ମହାନ ବେଗବାନ ୧୦ ଚିତା ମଣିଷ

ବିଶ୍ବର ଶ୍ରେଷ୍ଠ ଧାବକ, ଉସେନ ବୋଲ୍ଟ

ବିଶ୍ବର ସର୍ବକାଳୀନ ଶ୍ରେଷ୍ଠ ଧାବକଙ୍କ ମଧ୍ୟରେ ଜାମାଇକାର ମହାନ ସ୍ପ୍ରିଣ୍ଟର ଉସେନ ବୋଲ୍ଟ ସମ୍ଭବତଃ ଶୀର୍ଷରେ ରହିବେ। ଉଭୟ ୧୦୦ (୯.୫୮ ସେକେଣ୍ଡ) ଓ ୨୦୦ ମିଟର (୧୯.୧୯ ସେକେଣ୍ଡ) ଦୌଡ଼ ସହ ୪ ଗୁଣା ୧୦୦ ମିଟର ରିଲେର ବିଶ୍ବ କୀର୍ତ୍ତିମାନଧାରୀ ବୋଲ୍ଟ ଅଲିମ୍ପିକ୍ସ ଟ୍ରାକ୍ ସହ ବିଶ୍ବ ପ୍ରତିଯୋଗିତାରେ ମଧ୍ୟ ନିଜ ଅସାଧାରଣ ପ୍ରତିଭାର ପରିଚୟ ଦେଇଛନ୍ତି। ୮ ଥର ଅଲିମ୍ପିକ୍ସ ସ୍ବର୍ଣ୍ଣ ପଦକ ବିଜେତା ୩୩ ବର୍ଷୀୟ ଏବଂ ୬ ଫୁଟ ୫ ଇଞ୍ଚ ଉଚ୍ଚତା ବିଶିଷ୍ଟ ବୋଲ୍ଟ ସମଗ୍ର ବ୍ରହ୍ମାଣ୍ଡର ଏକମାତ୍ର ଧାବକ ଭାବେ ୧୦୦ ଓ ୨୦୦ ମିଟରରେ ହ୍ୟାଟ୍ରିକ୍ ଅଲିମ୍ପିକ୍ସ ସ୍ବର୍ଣ୍ଣ (୨୦୦୮, ୨୦୧୨, ୨୦୧୬) ଜିତିଛନ୍ତି। ବିଶ୍ବର ଏହି ଦ୍ରୁତତମ ଧାବକ ୨୦୦୮ ବେଜିଂ ଅଲିମ୍ପିକ୍ସର ୧୦୦ ଓ ୨୦୦ ମିଟରରେ ବିଶ୍ବ କୀର୍ତ୍ତିମାନ ସ୍ଥାପନ କରି ରନିଂ ଟ୍ରାକ୍‌ରେ ନିଆଁ ଲଗାଇ ଦେଇଥିଲେ। ବିଶ୍ବ ଦୌଡ଼କୁଦରେ ସଫଳତମ ୨୦୦ ମିଟର (୪ ସ୍ବଣ୍ଣ) ଓ ୧୦୦ ମିଟରରେ ଯୁଗ୍ମ ସଫଳତମ ତାରକାର କୀର୍ତ୍ତମାନ ତାଙ୍କ ନାଁରେ ରହିଛି। ରନିଂ ଟ୍ରାକ୍‌ରେ ନିଜ ଆଧିପତ୍ୟ ପାଇଁ ‘ଲାଇଟନିଂ ବୋଲ୍ଟ’ ଭାବେ ପରିଚିତ ଏହି କିଂବଦନ୍ତି ଧାବକ ୨୦୧୬ ରିଓ ଅଲିମ୍ପିକ୍ସର ପରବର୍ଷ ଅର୍ଥାତ୍ ୨୦୧୭ରେ ଦୌଡ଼କୁଦରୁ ଅବସର ଘୋଷଣା କରିଥିଲେ। ସେବେଠାରୁ ସେ ଫୁଟ୍‌ବଲକୁ ବିକଳ୍ପ ପେସା କରିବାକୁ ପ୍ରୟାସ କରୁଛନ୍ତି। ରାଜ୍ୟଗୋଷ୍ଠୀ କ୍ରୀଡ଼ା, ଡାଇମଣ୍ଡ ଲିଗ୍‌ରେ ମଧ୍ୟ ଏହି ୩୩ ବର୍ଷୀୟ ତାରକା ନିଜ ବିଜୟ ବାନା ଉଡ଼ାଇଛନ୍ତି। ବିଶ୍ବ ଦୌଡ଼କୁଦ ପ୍ରତିଯୋଗିତାରେ ସେ ୧୧ ସ୍ବର୍ଣ୍ଣ, ୨ ରୌପ୍ୟ ଓ ଗୋଟିଏ କାଂସ୍ୟ ପତଦକ ଜିତିଛନ୍ତି।

