହ ୬ ବର୍ଷ ଧରି ଥିବା ନିଜ କୀର୍ତ୍ତିମାନକୁ ପ୍ରକାଶ ଭାଙ୍ଗି ଦେଇଥିଲେ। ୨୦୦୦ ମସିହା ଜାକର୍ତ୍ତା ଏସୀୟ କ୍ରୀଡ଼ାରେ ସେ ରୌପ୍ୟ ପଦକ ଜିତିଥିଲେ। ତାଙ୍କ ୨୦୦ ମିଟର କୀର୍ତ୍ତିମାନ ଏବେବି ଅତୁଟ ରହିଛି।

ଅବଦୁଲ ନଜୀବ କ୍ୟୁରେସି
ଅନିଲ କୁମାର ପ୍ରକାଶ ଜାତୀୟ କୀର୍ତ୍ତିମାନ ସ୍ଥାପନ କରିବାର ୫ ବର୍ଷ ପରେ ଭାରତୀୟ ଦୌଡ଼କୁଦ ଜଗତରେ ଆଉ ଜଣେ ଦକ୍ଷ ସଫଳ ଧାବକଙ୍କ ଆବିର୍ଭାବ ହୋଇଥିଲା। ହାଇଦ୍ରାବାଦର ଅବଦୁଲ ନଜୀବ କ୍ୟୁରେସି ୨୦୧୦ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଅନିଲଙ୍କ କୀର୍ତ୍ତିମାନ (୧୦. ୩୦ ସେକେଣ୍ଡ)ର ସମକକ୍ଷ ହୋଇଥିଲେ। ସେମିଫାଇନାଲ ପ୍ରବେଶ ପାଇଁ ଚେଷ୍ଟା କରୁଥିଲା ବେଳେ ହିଁ ସେ ଏହି ସଫଳତା ଲାଭ କରିଥିଲେ। ସେ ମଧ୍ୟ ଏହି ଟାଇମିଂ ବଳରେ ସେମିଫାଇନାଲ୍ ଟିକେଟ ହାସଲ କରି ନେଇଥିଲେ। ତେବେ ଦୁର୍ଭାଗ୍ୟଜନକ ଭାବେ କ୍ୟୁରେସି ୨୦୧୦ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ କୌଣସି ବ୍ୟକ୍ତିଗତ ପଦକ ଜିତିପାରିନଥ‌ିଲେ।

ଗୁରିନ୍ଦରବୀର ସିଂହ
ପଞ୍ଜାବର ଗୁରିନ୍ଦରବୀର ସିଂହ ହେଉଛନ୍ତି ଉଦୀୟମାନ ଭାରତୀୟ ଧାବକ। ଗତବର୍ଷର ଫେଡେ‌ରେସନ୍ କପ୍ ଦୌଡ଼କୁଦର ୧୦୦ ମିଟର ଦୌଡ଼କୁ ଏହି ୧୯ ବର୍ଷୀୟ ପଞ୍ଜାବୀ ଧାବକ ୧୦.୩୫ ସେକେଣ୍ଡରେ ଶେଷ କରିଥିଲେ। ଫଳରେ ଦେଶର ଦ୍ରୁତତମ ଧାବକ ଅମିୟ ମଲ୍ଲିକଙ୍କ ନିକଟତର ହୋଇପାରିଥିଲେ। ନିଜ ବ୍ୟକ୍ତିଗତ ଶ୍ରେଷ୍ଠ ପ୍ରଦର୍ଶନ (୧୦.୪୭ ସେକେଣ୍ଡ)କୁ ମଧ୍ୟ ଟପି ଯାଇଥିଲେ।

ସମ୍ବନ୍ଧିତ ଖବର