କାର୍ଲ ଲୁଇସ୍
ଫେଡେରିକ କାର୍ଲଟନ୍ ଲୁଇସ୍ ବା କାର୍ଲ ଲୁଇସ୍ ହେଉଛନ୍ତି ଜଣେ ଆମେରିକୀୟ ଟ୍ରାକ୍ ଆଣ୍ଡ ଫିଲ୍ଡ କିଂବଦନ୍ତି। ୧୯୭୯ରୁ ୧୯୯୬ ମସିହା ମଧ୍ୟରେ ୯ ଅଲିମ୍ପିକ୍ସ ସ୍ବର୍ଣ୍ଣ ଓ ଗୋଟିଏ ରୌପ୍ୟ ପଦକ ଜିତିଥିଲେ। ୬ ଫୁଟ ୨ ଇଞ୍ଚ ଉଚ୍ଚତା ବିଶିଷ୍ଟ କାର୍ଲ ମଧ୍ୟ ୮ ସ୍ବର୍ଣ୍ଣ ସହ ୧୦ ବିଶ୍ବ ଚାମ୍ପିଅନସିପ୍ ପଦକ ଜିତିଛନ୍ତି। ଅଲିମ୍ପିକ୍ସର ତିନି ଜଣ ଧାବକ ଯିଏ କି ଗୋଟିଏ ଇଭେଣ୍ଟରେ ଲଗାତାର ଚାରିଟି ସ୍ବର୍ଣ୍ଣ ଜିତିଛନ୍ତି, ଲୁଇସ୍ ହେଉଛନ୍ତି ଅନ୍ୟତମ। କେବଳ ଦୌଡ଼କୁଦ ନୁହେଁ ଅଶି ଓ ନବେ ଦଶର୍କରେ ଲୁଇସ୍ ୧୦୦, ୨୦୦ ମିଟର ସହ ଲମ୍ବ ଦୌଡ଼ରେ ବି ଆଧିପତ୍ୟ ବିସ୍ତାର କରିଥିଲେ। ୧୦୦, ୪ ଗୁଣା ୧୦୦ ଓ ୪ ଗୁଣା ୨୦୦ ମିଟର ଦୌଡ଼ରେ ସେ ବିଶ୍ବ କୀର୍ତ୍ତିମାନ ସ୍ଥାପନ କରିଥିଲେ। ୧୯୮୪ ମସିହାରେ ସେ ସ୍ଥାପନ କରିଥିବା ଇନଡୋର ଲମ୍ବଡିଆଁ କୀର୍ତ୍ତିମାନ ଅତୁଟ ରହିଛି। ୧୦ ବର୍ଷ ଧରି ସେ ଲମ୍ବଡିଆଁରେ ଲଗାତାର ୬୫ ବିଜୟ ପାଇଥିଲେ। ଲୁଇସ୍ ୧୦୦ ମିଟରରେ ୧୦ ଥର ୧୦ ସେକେଣ୍ଡରୁ କମ୍, ୨୦୦ ମିଟରରେ ୨୦ ଥର ୨୦ ସେକେଣ୍ଡରୁ କମ୍ ଓ ୭୧ ଥର ୨୮ ଫୁଟରୁ ଅଧିକ ଦୂରତାକୁ ଡେଇଁଛନ୍ତି। ଅବସର ପରେ ୫୮ ବର୍ଷୀୟ ଲୁଇସ୍ ବହୁ ଚଳଚ୍ଚିତ୍ର ଓ ଟେଲିଭିଜନ୍ କାର୍ଯ୍ୟକ୍ରମରେ ଦେଖିବାକୁ ମିଳିଛନ୍ତି।

ଜେସେ ଓୱେନ୍ସ
ଜେମ୍ସ କ୍ଲିଭେଲାଣ୍ଡ ଜେସେ ଓୱେନ୍ସ ବା ଜେସେ ଓୱେନ୍ସ ଜଣେ ଆମେରିକୀୟ ମହାନ ଟ୍ରାକ୍ ଆଣ୍ଡ ଫିଲ୍ଡ ତାରକା। ଦୌଡ଼କୁଦ ସହ ଲମ୍ବଡିଆଁକୁ ପେସା କରିଥିବା ଓୱେନ୍ସ ୧୯୩୬ ବର୍ଲିନ ଅଲିମ୍ପିକ୍ସରେ ଚାରିଟି ସ୍ବର୍ଣ୍ଣ ୧୦୦, ୨୦୦, ୪ ଗୁଣା ୧୦୦ ଓ ଲମ୍ବଡିଆଁ) ପଦକ ଜିତିଥିଲେ। ୧୦ ଭାଇ ଭଉଣୀ ବିଶିଷ୍ଟ ବଡ଼ ପରିବାରରେ ଜନ୍ମଗ୍ରହଣ କରିଥିବା ଓୱେନ୍ସ ଟ୍ରାକ୍ ଆଣ୍ଡ ଫିଲ୍ଡ ଇତିହାସର ସବୁଠାରୁ ପ୍ରସିଦ୍ଧ କ୍ରୀଡ଼ାବିତ ଥିଲେ। ସେ ୧୯୩୫ର ବିଗ୍ ଟେନ୍ ଆଥଲେଟିକ୍ ମିଟ୍‌ରେ ମାତ୍ର ଘଣ୍ଟାକ ଭିତରେ ତିନିଟି ବିଶ୍ବ କୀର୍ତ୍ତିମାନ ସ୍ଥାପନ କରିବା ସହ ଗୋଟିକର ସମକକ୍ଷ ହୋଇଥିଲେ। ବର୍ଲିନ ଅଲିମ୍ପିକ୍ସର ସେ ସଫଳତମ କୃଷ୍ଣକାୟ ଖେଳାଳି ଥିଲେ। ଓୱେନ୍ସ ନିଜ ପ୍ରଦର୍ଶନ ବଳରେ ଜର୍ମାନୀର କ୍ରୁର ଶାସକ ହିଟଲରଙ୍କ ଗର୍ବକୁ ଚୁର୍ଣ୍ଣ କରି ଦେଇଥିଲେ। ଫଳରେ ତାଙ୍କୁ ହ୍ବାଇଟ୍ ହାଉସ୍ ଯାଇ ଆମେରିକୀୟ ରାଷ୍ଟ୍ରପତିଙ୍କୁ ସାକ୍ଷାତ କରିବାର ସୁଯୋଗ ମିଳିଥିଲା। ୩୫ ବର୍ଷ ଧରି ଧୁମପାନ କରିଥିବା ଓୱେନ୍ସ ଫୁସଫୁସ୍ ଜନିତ ରୋଗରେ ୬୫ ବର୍ଷ ବୟସରେ ଶେଷ ନିଶ୍ବାସ ତ୍ୟାଗ କରିଥିଲେ।

ମାଇକେଲ ଜନସନ୍‌
ଆମେରିକୀୟ ଦୌଡ଼କୁଦ ଦୁନିଆ‌ର ଅନ୍ୟତମ ମହାନତମ ତାରକା ହେଉଛନ୍ତି ମାଇକେଲ ଡୁଆନେ ଜନସନ୍। ଜନସନ ୮ ଅଲିମ୍ପିକ୍ସ ସ୍ବର୍ଣ୍ଣ ପଦକ ଓ ୮ ବିଶ୍ବ ଚାମ୍ପିଅନସିପ୍ ପଦକ ଜିତିଛନ୍ତି। ୬ ଫୁଟ ୧ ଇଞ୍ଚ ଉଚ୍ଚତା ବିଶିଷ୍ଟ ଏହି କିଂବଦନ୍ତି ଧାବକ ଏକଦା ୨୦୦ ଓ ୪୦୦ ମିଟର ଦୌଡ଼ର ବିଶ୍ବ କୀର୍ତ୍ତିମାନଧାରୀ ଥିଲେ। ୪୦୦ ମିଟର ଇନଡୋର ଓ ୩୦୦ ମିଟର ଅଉଟଡୋର ଦୌଡ଼ରେ ମଧ୍ୟ ସେ ବିଶ୍ବ କୀର୍ତ୍ତିମାନ ସ୍ଥାପନ କରିଥିଲେ। ଟ୍ରାକ୍ ଆଣ୍ଡ ଫିଲ୍ଡ ଦୁନିଆର ସେ ଅନ୍ୟତମ ସ୍ଥିର ପ୍ରଦର୍ଶନକାରୀ ଥିଲେ। ଗୋଟିଏ ଅଲିମ୍ପିକ୍ସର ୨୦୦ ଓ ୪୦୦ ମିଟର ଦୌଡ଼ରେ ସ୍ବର୍ଣ୍ଣ ପଦକ ଜିତିବାରେ ସେ ହେଉଛନ୍ତି ଦୌଡ଼କୁଦ ଜଗତର ଏକମାତ୍ର ତାରକା। ୧୯୯୬ ଆଟଲାଣ୍ଟା ଅଲିମ୍ପିକ୍ସରେ ସେ ଏହି ବିରଳ ସଫଳତା ଲାଭ କରିଥିଲେ। ୪୦୦ ମିଟର ଅଲିମ୍ପିକ୍ସ ସ୍ବର୍ଣ୍ଣ ଲଗାତାର ଜିତିବାରେ ଜନସନ ମଧ୍ୟ ଏକମାତ୍ର ଧାବକ। ବିଶ୍ବ ଚାମ୍ପିଅନସିପରେ ସର୍ବାଧିକ ସ୍ବର୍ଣ୍ଣ ଜିତିବାରେ ଉସେନ ବୋଲ୍ଟ ଓ ଆଲିସନ୍ ଫ୍ରେଜରଙ୍କ ପରେ କାର୍ଲ ଲୁଇସ ଯୁଗ୍ମ ତୃତୀୟରେ ରହିଛି।

ୟୋହାନ ବ୍ଲାକ୍
ଜାମାଇକାର ଅନ୍ୟତମ ସଫଳ ସ୍ପ୍ରିଣ୍ଟର ହେଉଛନ୍ତି ୟୋହାନ ବ୍ଲାକ୍। ଖେଳ ଜୀବନର ପ୍ରଥମ କିଛି ବର୍ଷ ସାଥୀ ତାରକା ତଥା ବିଶ୍ବର ଦ୍ରୁତତମ ଧାବକ ଉସେନ ବୋଲ୍ଟଙ୍କ ଛତ୍ରଛାୟା ତଳେ ରହିଥିଲେ ବ୍ଲାକ୍। ପରବର୍ତ୍ତୀ ସମୟରେ କିନ୍ତୁ ନିଜ ପାଇଁ ବିଶ୍ବ ଦୌଡ଼କୁଦ ଜଗତରେ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରି ପାରିଥିଲେ। ବ୍ଲାକ୍ ଏପର୍ଯ୍ୟନ୍ତ ଗୋଟିଏ ଅଲିମ୍ପିକ୍ସ ସ୍ବର୍ଣ୍ଣ ଓ ଦୁଇଟି ରୌପ୍ୟ ଜିତିଛନ୍ତି। ବିଶ୍ବ ଦୌଡ଼କୁଦ ପ୍ରତିଯୋଗିତାରେ ମଧ୍ୟ ସେ ଦୁଇଟି ସ୍ବର୍ଣ୍ଣ ପଦକ ହାସଲ କରିବାର ଗୌରବ ଅର୍ଜନ କରିଛନ୍ତି। ୧୦୦ ମିଟରରେ ତାଙ୍କ ଟାଇମିଂ ୯.୬୯ ସେକେଣ୍ଡ ରହିଛି। ଯାହା ସର୍ବକାଳୀନ ଶ୍ରେଷ୍ଠ ୧୦୦ ମିଟର ଟାଇମିଂରେ କେବଳ ବୋଲ୍ଟ (୯.୫୮ ସେକେଣ୍ଡ)ଙ୍କ ପଛକୁ ଦ୍ବିତୀୟ। ସେହିଭଳି ୨୦୦ ମିଟରରେ ତାଙ୍କ ବ୍ୟକ୍ତିଗତ ଶ୍ରେଷ୍ଠ ଟାଇମିଂ ୧୯.୨୬ ସେକେଣ୍ଡ ରହିଛି। ଏହା ମଧ୍ୟ ୨୦୦ ମିଟରର ସର୍ବକାଳୀନ ଦ୍ବିତୀୟ ଶ୍ରେଷ୍ଠ ଟାଇମିଂ। ୪ ଗୁଣା ୧୦୦ ମିଟର ରିଲେରେ ବ୍ଲାକ ହେଉଛନ୍ତି ବିଶ୍ବ କୀର୍ତ୍ତିମାନଧାରୀ। ଏଥିରେ ତାଙ୍କ ଟାଇମିଂ ରହିଛି ୩୬.୮୪ ସେକେଣ୍ଡ। ରନିଂ ଟ୍ରାକ୍‌ରେ ଏବେ ବି ସକ୍ରିୟ ଥିବାରୁ ଆଗକୁ ସେ ଆହୁରି ଅନେକ କୀର୍ତ୍ତିମାନ କରିବାର ଯଥେଷ୍ଟ ସମ୍ଭାବନା ରହିଛି।

ଟାଇସନ୍ ଗେ’
ଆମେରିକୀୟ ଧାବକ ଟାଇସନ୍ ଗେ’ଙ୍କୁ ମଧ୍ୟ ବିଶ୍ବ ସ୍ପିଣ୍ଟ୍ ଜଗତର ଅନ୍ୟତମ ଶ୍ରେଷ୍ଠ ଧାବକର ମାନ୍ୟତା ମିଳେ। ସେ ବିଶ୍ବ ଦୌଡ଼କୁଦ ପ୍ରତିଯୋଗିତାରେ ତିନିଟି ସ୍ବର୍ଣ୍ଣ ପଦକ ଜିତିଥିଲା ବେଳେ ଅଲିମ୍ପିକ୍ସରେ ଗୋଟିଏ ରୌପ୍ୟ ପଦକ ହାସଲ କରିଛନ୍ତି। ସାଂଘାଇରେ ୨୦୦୯ ମସିହାରେ ଗେ’ ହାସଲ କରିଥିବା ୯.୬୯ ସେକେଣ୍ଡ ସମୟ ସର୍ବକାଳୀନ ଶ୍ରେଷ୍ଠ ୧୦୦ ମିଟର ଟାଇମିଂର ଯୁଗ୍ମ ଦ୍ବିତୀୟ ସ୍ଥାନରେ ରହିଛି। ଗେ’ ମଧ୍ୟ ୨୦୦ ଓ ୪୦୦ ମିଟରରେ ଅନେକ ବିଶ୍ବସ୍ତରୀୟ ସଫଳତା ହାସଲ କରିଛନ୍ତି। ୨୦୦ ମିଟରରେ ୧୯.୫୮ ଓ ୪୦୦ ମିଟରରେ ୪୪.୮୯ ସେକେଣ୍ଡ ତାଙ୍କର ବ୍ୟକ୍ତିଗତ ଶ୍ରେଷ୍ଠ ପ୍ରଦର୍ଶନ ହୋଇ ରହିଛି। ତାଙ୍କ ୨୦୦ ମିଟର ଟାଇମିଂ ଏହି ବର୍ଗର ସର୍ବକାଳୀନ ଶ୍ରେଷ୍ଠ ଟାଇମିଂର ପଞ୍ଚମ ସ୍ଥାନରେ ଅଛନ୍ତି। ଗେ’ ମଧ୍ୟ ଏକଦା ଅଲିମ୍ପିକ୍ସ ଟ୍ରାଏଲ୍ସରେ ୯.୬୮ ସେକେଣ୍ଡ ସମୟ ପାଇଥିଲେ। ତେବେ ବାୟୁ ସହଯୋଗ ଦୌଡ଼ ପାଇଁ ଏହାକୁ ଆନୁଷ୍ଠାନିକ ସ୍ବୀକୃତି ମିଳିନାହିଁ।

ମରିସ ଗ୍ରିନ୍
ଆମେରିକୀୟ କୃଷ୍ଣକାୟ ଧାବକ ମରିସ୍ ଗ୍ରିନ୍ ମଧ୍ୟ ଅଲିମ୍ପିକ୍ସ ଓ ବିଶ୍ବ ପ୍ରତିଯୋଗିତାରେ ତାଙ୍କ ଐତିହାସିକ ସଫଳତା ଲାଗି ବିଶ୍ବର ଶ୍ରେଷ୍ଠ ୧୦ ସ୍ପିଣ୍ଟରଙ୍କ ତାଲିକାରେ ସ୍ଥାନ ପାଇଛନ୍ତି। ୪୫ ବର୍ଷୀୟ ମରିସ୍ ଢେର କିଛି ବର୍ଷ ପାଇଁ ୧୦୦ ଓ ୨୦୦ ମିଟର ଦୌଡ଼ରେ ଆଧିପତ୍ୟ ବିସ୍ତାର କରିଥିଲେ। ସେ ଦୁଇଟି ଅଲିମ୍ପିକ୍ସ ସ୍ବର୍ଣ୍ଣ ଓ ପାଞ୍ଚଟି ବିଶ୍ବ ଦୌଡ଼କୁଦ ପ୍ରତିଯୋଗିତା ସ୍ବର୍ଣ୍ଣ ଜିତିଛନ୍ତି। ୧୯୯୮ (ମାଦ୍ରିଦ) ଓ ୨୦୦୧ (ଆଟଲାଣ୍ଟା)ରେ ୬୦ ମିଟର ଦୌଡ଼ରେ ସେ ହାସଲ କରିଥିବା ଟାଇମିଂ ୬.୩୯ ସେକେଣ୍ଡର ବିଶ୍ବ କୀର୍ତ୍ତିମାନ ଏବେ ବି ଅତୁଟ ରହିଛି। ୧୯୯୯ରେ ଏଥେନ୍ସରେ ଗେ’ ତାଙ୍କ ସର୍ବଶ୍ରେଷ୍ଠ ୧୦୦ ମିଟର ଟାଇମିଂ (୯.୭୯ ସେକେଣ୍ଡ) ହାସଲ କରିଥିଲେ। ୨୦୦ ମିଟରରେ ତାଙ୍କ ବ୍ୟକ୍ତିଗତ ଶ୍ରେଷ୍ଠ ଟାଇମିଂ ହେଉଛି ୧୯.୮୬ ସେକେଣ୍ଡ। ଯାହାକୁ ସେ ୧୯୯୭ ମସିହାରେ ଷ୍ଟକହାମଠାରେ ହାସଲ କରିଥିଲେ।

ଜଷ୍ଟିନ ଗଟଲିନ
ଆମେରିକାର ଆଉ ଜଣେ ମହାନ ସ୍ପ୍ରିଣ୍ଟର ହେଲେ ଜଷ୍ଟିନ ଗଟଲିନ। ସେ ଗୋଟିଏ ଅଲିମ୍ପିକ୍ସ ଓ ତିନିଟି ବିଶ୍ବ ଦୌଡ଼କୁଦ ପ୍ରତିଯୋଗିତା ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି। ୨୦୧୨ ମସିହା ଲଣ୍ଡନ ଅଲିମ୍ପିକ୍ସର ୧୦୦ ମିଟରରେ ସେ ହାସଲ କରିଥିବା ୯.୭୪ ସେକେଣ୍ଡର ଟାଇମିଂ ଏହି ବର୍ଗର ସର୍ବକାଳୀନ ଶ୍ରେଷ୍ଠ ଟାଇମିଂର ପଞ୍ଚମ ସ୍ଥାନରେ ରହିଛି। ୨୦୦ ମିଟରରେ ତାଙ୍କ ବ୍ୟକ୍ତିଗତ ଶ୍ରେଷ୍ଠ ପ୍ରଦର୍ଶନ ହେଉଛି ୧୯.୫୭ ସେକେଣ୍ଡ। ଯାହାକୁ ସେ ୨୦୦୨ ମସିହାରେ ଷ୍ଟାର୍କଭିଲେଠାରେ ହାସଲ କରିଥିଲେ।

ଆସଫା ପାୱେଲ
୧୯୮୨ ମସିହା ନଭେମ୍ବର ୨୩ ତାରିଖରେ ଜନ୍ମ ଗ୍ରହଣ କରିଥିବା ଆସଫା ପାୱେଲ ହେଉଛନ୍ତି ବିଶ୍ବ ଦୌଡ଼କୁଦ ଜଗତର ଅନ୍ୟତମ ମହାନ ଧାବକ। ଏହି ଚର୍ଚିତ ଜାମାଇକାନ୍ ଧାବକ ଗୋଟିଏ ଅଲିମ୍ପିକ୍ସ ଓ ଦୁଇଟି ବିଶ୍ବ ଦୌଡ଼କୁଦ ପ୍ରତିଯୋଗିତା ସ୍ବର୍ଣ୍ଣ ଜିତିଛନ୍ତି। ସ୍ବିଜରଲାଣ୍ଡର ଲୁସାନେଠାରେ ୨୦୦୮ ମସିହାରେ ସେ ନିଜ ଶ୍ରେଷ୍ଠ ୧୦୦ ମିଟର ଟାଇମିଂ (୯.୭୪ ସେକେଣ୍ଡ) ହାସଲ କରିଥିଲେ। ଯାହା ଏହି ବର୍ଗର ସର୍ବକାଳୀନ ଶ୍ରେଷ୍ଠ ଟାଇମିଂର ତୃତୀୟ ସ୍ଥାନରେ ରହିଛି। ୨୦୦ ଓ ୪୦୦ ମିଟରରେ ପାୱେଲଙ୍କ ବ୍ୟକ୍ତିଗତ ଶ୍ରେଷ୍ଠ ଟାଇମିଂ ହେଉଛି ୧୯.୯୦ ଓ ୪୫.୯୪ ସେକେଣ୍ଡ। ଯାହାକୁ ସେ ଯଥାକ୍ରମେ ୨୦୦୬ (କିଙ୍ଗଷ୍ଟନ୍) ଓ ୨୦୦୯ (ସିଡ୍‌ନି)ରେ ହାସଲ କରିଥିଲେ।
ଜିମ୍ ହାଇନ୍ସ
ଜିମ୍ମି ହାଇନ୍ସ ହେଉଛନ୍ତି ଜଣେ ଅବସରପ୍ରାପ୍ତ ଆମେରିକୀୟ ଧାବକ। ୬ ଫୁଟ ଉଚ୍ଚତା ବିଶିଷ୍ଟ ହାଇନ୍ସ ବିଶ୍ବର ପ୍ରଥମ ବ୍ୟକ୍ତି ଭାବେ ୧୦୦ ମିଟର ଦୌଡ଼କୁ ୧୦ ସେକେଣ୍ଡ ତଳେ ଶେଷ କରିଥିଲେ। ୧୯୬୮ ମସିହା ମେକ୍ସିକୋ ସିଟି ଅଲିମ୍ପିକ୍ସରେ ୯.୯୫ ସେକେଣ୍ଡ ଟାଇମିଂ ସହ ୧୦୦ ମିଟରରେ ସେ ନୂଆ ବିଶ୍ବ କୀର୍ତ୍ତିମାନ ସ୍ଥାପନ କରିଥିଲେ। ଯାହା ଦୀର୍ଘ ୧୫ ବର୍ଷ ଧରି ଅତୁଟ ରହିଥିଲା। ଅଲିମ୍ପିକ୍ସର ଏହି ସଂସ୍କରଣରେ ୪ ଗୁଣା ୧୦୦ ମିଟର ରିଲେ ଦୌଡ଼ରେ ସ୍ବର୍ଣ୍ଣ ପଦକ ହାସଲ କରିଥିଲେ। ୨୦୦ ମିଟରରେ ତାଙ୍କ ଶ୍ରେଷ୍ଠ ଟାଇମିଂ ଥିଲା ୨୦.୫୯ ସେକେଣ୍ଡ। ଜଣେ ମହାନ ଧାବକ ହେବା ସହ ହାଇନ୍ସ ମଧ୍ୟ ଫୁଟବଲ୍ ପଡ଼ିଆରେ ଅନେକ ସଫଳ ପ୍ରଦର୍ଶନ ଦେଇଥିଲେ।

ସମ୍ବନ୍ଧିତ ଖବର